ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲେ ୭୦୦ରୁ ଅଧିକ ନାଗରିକ। ଯେଉଁଥିରେ ଅଛନ୍ତି ପୂର୍ବତନ ସରକାରୀ କର୍ମଚାରୀ, ଶିକ୍ଷାବିତ୍, କର୍ମୀ ଓ ସାମ୍ବାଦିକ। ଚିଠିରେ ସେମାନେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୮ ଏପ୍ରିଲରେ ଜାତି ଉଦ୍ଦେଶ୍ୟରେ ଦେଇଥିବା ତାଙ୍କ ଅଭିଭାଷଣରେ ସେ ଆଦର୍ଶ ଆଚରଣ ସଂହିତା (MCC) ଉଲ୍ଲଂଘନ କରିଛନ୍ତି।

ଣ ଲେଖିଛନ୍ତି ଅଭିଯୋଗକାରୀ?
ଏମ୍‌ସିସି ଉଲ୍ଲଂଘନ ଅଭିଯୋଗ ଆଣି ନାଗରିକମାନଙ୍କ ପକ୍ଷରୁ ଏପ୍ରିଲ ୨୦ ତାରିଖରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଏକ ଚିଠି ଦିଆଯାଇଥିଲା। ଯେଉଁଥିରେ ୭୦୦ରୁ ଅଧିକ ନାଗରିକ ସ୍ୱାକ୍ଷର କରିଛନ୍ତି। ସ୍ୱାକ୍ଷରକାରୀମାନେ ତାଙ୍କ ଅଭିଯୋଗରେ ଲେଖିଛନ୍ତି ଯେ ଏମସିସି ସମୟରେ ମୋଦୀଙ୍କର ଯେଉଁ ଭାଷଣ ଦୂରଦର୍ଶନ, ସଂସଦ ଟିଭି ଏବଂ ଅଲ୍ ଇଣ୍ଡିଆ ରେଡିଓ ଭଳି ସରକାରୀ ପ୍ଲାଟଫର୍ମରେ ପ୍ରସାରିତ ହେଲା, ଏହା କେବଳ ଏକ "ନିର୍ବାଚନ ଓ ଦଳୀୟ ପ୍ରଚାର" ଥିଲା। ତା’ ଛଡ଼ା ଏଭଳି ଭାଷଣ ପାଇଁ ସରକାରୀ ମିଡିଆ ବ୍ୟବହାର କରିବା ଶାସକ ଦଳକୁ ଅନୁଚିତ ଫାଇଦା ଦେଲା। ଯେଉଁଥିରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଆବଶ୍ୟକ ସମାନତାର ମୂଲ୍ୟବୋଧ ଦୁର୍ବଳ ହେଲା ବୋଲି ସେମାନେ ଅଭିଯୋଗ ଆଣିଛନ୍ତି।
Also Read- 
ମୁଁ ପ୍ରଧାନମନ୍ତ୍ରୀଙ୍କୁ ‘ଆତଙ୍କବାଦୀ’ କହିନାହିଁ...ସ୍ପଷ୍ଟୀକରଣ ଦେଲେ ଖଡ଼ଗେ; ପାଲଟା ଜବାବ ଦେଲା BJP

ବର୍ତ୍ତମାନ ପାଇଁ ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀ ସମେତ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଏମସିସି ଲାଗିଛି। ମେ ୪ ତାରିଖରୁ ଏହି ରାଜ୍ୟଗୁଡ଼ିକରେ ଭୋଟ ଗଣନା ହେବାର ଅଛି। ତେଣୁ ଏହି ସମୟରେ ମନ୍ତ୍ରୀମାନଙ୍କୁ କୌଣସି ସରକାରୀ କାର୍ଯ୍ୟ କିମ୍ବା ରାଜନୈତିକ ପ୍ରଚାର ଓ ଦଳୀୟ ଉଦ୍ଦେଶ୍ୟ ପାଇଁ ସରକାରୀ ସାଧନର ବ୍ୟବହାର କରିବାକୁ ଆଚରଣ ସଂହିତାରେ ବାରଣ କରାଯାଇଛି। ହେଲେ ପ୍ରଧାନମନ୍ତ୍ରୀ ଏପରି କରି ଆଚରଣ ସଂହିତାର ଉଲ୍ଲଂଘନ କରିଛନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି।

ତେଣୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ବିଷୟବସ୍ତୁ ଏବଂ ଶୈଳୀ, ଉଭୟକୁ ଯାଞ୍ଚ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ବାଚନ ପ୍ୟାନେଲକୁ ଚିଠିରେ ଅନୁରୋଧ କରାଯାଇଛି। ଯଦି ପ୍ରସାରଣ ପାଇଁ ପୂର୍ବ ଅନୁମତି ଦିଆଯାଇଥାଏ, ତେବେ ବିରୋଧୀ ଦଳଗୁଡ଼ିକର କଥା ରଖିବା ପାଇଁ ମଧ୍ୟ ସରକାରୀ ପ୍ରସାରଣକାରୀ ସଂସ୍ଥାଗୁଡ଼ିକରେ ସମାନ ପ୍ରସାରଣ ସମୟ ଦିଆଯାଉ ବୋଲି ଚିଠିରେ ଦାବି କରାଯାଇଛି। ତେବେ କିଛି ଅଭିଯୋଗକାରୀ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ସରକାରୀ ପ୍ଲାଟଫର୍ମରୁ ହଟାଇ ଦେବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ ଯଦି ପିଏମଙ୍କ ଭାଷଣରେ ଏମସିସି ଉଲ୍ଲଂଘନ ହୁଏ, ତେବେ ଏହାକୁ ସରକାରୀ ପ୍ଲାଟଫର୍ମରୁ ହଟାଇ ଦେବାକୁ କିଛି ସ୍ୱାକ୍ଷରକାରୀ ଦାବି କରିଛନ୍ତି।

ଅଭିଯୋଗକର୍ତ୍ତାଙ୍କ ମଧ୍ୟରେ କେଉଁମାନେ ଅଛନ୍ତି?

ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗରେ ଯେଉଁମାନେ ସ୍ୱାକ୍ଷର କରିଛନ୍ତି ସେମାନଙ୍କ ମଧ୍ୟରେ ଅନେକ ପରିଚିତ ତେହେରା ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ରହିଛନ୍ତି। ଏହି ସ୍ୱାକ୍ଷରକାରୀମାନଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନଜୀବ ଜଙ୍ଗ, ସମାଜସେବୀ ଯୋଗେନ୍ଦ୍ର ଯାଦବ,ଅର୍ଥଶାସ୍ତୀର ଜ୍ୟୋତି ଘୋଷ, ସଂଗୀତଜ୍ଞ-ଲେଖକ ଟିଏମ୍ କ୍ରିଷ୍ଣା ଏବଂ ପୂର୍ବତନ କେନ୍ଦ୍ର ସଚିବ ଇଏଏସ୍ ଶର୍ମା ଆଦି ବ୍ୟକ୍ତିବିଶେଷ। ଏହି ସ୍ୱାକ୍ଷରକାରୀମାନେ କହିଛନ୍ତି ଯେ କମିଶନ ଏହାର ସାମ୍ବିଧାନିକ ନିର୍ଦ୍ଦେଶ ଅନୁଯାୟୀ "ନିର୍ବାଚନ ପ୍ରକ୍ରିୟାର ପବିତ୍ରତା ବଜାୟ ରଖିବା" ପାଇଁ ଶୀଘ୍ର କାର୍ଯ୍ୟ କରିବା ଉଚିତ।
Also Read- West Bengal Election 2026: ପଶ୍ଚିମବଙ୍ଗରେ ସେନା ଛାଉଣୀ; ଟିଏମ୍ସି କହିଲା ,ସାମରିକ ଶୈଳୀରେ ରାଜ୍ୟ ଦଖଲ ଯୋଜନା କରୁଛି କେନ୍ଦ୍ର

ଦେଶକୁ ସମ୍ବୋଧନ କରି କଣ କହିଥିଲେ ପ୍ରଧାନମନ୍ତ୍ରୀ?

ଏପ୍ରିଲ ୨୦ ତାରିଖରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କରିଥିବା ସମ୍ବୋଧନରେ ବିରୋଧୀ ଦଳମାନଙ୍କୁ ପ୍ରବଳ ସମାଲୋଚନା କରିଥିଲେ। ଲୋକସଭାରେ ୧୩୧ତମ ସମ୍ବିଧାନ ସଂଶୋଧନର ବିଫଳତା ବିଷୟରେ କହିଥିଲେ। ଏହାକୁ ମହିଳାମାନଙ୍କ ପାଇଁ ଏକ ବିପର୍ଯ୍ୟୟ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

ଭାଷଣରେ ସେ କଂଗ୍ରେସ, ଦ୍ରାବିଡ଼ ମୁନେତ୍ର କାଝଗମ, ତୃଣମୂଳ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ସମେତ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରି, ଏମାନେ ଆଇନକୁ ବାଧା ଦେଉଥିବା ଅଭିଯୋଗ କରିଥିଲେ। ମୋଦୀ କହିଥିଲେ ଯେ ସେମାନଙ୍କର କାର୍ଯ୍ୟ ମହିଳାମାନଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇଛି। ତେବେ ବିଲ୍ ପାସ୍ କରିବାରେ ସରକାରଙ୍କ ଅକ୍ଷମତା ପାଇଁ ସେ ମହିଳାମାନଙ୍କୁ କ୍ଷମା ମାଗିଥିଲେ। ଏବଂ ବିରୋଧୀଙ୍କ ଉପରେ ଅଭିଯୋଗ ଆଣି କହିଥିଲେ "ମହିଳାଙ୍କ ସ୍ୱପ୍ନ ଚୁରମାର ହୋଇଯାଇଛି", ବିରୋଧୀ ଦଳ ଜାତୀୟ ସ୍ୱାର୍ଥ ଉପରେ ରାଜନୈତିକ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛନ୍ତି ଏବଂ ସଂସଦରେ ସେମାନଙ୍କର ଆଚରଣ ମହିଳାଙ୍କ "ମର୍ଯ୍ୟାଦା ଉପରେ ଆକ୍ରମଣ" ବୋଲି ମୋଦୀ କହିଥିଲେ।