ଭୁବନେଶ୍ୱର, ୧/୧୧ : ଗୋଟିଏ ବାତ୍ୟା ଜଳ ପ୍ରଳୟ ଓ ଭୂସ୍ଖଳନ ରଚାଇ ଓଡ଼ିଶାକୁ ବିପତ୍ତିରେ ପୋତି ଦେଇଛି। ମାଟି ତଳୁ ଜୀବନ ଖୋଜା ଚାଲିଛି, ପାଣି ବି ଛାଡ଼ି ନାହିଁ। ଉଜୁଡ଼ି ଯାଇଥିବା ଜୀବନ ଜୀବିକାକୁ ସାଉଁଟିବାକୁ ଉଦ୍ୟମ କରୁଛନ୍ତି ଲୋକେ। ଏଭଳି ସ୍ଥିତିରେ ଆଉ ଏକ ବାତ୍ୟା ମୁଣ୍ଡ ଟେକିଲାଣି। ପୁଣି ବିପତ୍ତିର ପାହାଡ଼ ଲଦିଦେବ ଓଡ଼ିଶା ଉପରେ ।

‘ଭୀଷଣ ବାତ୍ୟା’ ରୂପ ନେବ ଏ ବାତ୍ୟା । ଦକ୍ଷିଣ ଆନ୍ଧ୍ର ଉପକୂଳକୁ ମୁହାଁଇବ। କିନ୍ତୁ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୨ରୁ ୪ ତାରିଖ ପର୍ଯ୍ୟନ୍ତ ବର୍ଷା ଆଶଙ୍କା ଅଛି। ଯେଉଁଠି ଯୁଝୁଛନ୍ତି ଲୋକେ ସେଇ ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

Also Read :- ବଜ୍ରପାତରେ ଚାଲିଗଲା ମାଆ ଓ ୮ ମାସର ଶିଶୁପୁତ୍ରର ଜୀବନ, ଶୋକର ଛାୟା

ପାଣିପାଗ ପାଗ ବିଭାଗ ସ୍ପଷ୍ଟ କରିଛି, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇଛି। ଏହା ବିଳମ୍ବିତ ରାତି ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଗଭୀର ଅବପାତ ହେବା ସହ ରବିବାରକୁ ବାତ୍ୟାରେ ପରିଣତ ହେବା ଆଶଙ୍କା ଅଛି। ୨ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ) ରୂପ ନେଇପାରେ। ୩ ତାରିଖ ଭୋର ବେଳକୁ ଏହା ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖରେ ଥିବ। ୩ ତାରିଖ ସକାଳେ ଏହି ଭୀଷଣ ବାତ୍ୟା ଦକ୍ଷିଣ ଆନ୍ଧ୍ର ଉପକୂଳରେ ସ୍ଥଳଭାଗକୁ ପ୍ରବେଶ କରିପାରେ। ନେଲ୍ଲୋର-ନରସାପୁର ମଧ୍ୟରେ ଏହା ସ୍ଥଳଭାଗକୁ ମାଡ଼ କରିପାରେ। ସେତେବେଳେ ପବନ ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବା ସହ ଝଟକା ପବନ ୧୨୦ କିମି ପର୍ଯ୍ୟନ୍ତ ଯାଇପାରେ।

ଲ୍ୟାଣ୍ଡଫଲ୍ ପରେ ଏହା ଆନ୍ଧ୍ରର ସ୍ଥଳଭାଗକୁ ପ୍ରବେଶ କରିବା ସହ କ୍ରମଶଃ ଉତ୍ତର ଦିଗକୁ ମୁହାଁଇପାରେ ‘ଅର୍ଣ୍ଣବ’ ଭଳି। ଓଡ଼ିଶାରେ ସିଧା ମାଡ଼ ନ ହେଲେ ବି ଏହାର ବାହ୍ୟ ମଣ୍ଡଳ ଦକ୍ଷିଣ ଓଡ଼ିଶାକୁ ଘଷି ହୋଇ ଯାଇପାରେ। ତେଣୁ ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେବା ପରେ ନାମ ରହିବ ‘ମୁରାସୁ’। ଭାରତର ପ୍ରସ୍ତାବିତ ତାଲିକାରୁ ଏହି ନାମ ନିଆଯାଇଛି। ଏହା ଏକ ତାମିଲ ନାମ। ରାଜା ରାଜୁଡ଼ା ସମୟରେ ରାଜ୍ୟବାସୀଙ୍କ ପାଇଁ କରାଯାଉଥିବା ଘୋଷଣାବେଳେ ଯେଉଁ ବାଦ୍ୟ ଯନ୍ତ୍ର (ବାଜା) ବ୍ୟବହାର ହେଉଥିଲା, ତାହାକୁ ‘ମୁରାସୁ’ କୁହାଯାଇଥାଏ।