ଭୁବନେଶ୍ବର: ବାଂଲାଦେଶୀଙ୍କ ବିରୁଦ୍ଧରେ ଆକ୍ସନ ମୋଡରେ ଶୁଭେନ୍ଦୁ ସରକାର। ଶୁଭେନ୍ଦୁ ସରକାର ‘ଡିଟେକ୍ଟ, ଡିଲିଟ୍ ଆଣ୍ଡ୍ ଡିପୋର୍ଟ’ ଅଭିଯାନ ମାଧ୍ୟମରେ ବାଂଲାଦେଶୀଙ୍କୁ ତଡ଼ିପାର ଆରମ୍ଭ କରିଛନ୍ତି। ତେବେ ପଶ୍ଚିମବଙ୍ଗରେ ଆକ୍ସନ ପରେ ବାଂଲାଦେଶୀ ଓଡ଼ିଶା ମୁହାଁ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ଏମିତିରେ ଓଡ଼ିଶାରେ କେବେ ହେବ ଆକ୍ସନ ଉଠିଲା ପ୍ରଶ୍ନ ।

ଓଡ଼ିଶାକୁ କେବେ ବନ୍ଦ ହେବ ସମ୍ପୂର୍ଣ୍ଣ ଅନୁପ୍ରବେଶ ? ରାଜ୍ୟରେ କେବେ ବାଙ୍ଗଲାଦେଶୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ତଡିପାର କରାଯିବ ସେନେଇ ଆରମ୍ଭ ହୋଇଛି ବିତର୍କ । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ପ୍ରକୃତରେ ଓଡିଶାରେ କେତେ ସଂଖ୍ୟାରେ ବାଂଲାଦେଶୀ ଅଛନ୍ତି ତାର ସଠିକ ତଥ୍ୟ ସରକାରଙ୍କ ପାଖରେ ନାହିଁ । ଆଉ ଯେଉଁମାନେ ଅନେକ ଦିନ ତଳୁ ଓଡ଼ିଶାକୁ ଅନୁପ୍ରବେଶ କରିଛନ୍ତି, ଏବେ ସେମାନେ ରାଜ୍ୟର ସ୍ଥାୟୀ ନାଗରିକ ହୋଇ ରହୁଛନ୍ତି । ସେମାନଙ୍କୁ ଚିହ୍ନଟ କରିବା ଏବଂ ତଡିପାର କରିବା ସରକାରଙ୍କ ପାଇଁ କାଠିକାର ପାଠ ହେବାକୁ ଯାଉଛି ।

Also Read: ଖୁବଶୀଘ୍ର ହେବ ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର, ଦିଲ୍ଲୀରେ ଡେରା ପକାଇଲେ ବିଜେପି ନେତା

ବିଧାନସଭା ତଥ୍ୟ ଅନୁଯାୟୀ, ୨୦୨୧ ମସିହା ସୁଦ୍ଧା ରାଜ୍ୟରେ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ବିଭିନ୍ନ ଜିଲ୍ଲାରେ ବସବାସ କରୁଛନ୍ତି । ଆଉ ଏକ ତଥ୍ୟରେ କୁହାଯାଇଛି, ୨୦୨୪ରୁ ୨୦୨୬ ମଧ୍ୟରେ ୭୭ ଜଣ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚି଼ହ୍ନଟ କରାଯାଇଛି । ଅର୍ଥାତ ଅନେକ ବଂଲାଦେଶୀ ଅନୁପ୍ରବେଶକାରୀ ଏବେ ସାରା ରାଜ୍ୟରେ ବିଭିନ୍ନ ବେଉସା କରି ଏଠାରେ ଜୀବନ ବିତାଉଛନ୍ତି । ହେଲେ ସରକାର ସେମାନଙ୍କୁ ସଠିକ୍ ଭାବେ ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବାଂଲାଦେଶୀମାନଙ୍କୁ ରାଜ୍ୟ ଛାଡ଼ି ଯିବାକୁ ଚେତାବନୀ ଦେଇ କହିଛନ୍ତି, ରାଜ୍ୟରେ ବେଆଇନ ଭାବେ ରହୁ ଥିବା ବାଂଲାଦେଶୀମାନେ ଯେତେଶୀଘ୍ର ପାରିବେ ସ୍ୱେଚ୍ଛାକୃତ ଭାବେ ରାଜ୍ୟ ଛାଡ଼ିବା ଦରକାର । ଅନୁପ୍ରବେଶକାରୀଙ୍କୁ ଜେଲ୍ ପଠାଇ ରୁଟି ଖୁଆଇବୁ ନାହିଁ ଏବଂ ସେମାନେ ଆମର ଜ୍ବାଇଁ ନୁହଁନ୍ତି ବୋଲି ସ୍ପଷ୍ଟ ଶୁଣାଇଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ଏହି ଚେତାବନୀ ପରେ ବାଙ୍ଗଲାଦେଶୀ ଓଡ଼ିଶା ମୁହାଁ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

Also Read: ଜିଲ୍ଲାପାଳଙ୍କ ପାଟିରେ ବାଜିଲା ବାସୀ ସିଙ୍ଗଡା… ବାସ୍ ତା ପରେ ଯାହା ଘଟିଲା, Video 

ଓଡିଶାର କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତସିଂହପୁର ଆଦି ଜିଲ୍ଲା ଦେଇ ଅନୁପ୍ରବେଶ କରିବାର ଅଧିକ ସମ୍ଭାମ୍ବନା ରହିଛି । ତେଣୁ ସେଥିଲାଗି ରାଜ୍ୟ ସରକାର ପାଟ୍ରୋଲିଙ୍ଗ ଏବଂ ଟ୍ରାକିଙ୍ଗକୁ ଆହୁରି କଡ଼ାକଡ଼ି କରିବାକୁ ଜୋର ଦେଉଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଏଣିକି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନିସ୍ତାର ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ବିଜେଡି କହିଛି, ବାଙ୍ଗଲାଦେଶୀ ଓଡିଶା ପାଇଁ ସମସ୍ୟା ନୁହେଁ, ତିଳକୁ ତାଳ କରିବା ଏସରକାରଙ୍କ ଧର୍ମ ବୋଲି କହିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା ।

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ିପାର କରିବାକୁ ପଶ୍ଚିମ ବଙ୍ଗ ସରକାର ଆରମ୍ଭ କରିଛନ୍ତି ‘ଡିଟେକ୍ଟ, ଡିଲିଟ୍ ଆଣ୍ଡ ଡିପୋର୍ଟ’ ଅଭିଯାନ । ସମାନ ଢଙ୍ଗରେ ଓଡିଶାରେ ବି ସେହିଭଳି ଅଭିଯାନ ଆରମ୍ଭ କରିବାକୁ ସର୍ବସାଧାରଣରେ ଦାବି ହେଉଛି ।