ମୁମ୍ବାଇ : ମୁସଲିମ ହୋଇ ମନ୍ଦିର ଯାଇ ପୂଜା କଲେ ବୋଲି ଟ୍ରୋଲିଂ ହେଲେ ନବାବ ସାହାବଙ୍କ ଲାଡଲି ଝିଅ ସାରା ଅଲ୍ଲୀ ଖାନ । ଧାର୍ମିକ ସମାଲୋଚନାକୁ ନେଇ ଏବେ ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ସାରା ଖାନ୍। ସୋସିଆଲ ମିଡିଆରେ ଟ୍ରୋଲର୍ସଙ୍କୁ ଦେଇଛନ୍ତି କଡ଼ା ଜବାବ । ନିକଟରେ ଉଜ୍ଜୈନ ମହାକାଳ ମନ୍ଦିର ଯାଇ ଦର୍ଶନ କରିବା ପରେ ସାରାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଇଥିଲା। ତାଙ୍କ ଧାର୍ମିକ ବିଶ୍ୱାସକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ । ଆଉ ଏହାର ଜବାବରେ ସାରା କହିଥିଲେ, ଏହା ତାଙ୍କର ବ୍ୟକ୍ତିଗତ ବିଶ୍ୱାସ । ସେ ଯେତିକି ଭକ୍ତିର ସହ ଅଜମେର ସରିଫ୍ ଯାଆନ୍ତି, ସେତିକି ଭକ୍ତିର ସହ ମହାକାଳ ମନ୍ଦିର ମଧ୍ୟ ଯିବେ। ସେ ଆହୁରି କହିଥିଲେ, ଲୋକେ ଯାହା ଇଚ୍ଛା କୁହନ୍ତୁ, ତାଙ୍କୁ କିଛି ଫରକ ପଡ଼େନି। ସେ ପ୍ରତ୍ୟେକ ସ୍ଥାନର ସକାରାତ୍ମକ ଶକ୍ତି ଓ ଆଧ୍ୟାତ୍ମିକ ଅନୁଭୂତିରେ ବିଶ୍ୱାସ କରନ୍ତି। କାହା କଥାକୁ ଡରି ନିଜ ବିଶ୍ୱାସ ବଦଳାଇବେ ନାହିଁ। ସାରାଙ୍କ ଏହି ବୟାନକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଧାର୍ମିକ ସ୍ଥଳକୁ ଯିବା ବ୍ୟକ୍ତିଗତ ବିଶ୍ୱାସର ବିଷୟ ବୋଲି ଏହି ବିବାଦ ପୁଣି ଥରେ ଆଲୋଚନାକୁ ଆଣିଛି।

ବଲିଉଡ୍ ଅଭିନେତ୍ରୀ ସାରା ଅଲି ଖାନ ଅନେକ ସମୟରେ କେଦାରନାଥଙ୍କ ପ୍ରତି ତାଙ୍କର ଭକ୍ତିଭାବ ପ୍ରକାଶ କରିଥାନ୍ତି ଏବଂ ମନ୍ଦିରକୁ ପୂଜା କରିବାକୁ ଯାଆନ୍ତି। କିନ୍ତୁ, ଏଥର ତାଙ୍କର ଏହି ଗସ୍ତ ଚର୍ଚ୍ଚାର ବିଷୟ ପାଲଟିଛି, କାରଣ ଉତ୍ତର ପ୍ରଦେଶର ଇସଲାମିକ ଧର୍ମଗୁରୁ ମୁଫତି ଶାହାବୁଦ୍ଦିନ ରଜଭି ବରେଲଭି ହିନ୍ଦୁ ତୀର୍ଥସ୍ଥଳରେ ପ୍ରାର୍ଥନା କରିବା ପାଇଁ ଅଭିନେତ୍ରୀଙ୍କ ବିରୁଦ୍ଧରେ ଫତୱା ଜାରି କରିଛନ୍ତି। ଏସବୁ ମଧ୍ୟରେ, ଅଭିନେତ୍ରୀଙ୍କ ଏକ ପୁରୁଣା ବୟାନ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ସେ ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଇଛନ୍ତି । ସୂଚାନୁଯାୟୀ, ଗତ ଅକ୍ଟୋବର ୨୫ ତାରିଖରେ ସାରାଙ୍କୁ କେଦାରନାଥ ଦର୍ଶନ ପାଇଁ ଧାଡ଼ିରେ ଠିଆ ହୋଇଥିବାର ଦେଖାଯାଇଥିଲା। ପୂଜା ପରେ, ଅଭିନେତ୍ରୀଙ୍କୁ ମନ୍ଦିର ବାହାରେ ହାତ ଯୋଡିଥିବାର ଦେଖାଯାଇଥିଲା।

ଏହାକୁ ନେଇ ଇସଲାମିକ ଧର୍ମଗୁରୁ ମୁଫ୍ତି ଶାହାବୁଦ୍ଦିନ ରଜଭି ବାରେଲଭି କହିଥିଲେ ଯେ ଅନ୍ୟ ଧର୍ମ ଅନୁସାରେ ପୂଜା କରିବା "ଶରିଆ ଅନୁଯାୟୀ ଅନୁମତିପ୍ରାପ୍ତ ନୁହେଁ । ଏହା ହରାମ।" ସେ ସାରାଙ୍କୁ ଆଲ୍ଲାହଙ୍କଠାରୁ କ୍ଷମା ମାଗିବାକୁ ଏବଂ ଦୋଷୀ ପରି ଅନୁତାପ କରିବାକୁ ମଧ୍ୟ କହିଥିଲେ। ଭିଡିଓରେ ଧର୍ମଗୁରୁ କହିଛନ୍ତି, "ଅନେକ ଯୁବକ ମୋତେ ପଚାରିଛନ୍ତି ଯେ ସାରାଙ୍କ କେଦାରନାଥରେ ପୂଜା କରିବା ଶରିଆ ଅନୁଯାୟୀ ଠିକ କି ? ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏପରି କାର୍ଯ୍ୟ ଅନୁମତିପ୍ରାପ୍ତ ନୁହେଁ।" ସାରାଙ୍କ ପାଇଁ ସମାଲୋଚନାର ସମ୍ମୁଖୀନ ହେବା ଏହା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ମଧ୍ୟ, କେଦାରନାଥ ଦର୍ଶନ ପାଇଁ ଅଭିନେତ୍ରୀ ବହୁତ ଟ୍ରୋଲିଂର ଶିକାର ହୋଇଥିଲେ । କିନ୍ତୁ ସାରା ଏହାର ଉଚିତ ଜବାବ ମଧ୍ୟ ଦେଇଥିଲେ। ତାଙ୍କର ଏକ ପୁରୁଣା ଭିଡ଼ିଓ କ୍ଲିପ ମଧ୍ୟ ଭାଇରଲ ହେଉଛି ।