ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର 'ଉତ୍ତର କରିଡର'କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ଉତ୍ତର ଏବଂ ପୂର୍ବ ଭାରତର ଅନେକ ପ୍ରମୁଖ ସହରଗୁଡ଼ିକୁ ଯୋଡ଼ିବ। ରେଳମନ୍ତ୍ରୀ କହିଛନ୍ତି ଯେ, ଏହି ବୁଲେଟ୍ ଟ୍ରେନ୍ ଦିଲ୍ଲୀରୁ ବାହାରି ଆଗ୍ରା, କାନପୁର, ଲକ୍ଷ୍ନୌ, ଆଯୋଧ୍ୟା, ବାରାଣସୀ, ପ୍ରୟାଗରାଜ, ପାଟନା ଏବଂ ସିଲିଗୁଡ଼ି ହୋଇ ଗୌହାଟି ପର୍ଯ୍ୟନ୍ତ ଯିବ । ଏହି ପ୍ରକଳ୍ପ ଦ୍ୱାରା ଦେଶର ବଡ଼ ବଡ଼ ସହରଗୁଡ଼ିକ ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇବ ।

ସେ କହିଛନ୍ତି ଯେ, ଏହି ବୁଲେଟ୍ ଟ୍ରେନ୍ ଯୋଜନା ଯୁବବର୍ଗ, ମଧ୍ୟବିତ୍ତ ପରିବାର ଏବଂ କ୍ଷୁଦ୍ର ଶିଳ୍ପରେ କାର୍ଯ୍ୟରତ କାରିଗରମାନଙ୍କ ପାଇଁ  ସୁଯୋଗ ସୃଷ୍ଟି କରିବ। ଏହି ପ୍ରକଳ୍ପର ନିର୍ମାଣ ପାଇଁ ସ୍ବଦେଶୀ ଜ୍ଞାନକୌଶଳ ଉପରେ ସରକାର ପ୍ରାଥମିକତା ଦେଉଛନ୍ତି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବୁଲେଟ୍ ଟ୍ରେନ୍‌ର ଖମ୍ବ ଏବଂ ଗାର୍ଡର ସମେତ ସମସ୍ତ ନିର୍ମାଣ କାର୍ଯ୍ୟ ଭାରତର ନିଜସ୍ୱ ଦକ୍ଷତାରେ ହେବ।

ବୁଲେଟ୍‌ ଟ୍ରେନ ଚାଲିଲେ ବିଭିନ୍ନ ସହରକୁ ସମ୍ଭାବ୍ୟ ଯାତ୍ରା ସମୟ

ଦିଲ୍ଲୀରୁ କାନପୁର: ମାତ୍ର ୧ ଘଣ୍ଟା ୪୫ ମିନିଟ୍

ଦିଲ୍ଲୀରୁ ଆଗ୍ରା:  ୫୯ ମିନିଟ୍

ଦିଲ୍ଲୀରୁ ଲକ୍ଷ୍ନୌ: ୨ ଘଣ୍ଟା ୧୨ ମିନିଟ୍

ଲକ୍ଷ୍ନୌରୁ ବାରାଣସୀ: ୧ ଘଣ୍ଟା ୨୧ ମିନିଟ୍

ବାରାଣସୀରୁ ଦିଲ୍ଲୀ: ୩ ଘଣ୍ଟା ୩୫ ମିନିଟ୍

ରେଳମନ୍ତ୍ରୀ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଅନୁମୋଦିତ ବୁଲେଟ୍ ଟ୍ରେନ୍‌ର ଉତ୍ତର କରିଡର ବହୁ ଲୋକଙ୍କ ଜୀବନଶୈଳୀ ବଦଳାଇ ଦେବ। ଯୁବ ସମାଜ, ମଧ୍ୟବିତ୍ତ ବର୍ଗ ଏବଂ କ୍ଷୁଦ୍ର କାରିଗରମାନଙ୍କୁ ବିଶେଷ ଭାବରେ ଲାଭାନ୍ୱିତ କରିବ।