ମୁମ୍ବାଇ : ବଲିଉଡର ଦୁଇ ବଡ଼ ନାଁ... ଦୁଇ ସୁପରଷ୍ଟାର... । ଆଉ ଫ୍ୟାନ୍ସଙ୍କ ଭିତରେ ଜବରଦସ୍ତ ଉତ୍ସାହ । ବଲିଉଡ୍ ଫ୍ୟାନ୍ସଙ୍କ ପାଇଁ ଆଗକୁ ଆସୁଛି ୨ଟି ବଡ଼ ଖବର । ଦୀର୍ଘ ଦିନ ଧରି ନିଜ ଦମଦାର ଅଭିନୟ ବଳରେ ବଲିଉଡରେ ରାଜ୍ କରୁଥିବା ଦୁଇ ଷ୍ଟାରଙ୍କ ଫିଲ୍ମକୁ ନେଇ ଏବେ ଚର୍ଚ୍ଚା ଜୋର୍ । ଜଣେ ବଲିଉଡର ବାଦଶାହ ଆଉ ଜଣେ ବଲିଉଡର ଭାଇଜାନ । ବଡ଼ ପରଦାରେ ଦେଖିବାକୁ ମିଳିବ ଫୁଲ-ଅନ ଆକ୍ସନ , ଡ୍ରାମା ଓ ଭରପୁର ମନୋରଞ୍ଜନ । ଡିସେମ୍ବରରେ ବଡ଼ ପରଦାରେ ଧମାକାଦାର ଭାବେ ରିଲିଜ ହେବ ଶାହରୁଖ ଖାନଙ୍କ ‘କିଙ୍ଗ’ ଓ ସଲମାନ ଖାନଙ୍କ ‘ମାତୃଭୂମି ’। ଦୁଇ ସୁପରଷ୍ଟାରଙ୍କ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଢେର ସାରା ରହିଛି । ଏବେ ସମସ୍ତଙ୍କ ନଜର ବକ୍ସ ଅଫିସ୍ ଉପରେ।

ସୂଚନାନୁଯାୟୀ, ଆସନ୍ତା ଡିସେମ୍ବର ୨୪ରେ ସିନେମା ହଲକୁ ଆସିବ ଶାହରୁଖ ଖାନଙ୍କ ଫିଲ୍ମ ‘କିଙ୍ଗ’। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ। ଏଥିରେ ଶାହରୁଖଙ୍କ ସହ ତାଙ୍କ ଝିଅ ସୁହାନା ଖାନ୍, ଦୀପିକା ପାଦୁକୋନ୍ ଓ ଅଭିଷେକ ବଚ୍ଚନ ନଜର ଆସିବେ। ଅନ୍ୟପଟେ ସଲମାନ ଖାନଙ୍କ ‘ମାତୃଭୂମି'କୁ ନେଇ ମଧ୍ୟ ଚର୍ଚ୍ଚା ଢେର ରହିଛି। ଏହା ଏକ ଦେଶଭକ୍ତି ଓ ଯୁଦ୍ଧଭିତ୍ତିକ ଫିଲ୍ମ। ତେବେ ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ । ତେଣୁ ଦୁଇଟି ଫିଲ୍ମ ଡିସେମ୍ବରରେ ରିଲିଜ୍ ହେବା ମାତ୍ରେ ବକ୍ସ ଅଫିସ ରେକର୍ଡ ଭାଙ୍ଗିବେ ବୋଲି ଏବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି ।

ଦୁଇ ଫିଲ୍ମକୁ ନେଇ ଏବେଠୁ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ । କାହାର ଫିଲ୍ମ କରିବ ବକ୍ସ ଅଫିସ୍ରେ ହିଟ ? କାହାକୁ ମିଳିବ ଦର୍ଶକଙ୍କ ଅଧିକ ଭଲପାଇବା? ଗୋଟିଏ ପଟେ ଶାହରୁଖ ଖାନଙ୍କ ଦମଦାର ଆକ୍ସନ, ଅନ୍ୟପଟେ ସଲମାନ ଖାନଙ୍କ ଦେଶଭକ୍ତି । ଦୁଇଟି ଭିନ୍ନ ଭିନ୍ନ ଅନ୍ଦାଜକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏବେଠୁ ଉତ୍ସାହର ମାହୋଲ୍। ତେବେ ଶାହରୁଖ ହୁଅନ୍ତୁ କି ସଲମାନ, ଦୁହିଁଙ୍କର ଫ୍ୟାନ୍ ଫଲୋଇଂ କିଛି କମ୍ ନୁହେଁ। ଷ୍ଟାରଡମ୍ର ଏହି ଲଢ଼େଇରେ କିଏ ମାରିବ ବାଜି, କେଉଁ ଫିଲ୍ମ କେତେ ବ୍ଲକବଷ୍ଟର ହେବ ତାହା ତ ଫିଲ୍ମ ରିଲିଜ୍ ପରେ ହିଁ ଜଣାପଡ଼ିବ।