ନୂଆଦିଲ୍ଲୀ: ବିମାନ ଭଡ଼ା ବଢାଇବ ଇଣ୍ଡିଗୋ ଏୟାର ଲାଇନ୍ସ। ଏହି ସୂଚନା ଦେଇଛନ୍ତି ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ୱିଲି ୱଲସ୍। ସେ କହିଛନ୍ତି ଯେ ବିମାନ କମ୍ପାନୀ ପାଖରେ ଯାତ୍ରୀ ଭଡ଼ା ବୃଦ୍ଧି ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ସେ ସୂଚାଇ ଦେଇଛନ୍ତି ଯେ ବିମାନ ଇନ୍ଧନ ଦର ଏତେ ମାତ୍ରାରେ ବୃଦ୍ଧି ହେଉଛି ଯେ କମ୍ପାନୀ କେବଳ ଖର୍ଚ୍ଚ କାଟ୍ ଅଥବା ଅନ୍ୟ ପଦକ୍ଷେପ ଦ୍ୱାର ବୋଝ ବହନ କରିପାରିବନି। ସେପ୍ଟେମ୍ବର ତ୍ରୈମାସିକରେ ଇଣ୍ଡିଗୋର₹୧,୮୭୯ କୋଟିର ନିଟ୍ କ୍ଷତି ହୋଇଛି। କମ୍ପାନୀର ଫୁଏଲ ବିଲ୍ ଗତବର୍ଷ ତୁଳନାରେ ୬୭.୨% ବଢି₹୯,୯୬୭ କୋଟି ଟଙ୍କା ହୋଇଯାଇଛି।

କମ୍ପାନୀ ବିମାନ ଭଡ଼ା ବୃଦ୍ଧି ଓ ଅନ୍ୟ ପଦକ୍ଷେପ ମାଧ୍ୟମରେ ମାତ୍ର ୬୦% କ୍ଷତି ଭରଣା କରିପାରିଛି। ଅର୍ଥାତ ବାକି ୪୦% କ୍ଷତି ନିଜେ କମ୍ପାନୀ ବହନ କରିଛି। ଏଣୁ କମ୍ପାନୀର କ୍ଷତି ବଢିବଢି ଚାଲିଛି। ଇଣ୍ଡିଗୋର ଅପରେସନ ରେଭିନ୍ୟୁ ୨୫.୯% ବଢି₹୨୩,୩୬୪ କୋଟିକୁ ପହଞ୍ଚିଛି। ଗତବର୍ଷ ଏହି ତ୍ରୈମାସିକରେ କମ୍ପାନୀ₹୨,୫୮୨ କୋଟି ଟଙ୍କାର କ୍ଷତି ସହିଥିଲା, ଯାହା ଚଳିତବର୍ଷ ହ୍ରାସ ହୋଇ₹୧,୮୭୯ କୋଟି ଟଙ୍କାକୁ ପହଞ୍ଚିଛି। ଅର୍ଥାତ ଇଣ୍ଡିଗୋର କ୍ଷତି ହ୍ରାସ ହେଉଛି, ହେଲେ ସମ୍ପୂର୍ଣ୍ଣ ଭରଣା ହୋଇ ପାରୁନି। ଏଭିଏସନ ଫୁଏଲର ଦରବୃଦ୍ଧି ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ କମ୍ପାନୀର ଫାଇନାନ୍ସ ଉପରେ ଲଗାତାର ଚାପ ସୃଷ୍ଟି କରୁଛି।

ସିଇଓ କହିଛନ୍ତି ଯେ ଇଣ୍ଡିଗୋ ପ୍ରତି ଯାତ୍ରୀଙ୍କ ଚାହିଦା ଯେପରି ପ୍ରଭାବିତ ନ ହୁଏ ସେଥି ପାଇଁ ଭଡ଼ା ବୃଦ୍ଧିକୁ ଯଥା ସମ୍ଭବ କମ୍ ରଖିବାକୁ ଉଦ୍ୟମ କରାଯାଉଛି। ତେବେ ସେ ସ୍ପଷ୍ଟ କରିଦେଇଛନ୍ତି ଯେ ଫୁଏଲର ଅତିରିକ୍ତ ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ଟିକେଟ ଦାମ ବଢାଇବାକୁ ପଡିବ ହିଁ ପଡିବ। ସେ କହିଛନ୍ତି ଯେ ଫୁଏଲ ବିଲରେ ହୋଇଥିବା ବହୁତ ବୃଦ୍ଧିକୁ କମ କରିବା ଲାଗି ଭଡ଼ା ବୃଦ୍ଧି ବ୍ୟତୀତ ଆମ ପାଖରେ କୌଣସି ବିକଳ୍ପ ନାହିଁ। କେବଳ ଇଣ୍ଡିଗୋ ନୁହେଁ ସାରା ବିଶ୍ୱର ଏୟାର ଲାଇନ୍ସ ଏବେ ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁ ସଂକଟ ଦେଇ ଗତି କରୁଛନ୍ତି।

ୱଲସ୍ କହିଛନ୍ତି ଯେ ଇନ୍ଧନର ମୂଲ୍ୟ କେବଳ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ହୋଇ ନାହିଁ। ଜେଟ ଫୁଏଲ ପ୍ରିମିୟମରେ ମଧ୍ୟ ଦ୍ରୁତ ବୃଦ୍ଧି ହୋଇଛି, ଯାହାକୁ କ୍ରାକ୍ ସ୍ପ୍ରେଡ କହନ୍ତି। କ୍ରାକ୍ ସ୍ପ୍ରେଡ ଦରରେ ସେହି ଅନ୍ତର ଯାହା ରିଫାଇନାରୀଙ୍କୁ ଜେଟ୍ ଫୁଏଲ ପ୍ରସ୍ତୁତି ଲାଗି ମିଳେ। ସେ କହିଛନ୍ତି ଯେ ଏହି ଇଣ୍ଡଷ୍ଟ୍ରିରେ ଗତ ୪୭ ବର୍ଷ ହେଲା କାମ କରିଆସୁଛନ୍ତି, ହେଲେ ସେ କେବେ ଏପରି ପରିସ୍ଥିତି ଦେଖି ନାହାନ୍ତି।