କୋଲକାତା: ତୃଣମୂଳ କଂଗ୍ରେସର କୃଷ୍ଣନଗର ସାଂସଦ ମହୁଆ ମୋଇତ୍ରଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ନଦିଆ ଜିଲ୍ଲାର ଚାପ୍ରା ସହରରେ ଏକ ଦଳୀୟ ବୈଠକ ପାଇଁ ଯାଉଥିବା ବେଳେ ପ୍ରଦର୍ଶନକାରୀମାନେ ତାଙ୍କୁ କଳା ପତାକା ଦେଖାଇବା ସହ "ଗୋ ବ୍ୟାକ୍" ଓ "ଚୋର ଚୋର" ନାରା ଦେଇ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିଥିଲେ। ଏହି ଘଟଣା ପରେ ସୁରକ୍ଷା ଦାବି କରି ମହୁଆ ମୋଇତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକୁ ଗ୍ରହଣ କରି ବିଚାରପତି ରାଜର୍ଷି ଭାରଦ୍ୱାଜଙ୍କ ଏକକ ବେଞ୍ଚ ପଶ୍ଚିମବଙ୍ଗ ପୋଲିସକୁ ସାଂସଦଙ୍କୁ ତୁରନ୍ତ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ପୋଲିସ ପ୍ରଶାସନକୁ କୋର୍ଟଙ୍କ ଭର୍ତ୍ସନା
ଶୁଣାଣି ସମୟରେ ହାଇକୋର୍ଟ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସ୍ଥାନୀୟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। କୋର୍ଟ କହିଛନ୍ତି, ଯଦି ଜଣେ ନିର୍ବାଚିତ ସାଂସଦଙ୍କୁ ରାସ୍ତାରେ ଅଣ୍ଡା ମାଡ଼ କରାଯାଉଛି, ତେବେ ସାଧାରଣ ନାଗରିକଙ୍କ ଅବସ୍ଥା କ'ଣ ହେବ ? ସାଂସଦମାନେ ଯେପରି ବିନା ଭୟ ଓ ହିଂସାରେ ନିଜର ଆଇନଗତ ଏବଂ ରାଜନୈତିକ କାର୍ଯ୍ୟ ସମ୍ପାଦନ କରିପାରିବେ, ତାହା ନିଶ୍ଚିତ କରିବାକୁ କୋର୍ଟ କହିଛନ୍ତି। ନଦିଆ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ (SP) ମହୁଆଙ୍କ ସୁରକ୍ଷା ବ୍ୟବସ୍ଥା ଆକଳନ କରି ତୁରନ୍ତ ସଶସ୍ତ୍ର ପୋଲିସ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉତ୍ତ୍ୟକ୍ତ ଲୋକମାନେ ଘେରାଉ କରି ଅଣ୍ଡା ମାଡ଼ କରୁଥିବା ବେଳେ ସ୍ଥାନୀୟ ପୋଲିସ ନୀରବ ଦ୍ରଷ୍ଟା ସାଜିଥିଲା। ସୁରକ୍ଷା ଅଭାବରୁ ସେ ନିଜ ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ତଦାରଖ କରିବାରେ ବିଫଳ ହେଉଛନ୍ତି ବୋଲି କୋର୍ଟରେ ଯୁକ୍ତି ଦେଇଥିଲେ ସାଂସଦଙ୍କ ଓକିଲ । ରାଜ୍ୟ ସରକାରଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ, ଏହି ଆକ୍ରମଣ ଘଟଣାରେ ମାମଲା ରୁଜୁ କରାଯାଇ କେତେକ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ଆଗାମୀ ଦିନରେ ସାଂସଦଙ୍କ ସଭାସମିତିରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯିବ। କୋର୍ଟ ଏହି ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇ ରାଜ୍ୟ ସରକାରଙ୍କୁ ସାଂସଦଙ୍କ ପାଇଁ ନିଆଯାଇଥିବା ସୁରକ୍ଷା ପଦକ୍ଷେପ ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।