ନୂଆଦିଲ୍ଲୀ, ୧୨।୧୧ : ଚିପ୍ ନିର୍ମାଣକାରୀ କମ୍ପାନୀ ଏନଭିଡିଆର ସିଇଓ ଜେନସେନ୍ ହୁଆଙ୍ଗ ଶେଷରେ କ୍ଷମା ମାଗିଛନ୍ତି । ସେ ନିଜର ପରକୀୟା ପ୍ରୀତି ସମ୍ପର୍କକୁ ସ୍ୱାକୀର ମଧ୍ୟ କରିଛନ୍ତି । ନିଜ କର୍ମଚାରୀଙ୍କୁ ସେ ବ୍ୟବସାୟ ଉପରେ ଧ୍ୟାନ ଦେବାକୁ କହିଛନ୍ତି ।

ଆମେରିକୀୟ ଗଣମାଧ୍ୟମ ସଂସ୍ଥା ସିଏନବିସି ଅନୁସାରେ, ହୁଆଙ୍ଗ କାଲିଫର୍ଣ୍ଣିଆ ସ୍ଥିତ ସାନ୍ତା କ୍ଲାରାରେ ଥିବା କମ୍ପାନୀର ମୁଖ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଆସନ୍ତା ସପ୍ତାହରେ କମ୍ପାନୀର ତ୍ରୈମାସିକ ଫଳାଫଳ ଘୋଷଣା କରାଯିବ । ଯେଉଁଥିପାଇଁ ହୁଆଙ୍ଗ ମଙ୍ଗଳବାର ମଧ୍ୟ ଅଧିକାରୀଙ୍କ ସହ ବୈଠକ କରିଥିଲେ ।

Also Read :- ନେପାଳରେ ବଡ଼ ଧରଣର ଭୂମିକମ୍ପ : ରିକ୍ଟର ସ୍କେଲରେ ତୀବ୍ରତା ୪.୯

ସୋମବାର ମଧ୍ୟ ହୁଆଙ୍ଗ ରୁଦ୍ଧଦ୍ୱାର ବୈଠକ କରିଥିଲେ । ଏଥିରେ କମ୍ପାନୀର କିଛି ବରିଷ୍ଠ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବୈଠକରେ ସେ ନିଜ ପରକୀୟା ପ୍ରୀତି ବାବଦରେ ସ୍ୱୀକାର କରିଥିଲେ । ଏହାସହ ଅଧିକାରୀଙ୍କୁ କ୍ଷମା ମାଗିଥିଲେ । ତେବେ ଏନେଇ ସେ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ । କ୍ଷମା ମାଗିବା ପରେ ବ୍ୟବସାୟ ଉପରେ ଫୋକସ କରିବାକୁ କହିଥିଲେ ।

ଏହାପୂର୍ବରୁ ରବିବାର ସେ କର୍ମଚାରୀଙ୍କୁ ମେଲ୍ କରିଥିଲେ । ମେଲରେ ସେ ନିଜର ପରକୀୟା ପ୍ରୀତି ବାବଦରେ ଖୁଲାସା କରିଥିଲେ । କିନ୍ତୁ ମହିଳାଙ୍କ ପରିଚୟ ସେ ଗୋପନ ରଖିଥିଲେ । ଏଥିରେ ସେ କ୍ଷମା ମାଗିଲେ ତାଙ୍କର ଭୁଲ ସୁଧାରି ହେବ ନାହିଁ ଏବଂ ତାଙ୍କର ପରିବାର ଏହି ବିପଦରୁ ଆଗକୁ ବଢିବ ବୋଲି ସେ ମେଲରେ ଉଲ୍ଲେଖ କରିଥିଲେ । ଏପରିକି ସେ ପୁଣି କମ୍ପାନୀର ବିଶ୍ୱାସ ଜିତିବେ ବୋଲି ମଧ୍ୟ ପ୍ରକାଶ କରିଥିଲେ ।

ଏସବୁ ବିବାଦ ମଧ୍ୟରେ ମେଗାସ୍ପିଡର ପୂର୍ବତନ ଅଧିକାରୀ ଏଲିସ ହୁଆଙ୍ଗଙ୍କ ସହ ଜେନସେନଙ୍କ ସମ୍ପର୍କ ଥିବା ସାମ୍ନାକୁ ଆସିଛି । ଫାଇନାନ୍ସିଆଲ ଟାଇମ୍ସ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଖୁଲାସା କରିଥିଲା । ଯାହା ପରେ ଏନଭିଡିଆର ନିର୍ଦ୍ଦେଶନା ମଣ୍ଡଳୀ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ଏପରିକି ହୁଆଙ୍ଗଙ୍କ ସହ ସମ୍ପର୍କ ରଖିଥିବା ମହିଳା ଚୀନ ଗୁପ୍ତଚର ବୋଲି ମଧ୍ୟ ଦାବି ହେଉଛି ।