କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଶନିବାର ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି। ଅହମଦାବାଦରୁ କୋଲକାତା ଆସିଥିବା ଅକାସା ଏୟାରର ଏକ ଉଡାଣ ଏୟାରପୋର୍ଟରେ ଅବତରଣ କାଳରେ ଏହାର ପଶ୍ଚାତ ଭାଗ ରନୱେରେ ପିଟି ହୋଇଯାଇଛି। ଏହାକୁ ଏଭିଏସନ ଭାଷାରେ ‘ଟେଲ ଷ୍ଟ୍ରାଇକ୍’ କୁହାଯାଏ। ପୂର୍ବାହ୍ନ ପାଖାପାଖି ୭ଟା ୪୦ ମିନିଟ୍ ରେ ବିମାନ ଅବତରଣ କାଳରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ ଏୟାରପୋର୍ଟରେ ଟେଲ ଷ୍ଟ୍ରାଇକ୍ କରିଥିବା ବିମାନଟି ଏକ ବୋଇଂ ୭୩୭ ମ୍ୟାକ୍ସ-୮ଥିଲା, ଯାହାର ଉଡାଣ ସଂଖ୍ୟା କ୍ୟୁପି-୧୯୨୫। ତେବେ ଏହି ଘଟଣାରେ କୌଣସି ପ୍ରକାରର ଧନଜୀବନ ହାନୀ ହୋଇ ନାହିଁ। ସବୁ ଯାତ୍ରୀ ସୁରକ୍ଷିତ ଥିଲେ ଓ ସେମାନେ ସ୍ୱଭାବିକ ବିମାନରୁ ଓହ୍ଲାଇଛନ୍ତି। ଏ ନେଇ ଅକାସା ଏୟାର ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଅହମଦାବାଦରୁ ଆସିଥିବା ଫ୍ଲାଇଟ୍ କୋଲକାତାରେ ଲ୍ୟାଣ୍ଡ କରିବା ବେଳେ ତାକୁ ଥରେ ଗୋ ଆରାଉଣ୍ଡ ଅର୍ଥାତ ଆକାଶରେ ଚକ୍କର ଲଗାଇବାକୁ ପଠା ଯାଇଥିଲା। ଦ୍ୱିତୀୟବାର ଅବତରଣ କାଳରେ ଏଭଳି ଘଟଣା ଘଟିଛି।

ବୟାନ ଅନୁସାରେ ଲ୍ୟାଣ୍ଡିଂ ପରେ କରାଯାଇଥିବା ଯାଞ୍ଚରେ ଜଣାପଡିଛି ଯେ ବିମାନର ପଶ୍ଚାତ ଭାଗ ରନୱେ ସମ୍ପର୍କରେ ଆସିଥିଲା। ଏଥି ପାଇଁ ଥିବା ନିୟମ ଓ ପ୍ରୋଟକଲ ଅନୁସାରେ ସମ୍ପର୍କିତ ଅଧିକାରୀଙ୍କୁ ଏହାର ସୂଚନା ଦିଆଯାଇଛି ଓ ଘଟଣାର ତଦନ୍ତ ଜାରି ରହିଛି। ତେବେ ଏହି ଘଟଣା ବେଳେ ବିମାନରେ କେତେ ଯାତ୍ରୀ ଓ ଚାଳକ ଦଳ ସଦସ୍ୟ ଥିଲେ ତାର ସ୍ପଷ୍ଟ ସୂଚନା ମିଳି ନାହିଁ। ହେଲେ ଘଟଣା ପରେ ବିମାନକୁ କୋଲକାତା ଏୟାରପୋର୍ଟରେ ସୁରକ୍ଷିତ ଛିଡା କରାଯାଇଛି। ଇଞ୍ଜିନିୟର ଓ ଟେକ୍ନିକାଲ ଟିମ୍ ଏହାର ଯାଞ୍ଚ କରୁଛନ୍ତି।