ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ସେ ଦାବି କରିଥିଲେ ଯେ, ପ୍ରଧାନମମନ୍ତ୍ରୀ ମୋଦୀ ସରକାରୀ କଳର ବ୍ୟବହାର କରି ରାଜନୈତିକ ପାର୍ଟି ଏବଂ ଲୋକଙ୍କୁ ଡରାଉଛନ୍ତି । କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କୁ ‘ଆତଙ୍କବାଦୀ’ ବୋଲି କହିଥିଲେ ମଲ୍ଲିକାର୍ଜୁନ ଖଡ଼ଗେ । ତାପରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି ।

ଚେନ୍ନାଇରେ କେସି ବେଣୁଗୋପାଳଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଖଡ଼ଗେ ପ୍ରଥମେ ବିଜେପି ସହିତ ଏଆଇଏଡିଏମକେର ମେଣ୍ଟକୁ ସମାଲୋଚନା କରିଥିଲେ । ଏହା ସହ ପ୍ରଧାନମନ୍ତ୍ରୀଙ୍କୁ ‘ଆତଙ୍କବାଦୀ’ ବୋଲି କହିଥିଲେ ଖଡ଼ଗେ । ଏହା ଶୁଣିବା ପରେ ଖଡ଼ଗେ ତାଙ୍କ ମନ୍ତବ୍ୟ ସ୍ପଷ୍ଟ କରିବାକୁ ଉପସ୍ଥିତ ସାମ୍ବାଦିକମାନେ ଚାପ ପକାଇଥିଲେ । ଏହା ପରେ କଂଗ୍ରେସ ଅଧ୍ୟକ୍ଷ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଦେଶର ଗଣତାନ୍ତ୍ରିକ ଗଠନକୁ ବିପଦରେ ପକାଇଛନ୍ତି।

PMଙ୍କୁ ଆତଙ୍କବାଦୀ କହିନାହିଁ: ଖଡ଼ଗେ

ଖଡ଼ଗେ କହିଛନ୍ତି, ‘ପିଏମ ମୋଦୀ ଲୋକଙ୍କୁ ଏବଂ ରାଜନୈତିକ ଦଳଗୁଡ଼ିକୁ ଭୟଭୀତ କରୁଛନ୍ତି। ମୁଁ କେବେ କହିନାହିଁ ଯେ, ସେ ଆତଙ୍କବାଦୀ। ଭୟଭୀତ କରାଇବାର ଅର୍ଥ ହେଉଛି ସେ ତାଙ୍କର କ୍ଷମତା ଏବଂ ସରକାରୀ କଳର ଅପବ୍ୟବହାର କରୁଛନ୍ତି ଏବଂ ବିରୋଧୀ ଦଳଗୁଡ଼ିକୁ ଧମକାଉଛନ୍ତି । ବିରୋଧୀ ଦଳଗୁଡ଼ିକ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି।’

‘କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର ହେଉଛି’ନିର୍ବାଚନ କମିଶନ ବିଜେପି କାର୍ଯ୍ୟାଳୟାର ଅଂଶ ଏବଂ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗ କରିଥିଲେ ଖଡ଼ଗେ । ସେ ଦାବି କରିଥିଲେ ଯେ, ରାଜନୈତିକ କର୍ମୀମାନଙ୍କୁ ଭୟଭୀତ କରିବା ପାଇଁ ସିବିଆଇ, ଇଡି ଏବଂ ଆୟକର ବିଭାଗ ଭଳି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ଉପକରଣ ଭାବରେ ବ୍ୟବହାର କରାଯାଉଛି।

କଂଗ୍ରେସକୁ ପାଲଟା ଆକ୍ରମଣ କଲା ବିଜେପି

ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବୟାନକୁ ବିରୋଧ କରି ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି, ‘କଂଗ୍ରେସ ଅଧ୍ୟକ୍ଷ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆତଙ୍କବାଦୀ ବୋଲି ବର୍ଣ୍ଣନା କରିବା ପାଇଁ ଯେଉଁ ପ୍ରକାରର ଶବ୍ଦ ବ୍ୟବହାର କରିଛନ୍ତି, ତାହା କେବଳ ନିନ୍ଦନୀୟ ନୁହେଁ ବରଂ କଂଗ୍ରେସ ଦଳର ମାନସିକତାକୁ ମଧ୍ୟ ପ୍ରତିଫଳିତ କରୁଛି।’ ବିଜେପି ସାଂସଦ କହିଛନ୍ତି ଯେ, ଏହା ସ୍ଲିପ ଅଫ ଟଙ୍ଗ୍ ନୁହେଁ । ଯଦି ସେ ସ୍ପଷ୍ଟୀକରଣ ଦେଉଛନ୍ତି, ତେବେ ଏହା କଂଗ୍ରେସର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ସେପଡେ ଏକ ଭିଡିଓ ବାର୍ତ୍ତାରେ ବିଜେପିର ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି, କଂଗ୍ରେସ ଗୋଟିଏ ‘Urban Naxal’ ଦଳ ।