ଉମରକୋଟ: ଜନସାଧାରଣଙ୍କ ସମସ୍ୟା ଶୁଣିବାକୁ ଯାଇଥିଲେ ଆଉ ଖୋଦ୍ ଲୋକଙ୍କ ଅସୁବିଧାକୁ ଅଙ୍ଗେ ଅଙ୍ଗେ ନିଭେଇଲେ । ଜନ ଶୁଣାଣିରେ ଜିଲ୍ଲାପାଳଙ୍କୁ ଖାଇବାକୁ ଦିଆଗଲାବାସୀ ଏବଂ ନିମ୍ନ ମାନର ଜଳଖିଆ। ଜିଲ୍ଲାପାଳଙ୍କ ପାଟିରେ ବାସୀ ଖାଦ୍ୟ ବାଜିବା କ୍ଷଣି ପ୍ରଶାସନର ଆଖି ଖୋଲିଛି। ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକେ ଯେଉଁ ବାସୀ ଖାଦ୍ୟ ଖାଇବାକୁ ବାଧ୍ୟ ହେଉଥିଲେ, ତାହା ଉପରେ ଆଜି ତତ୍ପରତା ଦେଖାଇଥି ପ୍ରଶାସନ। ଘଟଣା ପରେ ରାଇଘର ମୁଖ୍ୟ ବଜାରରେ ଥିବା ବିଭିନ୍ନ ଜଳଖିଆ ଦୋକାନ, ହୋଟେଲ୍ ଉପରେ ଚଢ଼ାଉ କରିଛି ପ୍ରଶାସନ ।

ଜିଲ୍ଲାପାଳଙ୍କ ପାଟିରେ ବାଜିଲାବାସୀ ସିଙ୍ଗଡା… ବାସ୍ ଆଉ କଣ ସଙ୍ଗେ ସଙ୍ଗେ ତତ୍ପର ହୋଇ ଉଠିଲେ ପ୍ରଶାସନିକ ଅଧିକାରୀ … ସଙ୍ଗେ ସଙ୍ଗେ ସେହି ଜଳଖିଆ ଦୋକାନ ଉପରେ ହେଲା ଚଢାଉ … ଏମିତି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘରରେ । ନବରଙ୍ଗପୁର ଜିଲ୍ଲାପାଳ ଏବଂ ଏସ୍ପିଙ୍କ ଯୁଗ୍ମ ଜନ ଶୁଣାଣି ରାଇଘର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ, ଏସପି, ଅନ୍ୟାନ୍ୟ ଅଧିକାରୀଙ୍କ ପାଇଁ ଆସିଥିଲା ଜଳଖିଆ । ଜିଲ୍ଲାପାଳ ଏହି ଜଳଖିଆରୁ ସିଙ୍ଗଡାଟିକୁ ନେଇ ଯେମିତି ପାଟିରେ ଦେଇଛନ୍ତି ଫୋପାଡି ପକାଇଲେ… ଅତ୍ୟଧିକ ବିରକ୍ତ ଓ କ୍ରୋଧ ପ୍ରକାଶ କଲେ ।

Also Read: ପ୍ରକାଶ ପାଇଲା OCS-୨୦୨୪ ରେଜଲ୍ଟ, ବୁବୁନ ସାହୁ ଟପ୍ପର

କାରଣ ସିଙ୍ଗଡ଼ା ଥିଲା ବାସୀ ଓ ଜଳଖିଆ ଗୁଡିକ ଥିଲା ଅତି ନିମ୍ନମାନର । ସଙ୍ଗେ ସଙ୍ଗେ ମିଟିଂ ହଲରେ ପଡ଼ିଗଲା ହଇଚଇ । ତୁରନ୍ତ ଆକ୍ସନ ମୋଡକୁ ଆସିଗଲା ପ୍ରଶାସନ। କାର୍ଯ୍ୟକ୍ରମ ଶେଷ ହେବା ମାତ୍ରେ ପ୍ରଶାସନର ଏକ ସ୍ବତନ୍ତ୍ର ଟିମ୍ ରାଇଘର ମୁଖ୍ୟ ବଜାରରେ ଥିବା ବିଭିନ୍ନ ଜଳଖିଆ ଦୋକାନ, ହୋଟେଲର ଖାଦ୍ୟ ଏବଂ ପରିବେଶ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଦେଖିବାକୁ ମିଳିଥିଲା ଯେ, କିଛି ହୋଟେଲର ଖାଦ୍ୟ ଅତି ନିମ୍ନ ମାନର ଥିବା ବେଳେ ରୋଷେଇ ଘର ଏବଂ ଷ୍ଟୋର ରୁମର ପରିବେଶ ଥିଲା ଅତ୍ୟନ୍ତ ଦୂଷିତ ଓ ଅପରିଷ୍କାର।

ସେହି ସବୁ ଅସାଧୁ ହୋଟେଲ ମାଲିକଙ୍କ ଉପରେ ମୋଟା ଅଙ୍କର ଜରିମାନା କରାଯାଇଥିଲା । କିଛି ହୋଟେଲର ଖାଦ୍ୟ ନମୁନା ସଂଗ୍ରହ କରି ଯାଞ୍ଚ ପାଇଁ ଲ୍ୟାବକୁ ପଠାଇଥିଲା ପ୍ରଶାସନ । ଏହାସହ ସମ୍ପୃକ୍ତ ହୋଟେଲ ଗୁଡ଼ିକୁ ସଠିକ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ପରିବେଶ ସଫା ସୁତୁରା ରଖିବା ପାଇଁ ସାତ ଦିନର ସମୟ ସୀମା ଦିଆଯାଇଛି। ଯଦି ସ୍ଥିତିରେ ସୁଧାର ନଆସେ, ତେବେ ଆଗକୁ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ଚେତାବନୀ ଦେଇଛି।

Also Read: ଗୁଗଲ ମ୍ୟାପ୍ ପକାଇଲା ହରଡ଼ଘଣାରେ, ଦେଖାଇଲା ଭୁଲ୍ ବାଟ, ପହଞ୍ଚାଇଲା ଜଙ୍ଗଲରେ...

ଏଠି ପ୍ରଶ୍ନ ଉଠୁଛି ଜିଲ୍ଲାପାଳ ଓ ବଡ଼ ବଡ ଅଧିକାରୀଙ୍କ ପାଟିରେ ବାସୀ ଜଳଖିଆ ବାଜିଲା ବୋଲି ସିନା ଘଟଣା ସାମ୍ନାକୁ ଆସିଲା ଓ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଲା । ନହେଲେ ସାଧାରଣ ଲୋକେ ଏଭଳି ଜିନିଷ ଖାଇ ରୋଗରେ ପଡୁଥିଲେ ବି ନା ଏଠି ଦେଖିବାକୁ କେହି ଥିଲା ନା ଶୁଣିବାକୁ । କାରଣ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀ ପୂର୍ବରୁ ବହୁବାର ରାଇଘର ଆସି କେବଳ ନାମକୁ ମାତ୍ର ଯାଞ୍ଚ କରି ଫେରିଯାଉଥିବା ଅଭିଯୋଗ ହୋଇଛି । ସେମାନେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନନେବା କାରଣରୁ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ନିରୀହ ଲୋକେ ବର୍ଷ ବର୍ଷ ଧରି ଏଭଳି ବାସୀ ଓ ନିମ୍ନମାନର ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି ।

ଆଜିର ଏହି ଯାଞ୍ଚ ସମୟରେ ନବରଙ୍ଗପୁର ଫୁଡ ଇନସ୍ପେକ୍ଟର, ସ୍ଥାନୀୟ ତହସିଲଦାର, ହାଟଭରାଣ୍ଡି ଚିକିତ୍ସାଧିକାରୀ ଏବଂ ସ୍ଥାନୀୟ ପୋଲିସ ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ । ତେବେ ପ୍ରଶାସନର ଏହି ତତ୍ପରତା ଆଗକୁ ଜାରି ରହିବ ନା ଜିଲ୍ଲାପାଳଙ୍କ ରାଗ ଶାନ୍ତ ହେବା ପରେ ସବୁ କିଛି ପୂର୍ବପରି ଥଣ୍ଡା ପଡ଼ିଯିବ, ତାହା ଦେଖିବାକୁ ବାକି ରହିଲା।