ଭୁବନେଶ୍ଵର: ଓଡ଼ିଶା ବିଜେପିର ନେତାମାନେ ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ଭେଟିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନ୍ୟ କିଛି ନେତା ବିଧାୟକ ମଧ୍ୟ ଦିଲ୍ଲୀରେ ଅଛନ୍ତି। ତେଣୁ ସେଠି କିଛି ବଡ଼ ରୋଷେଇ ହେଉଥିବା ବାସ୍ନା ହେଉଛି। ଯେଉଁଥିରୁ ଚର୍ଚ୍ଚା ହେଉଛି ହୁଏତ ମନ୍ତ୍ରି ମଣ୍ଡଳ ସଂପ୍ରସାରଣର କଟାକଟି ବଟାବଟି ଚାଲିଛି।

ଖୁବଶୀଘ୍ର ହେବ ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଟିମରେ ସ୍ଥାନ ପାଇବେ କିଛି ନୂଆ ମୁହଁ । ୨ ବର୍ଷ ପୂର୍ତ୍ତି ଅବସରରେ ମୋହନଙ୍କ ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ନେଇ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀଗସ୍ତ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ବିଜେପିର ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ଦିଲ୍ଲୀରେ ଅଛନ୍ତି। 

Also Read: ବିଜେପିରେ ମିଶିଲେ ଦେବାଶିଷ ସାମନ୍ତରାୟ, ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ହେଲେ ସାମିଲ

ଏହି ସମୟରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଏବଂ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଵିଏଲ ସନ୍ତୋଷଙ୍କୁ ଭେଟିଛନ୍ତି । ସେହିପରି କିଛି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ପାରନ୍ତି ମୋହନ ଓ ମନମୋହନ | କେବଳ ମନ୍ତ୍ରି ମଣ୍ଡଳ ନୁହେଁ ଦୁଇ ବର୍ଷ ଧରି ଅଟକି ରହିଥିବା ବୋର୍ଡ ନିଗମ ନିଯୁକ୍ତି ପାଇଁ ମଧ୍ୟ ବାଟ ଫିଟିଛି । ଦିନେ ଦୁଇ ଦିନ ମଧ୍ୟରେ ବୋର୍ଡ ନିଗମ ନିଯୁକ୍ତି ନେଇ ତାଲିକା ପ୍ରକାଶ ହୋଇପାରେ। ତା ସହିତ ବି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଭାସ ଦେଇଛନ୍ତି।

Also Read: ​​​​​​​ପ୍ରକାଶ ପାଇଲା OCS-୨୦୨୪ ରେଜଲ୍ଟ, ବୁବୁନ ସାହୁ ଟପ୍ପର

ବର୍ତ୍ତମାନ ରାଜ୍ୟ ମନ୍ତ୍ରିମଣ୍ଡଳରେ ଜଣେ ମନ୍ତ୍ରୀ ଏକାଧିକ ବିଭାଗ ରଖିଥିବା ବେଳେ ୬ ଟି ମନ୍ତ୍ରୀ ପଦ ଖାଲି ପଡିଛି । ସୁନ୍ଦରଗଡ଼, ବରଗଡ଼, ବାଲେଶ୍ୱର, ଅନୁଗୁଳ, ସୁବର୍ଣ୍ଣପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, କଟକ, କେନ୍ଦ୍ରାପଡ଼ା, ମାଲକାନଗିରି, ନୟାଗଡ଼ ଓ କୋରାପୁଟ ଜିଲ୍ଲାରୁ ଜଣେ ହେଲେ ବି ମନ୍ତ୍ରୀ ପଦ ପାଇ ନାହାନ୍ତି। ସେହିଭଳି ମୟୂରଭଞ୍ଜ, ଗଞ୍ଜାମ, ବଲାଙ୍ଗୀର ଜିଲ୍ଲାରେ ଦୁଇ ଜଣ ଲେଖାଏଁ ମନ୍ତ୍ରୀ ଅଛନ୍ତି | ଅନ୍ୟପଟେ ସଂସଦୀୟ କ୍ଷେତ୍ରରେ କଟକ, ଭୁବନେଶ୍ୱର, ସୁନ୍ଦରଗଡ଼, କଳାହାଣ୍ଡି, କେନ୍ଦ୍ରାପଡ଼ା, କୋରାପୁଟ, କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଜଣେ ହେଲେ ବି ମନ୍ତ୍ରୀ ନାହାନ୍ତି। ମନ୍ତ୍ରିମଣ୍ଡଳରେ ଜଣେ ମାତ୍ର ମହିଳା ଅଛନ୍ତି। ଏସବୁକୁ ବିଚାରକୁ ନେଇ ମନ୍ତ୍ରିମଣ୍ଡଳର ଫର୍ମୁଲା ସ୍ଥିର ହୋଇପାରେ।

Also Read: ଜୁଲାଇ ୬ରେ ଭୁବନେଶ୍ବର ଆସିବେ ୮ମ ବେତନ କମିଶନ୍‌

ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ | ସୂଚନା ଅନୁଯାୟୀ ୧୦ ଦିନ ବ୍ୟାପୀ ପାଳନ ହେବ ଦୁଇ ବାର୍ଷିକୀ ପୂର୍ତ୍ତି କାର୍ଯ୍ୟକ୍ରମ। ଏହାପରେ ଆସିପାରେ ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ।.