ନୂଆଦିଲ୍ଲୀ, ୧୨।୧୧ : ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (ଆଇଆରଜିସି) ନୂଆ ଅଣ୍ଡରଗ୍ରାଉଣ୍ଡ ମିସାଇଲ ସିଟିର ଭିଡିଓକୁ ଜାରି କରିଛି। ଛଅ ମିନିଟ୍ ଅବଧିର ସେହି ଭିଡିଓରେ ବାଲିଷ୍ଟିକ ଏବଂ କ୍ରୁଜ୍ ମିସାଇଲ ସହ ସେଗୁଡ଼ିକୁ ଲଞ୍ଚ କରିବା ପାଇଁ ଥିବା ସିଷ୍ଟମକୁ ଦେଖିବାକୁ ମିଳୁଛି।

ସେଥିମଧ୍ୟରେ ହାଇପରସୋନିକ୍ ଫତେହ, ଦୀର୍ଘ ଦୂରଗାମୀ ମିସାଇଲ୍ ପ୍ରଭୃତି ସାମିଲ ରହିଛି । ତେବେ ଏହି ଠିକଣା କେଉଁଠି, ସେଠାରେ କେତେ ମିସାଇଲ୍ ରହିଛି ସେ ସଂପର୍କରେ ଭିଡିଓରେ କିଛି ସ୍ପଷ୍ଟ କରାଯାଇ ନାହିଁ । ସେହିପରି ପୂର୍ବରୁ ପ୍ରଦର୍ଶିତ ହୋଇଥିବା ଅନେକ ଅସ୍ତ୍ରଶସ୍ତ୍ର ନୂଆ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ କିଛିକୁ ଜାଣିଶୁଣି ପ୍ରଦର୍ଶିତ କରଯାଇଛି।

ଏହି ମିସାଇଲ୍ ସିଟି ଆଇଆରଜିସିର ଏରୋଓ୍ୱେସ୍ ବିଭାଗର ହୋଇଥିବାବେଳେ ଏରୋଓ୍ୱେସ ୱିଙ୍ଗର କମାଣ୍ଡର ବ୍ରିଗେଡିୟର ଜେନେରାଲ୍ ମଜିଦ ମୌସଭି, ଇରାନର ସାମରିକ ମୁଖ୍ୟ ମେଜର ଜେନେରାଲ ଅଲୀ ଏହାର ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି। ସେଠାରେ ସୈନିକମାନଙ୍କୁ ସମ୍ବୋଧନ କରି ଅଲୀ କହିଥିଲେ ଯେ, ଯଦି ଇରାନ ଉପରେ ପୁନର୍ବାର ଆକ୍ରମଣ କରାଯାଏ ତେବେ ଏହାର ଜବାବୀ କାର୍ଯ୍ୟନୁଷ୍ଠାନ କେବଳ ମଧ୍ୟପ୍ରାଚ୍ୟ ଯାଏ ସୀମିତ ରହିବ ନାହିଁ, ମଧ୍ୟପ୍ରାଚ୍ୟ ବାହାରକୁ ବି ଯାଇପାରେ ।

Also Read :-ପକେଟକୁ ବାଧୁଛି ଘରଭଡା, ୧୦ ବର୍ଷରେ ହେଲାଣି ଡବଲ୍ ! ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ

ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଏହାକୁ ମିଶାଇ ତୃତୀୟ ଥର ପାଇଁ ଇରାନ ନିଜର ଅଣ୍ଡରଗ୍ରାଉଣ୍ଡ ମିସାଇଲ୍ ଠିକଣା ସହ ଜଡ଼ିତ ଭିଡିଓ ବିଶ୍ୱବାସୀଙ୍କୁ ଦେଖାଇଛି।

ଗଲ୍ଫ ନ୍ୟୁଜ ମୁତାବକ, ଏହି ମିସାଇଲ୍ ସିଟିକୁ ଦେଖାଇ ଇରାନ ଆକ୍ରମଣ ସତ୍ତ୍ୱେ ଏହାର ସାମରିକ ଶକ୍ତି ଅକ୍ଷୂର୍ଣ୍ଣ ଥିବାର ବାର୍ତ୍ତା ଦେବାକୁ ଚାହୁଁଛି । ଭୂମି ତଳେ ମିସାଇଲ୍ ନିର୍ମାଣ ଏବଂ ଏହାର ସଂରକ୍ଷଣ ଲାଗି ବ୍ୟବସ୍ଥା କରି ଇରାନ ନିଜର ଅସ୍ତ୍ରଶସ୍ତ୍ରକୁ ବିମାନ ଆକ୍ରମଣରୁ ରକ୍ଷା କରିବାକୁ ଲକ୍ଷ୍ୟ ରଖିଛି। ଇରାନର ସାମରିକ ଶକ୍ତିରେ ମିସାଇଲର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେବେ ଆମେରିକା-ଇସ୍ରାଏଲର ଆକ୍ରମଣ ପରେ ଏବେ ଦେଶ ନିକଟରେ କେତେ ମିସାଇଲ୍ ରହିଛି, ସେଥିମଧ୍ୟରୁ ଅଣ୍ଡରଗ୍ରାଉଣ୍ଡ୍ ଠିକଣାରେ କେତେ ମିସାଇଲ୍ ରଖାଯାଇଛି ସେଥିନେଇ ଠିକ୍ ତଥ୍ୟ ସାମ୍ନାକୁ ଆସିନାହିଁ ।

ଚଳିତବର୍ଷ ଆରମ୍ଭରେ ଇସ୍ରାଏଲ ସେନା ଇରାନ ନିକଟରେ ପ୍ରାୟ ୨୫୦୦ ମିସାଇଲ୍ ଥିବାର ଅନୁମାନ କରିଥିଲା । ଏଥିସହ ଇରାନ ପ୍ରତିମାସରେ ନୂଆ ମିସାଇଲ୍ ପ୍ରସ୍ତୁତ କରୁଥିବା କହିଥିଲା। ଅନ୍ୟପଟେ ଏକ ଖବର ସରବରାହ ଏଜେନ୍ସି ଇରାନ ନିକଟରେ ଏବେ ପ୍ରାୟ ୧୦୦୦-୧୫୦୦ ବ୍ୟବହାରଯୋଗ୍ୟ ମିସାଇଲ୍ ରହିଥିବା ପ୍ରକାଶ କରିଛି।