ନୂଆଦିଲ୍ଲୀ:  ଭାରତର ନିଜର ସ୍ମାର୍ଟଫୋନ୍‌ ବ୍ରାଣ୍ଡ ‘Karbonn’ ପୁଣି ଫେରୁଛି । ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ କମ୍ପାନୀ କମ୍‌ ଦାମରେ  ସ୍ମାର୍ଟଫୋନ୍‌ ଲଞ୍ଚ କରିବାକୁ ଯୋଜନା କରିଛି । ଛାତ୍ରଛାତ୍ରୀ ଏବଂ କଣ୍ଟେଣ୍ଟ କ୍ରିଏଟରଙ୍କ ଲାଗି କାର୍ବନ ଆକର୍ଷଣୀୟ ଫୋନ୍‌ ଲଞ୍ଚ କରିବାକୁ ଯାଉଛି । ଦିନକୁ ଦିନ ମୋବାଇଲ୍ ଫୋନ୍‌ଗୁଡ଼ିକର ଦାମ୍ ଆକାଶଛୁଆଁ ହେଉଥିବା ବେଳେ, କାର୍ବନ୍ ଶସ୍ତା ଓ ବଜେଟ୍ ଫ୍ରେଣ୍ଡଲି ୫ଜି ଫୋନ୍ ବଜାରକୁ ଆଣିବ।

କାର୍ବନ୍‌ର ପ୍ୟାରେଣ୍ଟ କମ୍ପାନୀ 'ଜୈନା ଗ୍ରୁପ୍' ର ସିଇଓ ପ୍ରଦୀପ ଜୈନ୍ ସୂଚନା ଦେଇଛନ୍ତି ଯେ, କମ୍ପାନୀ କିଛି ଖାସ୍‌ ସ୍ମାର୍ଟଫୋନ୍ ବଜାରକୁ ଆଣିବ। ଦାମ୍ ବଢ଼ିବା ଯୋଗୁଁ ସାଧାରଣ କ୍ରେତାମାନେ ବଜେଟ୍ ଫୋନ୍ ଖୋଜିବାରେ ନାକେଦମ୍ ହେଉଛନ୍ତି । କାର୍ବନ୍‌ର ଏହି ଶସ୍ତା ୫ଜି ଫୋନ୍‌ଗୁଡ଼ିକ ପୁଣି ଥରେ ଭାରତୀୟ ବଜାରରେ ସ୍ବଦେଶ ବ୍ରାଣ୍ଡର ସ୍ଥିତିକୁ ମଜଭୁତ କରିବ । 

ଗତ କିଛି ବର୍ଷ ହେବ ସ୍ମାର୍ଟଫୋନ୍‌ରେ ବ୍ୟବହୃତ ହେଉଥିବା ରାମ୍ ଏବଂ ଷ୍ଟୋରେଜ୍ କମ୍ପୋନେଣ୍ଟସର ଦାମ୍ ବୃଦ୍ଧି ପାଇଛି । ଫଳରେ କମ୍ପାନୀଗୁଡ଼ିକ ବଜାରରେ ଶାସ୍ତା ଫୋନ୍‌ ଉପଲବ୍ଧ କରାଇବାରେ ଅସମର୍ଥ ହେଉଛନ୍ତି । ଏଭଳି ସ୍ଥିତିରେ ବଜେଟ୍‌ ଫ୍ରେଣ୍ଡଲି ଫୋନ୍‌ କିଣିବାକୁ ନାକେଦମ ହେଉଛନ୍ତି ଗ୍ରାହକ । ତେଣୁ କାର୍ବନ କମ୍‌ ଦାମରେ ଭଲ ଫିଚର୍ସ ଥିବା ସ୍ମାର୍ଟଫୋନ୍‌ ଲଞ୍ଚ କରିବାକୁ ଯୋଜନା କରିଛି । ସାଧାରଣ ଲୋକଙ୍କ ନିକଟରେ ସହଜରେ ଆଧୁନିକ ଟେକ୍ନୋଲୋଜି ପହଞ୍ଚାଇବା କାର୍ବନ୍‌ର ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରଦୀପ ଜୈନ୍ ସୋସିଆଲ ମିଡିଆରେ ଲେଖିଛନ୍ତି ।

ଗୋଟିଏ ସମୟରେ ଭାରତୀୟ ବଜେଟ୍ ସ୍ମାର୍ଟଫୋନ୍ ବଜାରରେ କାର୍ବନ୍‌ର ବହୁତ ବଡ଼ ନାଁ ଥିଲା। କିନ୍ତୁ ୨୦୧୪ରେ ଶାଓମି, ଭିଭୋ  ଏବଂ ଓପୋ ଭଳି ଚାଇନିଜ୍ କମ୍ପାନୀଗୁଡ଼ିକ ଭାରତରେ କାୟା ମେଲାଇବାରୁ କାର୍ବନ ପଛରେ ପଡ଼ିଯାଇଥିଲା । ଏବେ ପୁଣି ଥରେ ଭାରତୀୟ ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ କମ୍ପାନୀ ପ୍ରସ୍ତୁତ ହେଉଛି। ମିଳିଥିବା ସୂଚନା ଅନୁସାରେ, କମ୍ପାନୀ ‘Karbonn Rebel 5G’ ନାମରେ ଏକ ନୂଆ ୫ଜି ଫୋନ୍ ଲଞ୍ଚ କରିପାରେ । ସେପେଟେ ଆଉ କିଛି ମିଡିଆ ରିପୋର୍ଟ ଅନୁସାରେ, ଏହି ସ୍ମାର୍ଟଫୋନ୍‌ ‘Zen Z Alpha 5G’ ନାମରେ ମଧ୍ୟ ଲଞ୍ଚ୍ ହୋଇପାରେ।