ମୁମ୍ଵାଇ,୧୨।୧୧:ନିତେଶ ତିୱାରୀଙ୍କ ଚଳଚ୍ଚିତ୍ର ‘ରାମାୟଣ’କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଚଳଚ୍ଚିତ୍ରରେ ମାତା ସୀତାଙ୍କ ଚରିତ୍ର ଚିତ୍ରଣକୁ ନେଇ ଆପତ୍ତି ଉଠାଇଛନ୍ତି ବରିଷ୍ଠ ଅଭିନେତା ମୁକେଶ ଖାନ୍ନା । ସୀତାଙ୍କୁ ଏକ ଆକ୍ସନ୍ ସିନରେ ଯୁଦ୍ଧ କରୁଥିବା ଦେଖାଯିବା ତାଙ୍କୁ ଆଦୌ ଗ୍ରହଣୀୟ ହୋଇନାହିଁ । ନିଜର ଏକ ସଦ୍ୟତମ ଭ୍ଲଗ୍ରେ ସେ ଚଳଚ୍ଚିତ୍ରର ନିର୍ମାତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ମୁକେଶ ଖାନ୍ନାଙ୍କ କହିବା ଅନୁଯାୟୀ, ବାଲ୍ମୀକି ରାମାୟଣରେ ମାତା ସୀତାଙ୍କୁ କେବେ ଜଣେ ଯୋଦ୍ଧା ଭାବେ ଚିତ୍ରଣ କରାଯାଇନାହିଁ । ସେ ଜଣେ ଆଦର୍ଶ ନାରୀ, ତ୍ୟାଗ, ଧୈର୍ଯ୍ୟ ଓ ସେବାର ପ୍ରତୀକ ଥିଲେ । ତେଣୁ ତାଙ୍କୁ ଆଧୁନିକ ଆକ୍ସନ୍ ନାୟିକାଙ୍କ ଭଳି ଯୁଦ୍ଧ କରୁଥିବା ଦେଖାଇବା ମୂଳ ରାମାୟଣର ଭାବନା ସହ ମେଳ ଖାଉନାହିଁ ବୋଲି ସେ ମତ ଦେଇଛନ୍ତି । ନିଜ ଭ୍ଲଗ୍ରେ ମୁକେଶ କହିଛନ୍ତି ଯେ, ଆଜିକାଲି ରାମାୟଣ ଭଳି ମହାନ୍ ମହାକାବ୍ୟକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ସମୟରେ କାହାଣୀର ମୂଳ ଭାବନା ଓ ତଥ୍ୟ ଅପେକ୍ଷା ବ୍ୟବସାୟିକ ସଫଳତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଚଳଚ୍ଚିତ୍ର ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଥିବାରୁ ତାହାକୁ କିପରି ଅଧିକ ଲାଭ ସହ ଫେରାଇ ଅଣାଯିବ, ସେଥିପ୍ରତି ନିର୍ମାତାଙ୍କ ଅଧିକ ଧ୍ୟାନ ରହିଛି । କିନ୍ତୁ ରାମାୟଣର କାହାଣୀକୁ ମୂଳ ରୂପରେ ଉପସ୍ଥାପନ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏପର୍ଯ୍ୟନ୍ତ ସେ ନିଜେ ଏହି ଚଳଚ୍ଚିତ୍ର ଦେଖିନାହାନ୍ତି । ଦର୍ଶକଙ୍କ ପ୍ରତିକ୍ରିୟା, ବିଭିନ୍ନ ସମୀକ୍ଷା ଓ ଏପର୍ଯ୍ୟନ୍ତ ପ୍ରକାଶିତ ପ୍ରଚାରମୂଳକ ଭିଡିଓ ଆଧାରରେ ସେ ନିଜର ମତ ରଖିଛନ୍ତି । ରାମାୟଣ ଓ ମହାଭାରତ ଭଳି ମହାନ୍ ଧାର୍ମିକ ଗ୍ରନ୍ଥରେ ନିଜ ଇଚ୍ଛା ଅନୁସାରେ କିଛି ଯୋଡ଼ିବା କିମ୍ବା ବାଦ୍ ଦେବା କେତେଦୂର ଉଚିତ୍, ସେ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।

ଅଭିନେତାଙ୍କ କହିଥିଲେ ଯେ, ମୁଁ ଆଶ୍ଚର୍ଯ୍ୟ ହୋଇଥିଲି ଯେତେବେଳେ ମଲହୋତ୍ରା କହିଥିଲେ ଯେ, ଏହି ସିନ୍ଟି ବାଲ୍ମୀକି ରାମାୟଣ ଉପରେ ଆଧାରିତ ନୁହେଁ, ବରଂ ‘ଅଦ୍ଭୁତ ରାମାୟଣ’ରୁ ପ୍ରେରିତ । ରାମାୟଣ କେବଳ ଗୋଟିଏ ହିଁ ଅଛି-ଯାହା ବାଲ୍ମୀକିଙ୍କ ଦ୍ୱାରା ଲିଖିତ । ଆପଣଙ୍କର ଏପରି ଭାବରେ ରାମାୟଣ ବିଷୟରେ କଥା ହେବାର ସାହସ କିପରି ହେଲା? ଅନ୍ୟ କୌଣସି ଧର୍ମ କ୍ଷେତ୍ରରେ ଏଭଳି ଦୁଃସାହସ ଦେଖାଇବାକୁ ଚେଷ୍ଟା ତ କରନ୍ତୁ! ଆପଣ କ’ଣ କୁରାନ କିମ୍ବା ବାଇବେଲ ସହିତ ଛେଡ଼ଛାଡ଼ କରିପାରିବେ? ଯଦି ପାରିବେ ନାହିଁ, ତେବେ ଆମ ଗୀତା ଓ ରାମାୟଣ ସହିତ ଛେଡ଼ଛାଡ଼ କରିବାର ସାହସ ଆପଣଙ୍କୁ କିଏ ଦେଲା ବାଲ୍ମୀକି ରାମାୟଣ ଉପରେ ନିଜର ମନଗଢ଼ା ବ୍ୟାଖ୍ୟା ଲଦିବା ବନ୍ଦ କରନ୍ତୁ! ଆପଣଙ୍କୁ ଲଜ୍ଜା ଲାଗିବା ଉଚିତ୍।