ନୂଆଦିଲ୍ଲୀ, ୧୨।୧୧ : ସ୍ପେନରେ ଆବାସ ସଙ୍କଟକୁ ନେଇ ଲକ୍ଷ ଲକ୍ଷ ଲୋକ ବୁଧବାର ରାସ୍ତାକୁ ଓହ୍ଲାଇ ଜୋରଦାର ଆନ୍ଦୋଳନ କରିଛନ୍ତି। ଦେଶରେ ଗତ ୧୪ ବର୍ଷ ମଧ୍ୟରେ ଏହା ପ୍ରଥମ ଗଣଆନ୍ଦୋଳନ। କ୍ରମବର୍ଦ୍ଧିଷ୍ଣୁ ଗୃହ ସଙ୍କଟର ପ୍ରତିକାର ଲାଗି ଲୋକମାନେ ଦାବି କରିଛନ୍ତି। ଘରଭଡ଼ା ଉପରେ ଲଗାମ କଷିବାକୁ ଠୋସ ପଦକ୍ଷେପ ନେବା ଲାଗି କହିଛନ୍ତି।

ଏଭଳି ଐତିହାସିକ ଗଣ ଆନ୍ଦୋଳନ ଯୋଗୁ ଦେଶବ୍ୟାପୀ ସାଧାରଣ ପରିବହନ, କଳ କାରଖାନା, ଦୋକାନ ଏବଂ ବ୍ୟବସାୟ ପ୍ରଭାବିତ ହୋଇଛି। ଆନ୍ଦୋଳନକାରୀ ବାର୍ସିଲୋନାରେ ରାସ୍ତା ଜାମ୍ କରିବା ସହ କିଛି ସ୍ଥାନରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି। ରାଜଧାନୀ ମାଦ୍ରିଦ ନିକଟରେ ଦେଶର ପ୍ରମୁଖ ପାଇକାରୀ ବଜାର ବାହାରେ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ସାଙ୍ଘାତିକ ମୁହାଁମୁହିଁ ହୋଇଛି। ବାର୍ସିଲୋନାରେ ରାତି ଅଧରେ କର୍ମଚାରୀମାନେ ଛକ ସ୍ଥାନରେ ଜମା ହୋଇ ଆତସବାଜି କରିଥିବା ଦେଖିବାକୁ ମିଳିଛି।

Also Read :- ପୁଣି ବାତ୍ୟା ଭୟ : ୧୩ରେ ଲଘୁଚାପ, ୧୫ରେ ନେବ ଅବପାତର ରୂପ !

ସ୍ପେନରେ ଗତ ୧୦ ବର୍ଷ ମଧ୍ୟରେ ହାରାହାରି ଘରଭଡ଼ା ପ୍ରାୟ ଦୁଇଗୁଣା ହୋଇଛି। ଏହାଦ୍ୱାରା ସାଧାରଣ ଲୋକଙ୍କ ଘରୋଇ ବଜେଟ ଉପରେ ଚାପ ବଢ଼ିବାରେ ଲାଗିଛି। ଗତ ମାସରେ ମାଦ୍ରିଦରେ ଜଣେ ୮୭ ବର୍ଷୀୟା ମହିଳାଙ୍କୁ ଘର ଲୋକ ତଡ଼ିଦେବା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଗୃହ ସଙ୍କଟ ହିଁ ଏହାର ମୁଖ୍ୟ କାରଣ ସାଜିଥିଲା। ପରେ ବୃଦ୍ଧା ଜଣକ ପ୍ରାଣ ହରାଇଥିଲେ। ଏହାପରେ ସେ ଆନ୍ଦୋଳନର ପ୍ରତୀକ ସାଜିଥିଲେ ।

ମହଙ୍ଗା ଘରଭଡ଼ା ଯୋଗୁ ଚିନ୍ତାରେ ଥିବା ଲୋକ ଏବଂ ନିଜ ଘର ଖଣ୍ଡେ କିଣିବାକୁ ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ବୃଦ୍ଧା ଜଣକ ପ୍ରେରଣା ସାଜିଥିଲେ। ଏହି ଘଟଣାରେ ସାମାଜିକ କର୍ମୀ ଦେଶବ୍ୟାପୀ ଆନ୍ଦୋଳନ ଲାଗି ଆହ୍ୱାନ ଦେଇଥିଲେ। ଏହି ଆନ୍ଦୋଳନ ସ୍ପେନ ନିର୍ବାଚନର ଠିକ୍ ପୂର୍ବରୁ ହେଉଛି। ପ୍ରଧାନମନ୍ତ୍ରୀଙ୍କ ବାମପନ୍ଥୀ ମେଣ୍ଟ ସରକାର ଆବାସ ସଙ୍କଟକୁ ନିର୍ବାଚନର ମୁଖ୍ୟ ଏଜେଣ୍ଡା କରିବାକୁ ଚାହୁଁଛି ।