ଭୁବନେଶ୍ବର ୩୦।୭: ବନ୍ୟା ସ୍ଥିତି ନେଇ ସମୀକ୍ଷା କଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଜିଲ୍ଲାପାଳ ମାନଙ୍କ ସହ କଥା ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଲୋକସେବା ଭବନର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସିଂମାଧ୍ୟମରେ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି ।

ବନ୍ୟାରେ ୫ ଜିଲ୍ଲାର ୫ ଲକ୍ଷ ୮୭ ହଜାର ୮୨୨ ଲୋକ ପ୍ରଭାବିତ । ୧ ଲକ୍ଷ ୭୬ ହଜାର ୭୩ ଜଣ ଲୋକ ସ୍ଥାନାନ୍ତର । ୩ ଜଣଙ୍କର ମୃତ୍ୟୁ ନେଇ ସୂଚନା ଦେଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ମହାନଦୀ ପାଇଁ କଟକ ଏବଂ ଜଗତସିଂହପୁରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ରାଜ୍ୟରେ ବର୍ତ୍ତମାନ ବର୍ଷା କମିଛି । ନବରଙ୍ଗପୁର, କୋରାପୁଟ, ବଲାଙ୍ଗିର, କଳାହାଣ୍ଡିରେ ଝିପି ଝିପି ବର୍ଷା ହେଉଛି । ଆଗାମୀ ୩ ଦିନ ବର୍ଷା ନାହିଁ । ୨ ତାରିଖ ପରେ ପୁନର୍ବାର ବର୍ଷା ଆକଳନ କରାଯାଉଛି । ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ନହେବା ଆଶ୍ୱସ୍ତିକର ଖବର ।

ବର୍ତ୍ତମାନ ହୀରାକୁଦରେ ଜଳସ୍ତର ୬୨୦ ଫୁଟ ରହିଛି । ୨ଟି ଗେଟ୍ ଖୋଲା ଅଛି । ମୁଣ୍ଡଳୀରେ ସାଢ଼େ ୬ ଲକ୍ଷ କ୍ୟୁସେକ ଜଳ ପହଞ୍ଚୁଥିଲା । ରାତି ସୁଦ୍ଧା ନରାଜରେ ୯ ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ । କଟକର ବଡ଼ମ୍ବା, ଆଠଗଡ ତଳିଆ ଅଞ୍ଚଳରେରେ ଜଳ ପହଞ୍ଚିଲାଣି । ସେଣ୍ଟ୍ରାଲ ୱାଟର କମିଶନ ନିକଟରୁ ରିପୋର୍ଟ ଅନୁସାରେ ମଣ୍ଡଳୀରେ ଜଳସ୍ତର ଓ୍ବାର୍ଣ୍ଣିଂ ଲେଭଲ ଉପରେ ଅଛି କିନ୍ତୁ ବିପଦ ସଙ୍କେତ ଟପିନି । ବର୍ତ୍ତମାନ ବିଭିନ୍ନ ନଦୀରେ ଜଳସ୍ତର କମିବା ଆରମ୍ଭ କଲାଣି । ୫ ଜିଲ୍ଲାରେ ୬ ଲକ୍ଷ ଲୋକ ପ୍ରଭାବିତ । ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା କିଛି ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ମୋଟ୍ ୧ ଲକ୍ଷ ୬୫ ହଜାର ଲୋକ ରିଲିଫ୍ ସେଣ୍ଟରରେ ରହିଛନ୍ତି । ନରାଜରେ ୧୦ ଲକ୍ଷ କ୍ୟୁସେକ ଜଳ ଆସିଲେ ସମସ୍ୟା ଉପୁଜିପାରେ । ତେଣୁ ନରାଜରେ କିଭଳି ୧୦ ଲକ୍ଷ କ୍ୟୁସେକ ଜଳ ଭିତରେ ରଖାଯାଇ ପାରିବ ସେହି ଅନୁସାରେ ପରିଚାଳନା ପାଇଁ ନିର୍ଦ୍ଦେଶ ରହିଛି । ବର୍ତ୍ତମାନ ହୀରାକୁଦରେ ୬୨୦ ଫୁଟ ଜଳସ୍ତର ରହିଛି । ୬୨୨ ଫୁଟ ପର୍ଯ୍ୟନ୍ତ ରଖାଯାଇ ପାରିବ । ଉପରମୁଣ୍ଡରେ ବର୍ଷା ନଥିବାରୁ ସେଭଳି କିଛି ସମସ୍ୟା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଗୁରୁବାର ବନ୍ୟା ପ୍ରଭାବିତ ଅଞ୍ଚଳର ଗସ୍ତ କରିବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ତାଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ ।

Also Read:- ୨୪ ଘଣ୍ଟା ତାଳଗଛ ଉପରେ ମୃତ୍ୟୁ ସହ ସଂଘର୍ଷ, ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍

ବନ୍ୟାରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲା ଗଭୀର ପ୍ରଭାବିତ ହୋଇଛି । ୫୪ ବ୍ଲକର ୧୫୯୧ ଗାଁ ଓ ୧୪ଟି ସହରାଞ୍ଚଳ ପ୍ରଭାବିତ ହୋଇଛି । ବନ୍ୟାରେ ୫ ଲକ୍ଷ ୨୬ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବନ୍ୟାରେ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ଶହ ଶହ ଲୋକ ପାଣି ଘେରରେ ରହିଛନ୍ତି । ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି ।