ନୂଆଦିଲ୍ଲୀ: ପେପର ଲିକ୍ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରିଥିବା ଯୁବ ଆନ୍ଦୋଳନକାରୀଙ୍କୁ ବଡ଼ ଆଶ୍ୱସ୍ଥି ଦେଲେ ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତ ସେମାନଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲା ଖାରଜ କରିଦେଇଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନୁଯାୟୀ ନିଜର ଅସାଧାରଣ କ୍ଷମତା ପ୍ରୟୋଗ କରି କୋର୍ଟରେ ତାଲିକାଭୁକ୍ତ ଥିବା ସମସ୍ତ ଏଫ୍ଆଇଆରକୁ ବାତିଲ କରିଛନ୍ତି ସୁପ୍ରିମକୋର୍ଟ।

ଜୁଲାଇ ୨୦ରୁ ୨୫ ମଧ୍ୟରେ କକ୍ରୋଚ୍ ଜନତା ପାର୍ଟି ନେତୃତ୍ୱରେ ହୋଇଥିବା ପେପର ଲିକ୍ ବିରୋଧୀ ଆନ୍ଦୋଳନ ସମୟର ଘଟଣାକୁ ନେଇ ଏହି ଏଫ୍ଆଇଆର୍ଗୁଡ଼ିକ ରୁଜୁ ହୋଇଥିଲା। ଆନ୍ଦୋଳନକାରୀମାନେ ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଧାରଣାରେ ବସିଥିଲେ। ପୁଲିସ ଲାଠି ମାଡ଼ ବି ସହିଥିଲେ।

ମଙ୍ଗଳବାର ସୁପ୍ରିମକୋର୍ଟ ମାମଲାରେ ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ, ସମାନ ଘଟଣା ସମ୍ପର୍କିତ ଅନ୍ୟ କୌଣସି ଏଫ୍ଆଇଆର୍ ଯଦି କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି, ତେବେ ତାହାର ଆଉ ତଦନ୍ତ କିମ୍ବା ଆଇନଗତ ପ୍ରକ୍ରିୟା ଆଗକୁ ବଢ଼ାଯିବ ନାହିଁ। ଏହି ଏଫ୍ଆଇଆର୍ଗୁଡ଼ିକୁ ସମସ୍ତ ଉଦ୍ଦେଶ୍ୟରେ ବନ୍ଦ ବୋଲି ବିବେଚନା କରାଯିବ। ପାଞ୍ଚଟି ରାଜ୍ୟ ପକ୍ଷରୁ ଦାଖଲ ଆବେଦନକୁ ଅନୁମୋଦନ କରି କୋର୍ଟ କହିଛନ୍ତି ଯେ, ଜୁଲାଇ ୨୦ରୁ ୨୬ ମଧ୍ୟରେ ଘଟିଥିବା ଘଟଣାକୁ ନେଇ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଆଉ ନୂଆ ଏଫ୍ଆଇଆର୍ ରୁଜୁ କରିପାରିବେ ନାହିଁ।

ତେବେ ୨,୮୭୩ ଜଣ ବ୍ୟକ୍ତିଙ୍କ ବିରୋଧରେ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସକୁ ନୂଆ ଏଫ୍ଆଇଆର୍ ରୁଜୁ କରିବାର ସ୍ୱାଧୀନତା ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଅଧିକାର ସମ୍ପୃକ୍ତ ବ୍ୟକ୍ତିଙ୍କ ଆଇନଗତ ପ୍ରତିକାର ନେବା ଅଧିକାରକୁ ପ୍ରଭାବିତ କରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

କୋର୍ଟ କହିଛନ୍ତି, କେନ୍ଦ୍ର ଓ କିଛି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି, ଏବଂ CJPର ସହ-ଆବାହକଙ୍କ ପକ୍ଷରୁ ପଢ଼ାଯାଇଥିବା ବିବୃତିକୁ ଆଧାର କରି ଅନୁଚ୍ଛେଦ ୧୪୨ର ଅସାଧାରଣ କ୍ଷମତା ପ୍ରୟୋଗ କରାଯାଇଛି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ନିଷ୍ଠାପୂର୍ବକ ଯୋଗ ଦେଇଥିବା ଯୁବ ପ୍ରତିବାଦକାରୀଙ୍କ ଭବିଷ୍ୟତକୁ ମଧ୍ୟ କୋର୍ଟ ବିଚାରକୁ ନେଇଛନ୍ତି।

କ୍ଷତିପୂରଣ ପାଇଁ ପାନ୍-ଇଣ୍ଡିଆ ବ୍ୟବସ୍ଥା

ପେପର ଲିକ୍ ଆନ୍ଦୋଳନ ସହ ଜଡ଼ିତ ଘଟଣାରେ କ୍ଷତିପୂରଣ ପ୍ରସଙ୍ଗରେ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ଆଲୋଚନା କରି ସାରା ଦେଶ ପାଇଁ ଏକ କ୍ଷତିପୂରଣ ବ୍ୟବସ୍ଥାର ରୂପରେଖା ପ୍ରସ୍ତୁତ କରିବାକୁ କୋର୍ଟ କହିଛନ୍ତି। ଭବିଷ୍ୟତରେ କ୍ଷତିପୂରଣ ଦେବା ପାଇଁ ଏହି ବ୍ୟବସ୍ଥାକୁ ନିୟମିତ ମେକାନିଜମ୍ ଭାବେ ଗ୍ରହଣ କରାଯିବ। ଏହାସହ NEET 2026 ସମ୍ପର୍କିତ ଚାପ ଯୋଗୁ ଆତ୍ମହତ୍ୟା ଘଟଣାରେ ତିନି ମାସ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ସିଜେପି ପକ୍ଷରୁ ସ୍ୱାଗତ କରାଯାଇଛି। ଜଣେ ସିଜେପି ପ୍ରବକ୍ତା ଏହି ରାୟକୁ “ଐତିହାସିକ ନିଷ୍ପତ୍ତି” ବୋଲି ବର୍ଣ୍ଣନା କରି ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି।