ଭଦ୍ରକ ୩୦।୮: ଗୋଟିଏ ନୁହେଁ ତିନି ତିନୋଟି ପୁଅର ମାଆ । ହେଲେ ପରିଣତ ବୟସରେ ଆଜି ଅସହାୟ । ବୟସର ଅପରାହ୍ନରେ ବଞ୍ଚିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବୃଦ୍ଧା ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅଧୀନ ୟୁସୁଫପୁର ଗାଁର ମାଳତୀ ବାରିକ । ବୟସ ତାଙ୍କର ୧୦୨ ବର୍ଷ । ମାଳତୀଙ୍କର ତିନି ପୁଅ । ଦୁଇ ପୁଅ ଘର ପାଖରେ ରହୁଥିବା ବେଳେ ଅନ୍ୟ ଜଣେ ଭଦ୍ରକ ସହରରେ ରହୁଛନ୍ତି ।

କିନ୍ତୁ ଏତେ ବଡ଼ ପରିବାର ଥାଇ ବି ଆଜି ବେସାହାରା ମାଳତୀ । ଖାଇବାକୁ ଦେବା ତ ଦୂରର କଥା, ପିନ୍ଧିବା ପାଇଁ ମଧ୍ୟ କେହି କେହି ଖଣ୍ଡେ ଦେଇନଥିବା ମାଳତୀଙ୍କ ଅଭିଯୋଗ । ଭତ୍ତା ବାବଦକୁ ମାସକୁ ହଜାରେ ଟଙ୍କା ଆଉ ୫ କିଲୋ ଚାଉଳ ପାଉଛନ୍ତି ମାଳତୀ । ଚାଉଳ ଦେଲେ ବଡ଼ ପୁଅ ଖାଇବାକୁ ଦିଏ, ଚାଉଳ ନଦେଲେ ଉପାସ । ଆଉ ଜଣେ ପୁଅ ଅବସରପ୍ରାପ୍ତ ଶିକ୍ଷକ ହୋଇଥିଲେ ବି ମାଆଙ୍କ କଥା ମଧ୍ୟ ସେ ବୁଝୁନାହାନ୍ତି । ଯେଉଁ ଘରେ ମାଳତୀ ମୁଣ୍ଡ ଗୁଞ୍ଜିଥିଲେ ସେଇଟା ବି ଭାଙ୍ଗିରୁଜି ଗଲାଣି । ଘରଟିଏ କରିବାକୁ ବି ପୁଅମାନେ ଅରାଜି ।

ଯେଉଁ ମାଆ ତିନି ପୁଅଙ୍କୁ ଜନ୍ମ ଦେଇ ବଡ଼ କରିଥିଲେ ଜୀବନର ଶେଷ ସମୟରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ବି ପାଉନାହାନ୍ତି । ଶେଷରେ ନିରାଶ ହୋଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମାଳତୀ । ବୃଦ୍ଧାଙ୍କ ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି । ବୃଦ୍ଧାଙ୍କ ତିନି ପୁଅଙ୍କୁ ଥାନାକୁ ଆଣି ପଚରାଉଚରା କରିବ ପୋଲିସ ।

Also Read:- ସାର କିଣିବାକୁ ରଖିଥିଲେ ଟଙ୍କା, ମାଗିଲା ପୁଅ ; ନଦେବାରୁ ବାପାକୁ ହତ୍ୟା

ଯେଉଁ ବୟସରେ ପରିବାର ସହ ହସଖୁସିରେ ଶେଷ ଜୀବନ କଟିବା କଥା, ସେହି ବୟସରେ ଜଣେ ମାଆକୁ ନିଜ ଅଧିକାର ପାଇଁ ଥାନାକୁ ଯିବାକୁ ପଡୁଛି । ଏହା ଆମ ସମାଜ ଏହା ଆମ ସମାଜ ଓ ମାନବିକତା ପାଇଁ ଏକ ବଡ଼ ପ୍ରଶ୍ନ ।

Watch Video: