ବାରିପଦା ୩୦।୮: ଅର୍ଥ ପାଇଁ ଅନର୍ଥ । ଟଙ୍କା ନଦେବାରୁ ବାପାଙ୍କୁ ହତ୍ୟା କଲା ପୁଅ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ପଥୁରୀ ଗ୍ରାମରୁ । ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୋଲିସ ।

ବର୍ତ୍ତମାନ ଚାଷ ସମୟ ହୋଇଥିବାରୁ ଜଣେ କ୍ଷୁଦ୍ର ଚାଷୀ ବାପା ବିଲରେ ସାର ପକାଇବା ପାଇଁ କିଛି ଟଙ୍କା ରଖିଥିଲେ । ତେବେ ତାଙ୍କ ପୁଅ ସୁମନ୍ତ ଦେହୁରୀ ସେହି ଟଙ୍କା ମାଗିଥିବା ବେଳେ ବାପା ଟଙ୍କା ଦେବାକୁ ମନା କରିଥିଲେ। ଏହାକୁ ନେଇ ରାତିରେ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିବା ବେଳେ ପୁଅ ଏକ ଠେଙ୍ଗାରେ ବାପାଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ହୋଇ ବାପାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Also Read:- ହଜିଯାଇଥିବା ତାଳବଣିଆର ଗୌରବ ଫେରାଇବାକୁ ପ୍ରୟାସ, ରୋପଣ ହେଲା ୫ ହଜାର ତାଳ ଗଛ

ଖବର ପାଇ ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୁଅ ସୁମନ୍ତ ଦେହୁରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଘଟଣାର ସମସ୍ତ ଦିଗ ନେଇ ପୋଲିସ ତଦନ୍ତ ଜାରି ରଖିଛି।