ଲମତାପୁଟ: ବଜ୍ରପାତ ନେଇଗଲା ମାଆ ଓ ୮ ମାସର ଶିଶୁପୁତ୍ରଙ୍କ ଜୀବନ। ଘରେ ପୁଅକୁ କୋଳରେ ଧରି ଖେଳାଉଥିବା ବେଳେ ଅଚାନକ ବଜ୍ରପାତ ଘଟି ଉଭୟଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କସନ୍ଦୀ ପଞ୍ଚାୟତ ଅନ୍ତର୍ଗତ ରେଢ଼ାପୁଟ ଗ୍ରାମରେ ଶନିବାର ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ୨୬ ବର୍ଷୀୟା ତୁଳାବତି ଗୁଞ୍ଜୀଆ ଓ ତାଙ୍କ ୮ ମାସର ପୁଅ ଧୀରଜ।

ସୂଚନା ଅନୁଯାୟୀ, ଶନିବାର ତୁଳାବତି ନିଜ ଘରେ ୮ ମାସର ପୁଅକୁ କୋଳରେ ଧରି ଖେଳାଉଥିଲେ। ଏହି ସମୟରେ ଅଚାନକ ବଜ୍ରପାତ ହେବାରୁ ମାଆ ଓ ପୁଅ ଉଭୟ ଅଚେତ ହୋଇପଡ଼ିଥିଲେ। ଖବର ପାଇ ତୁଳାବତିଙ୍କ ସ୍ୱାମୀ ରେଲି କଟିଆ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଉପସ୍ଥିତ ଡାକ୍ତର ମାଆ ଓ ଶିଶୁପୁତ୍ରଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ତୁଳାବତି ନନ୍ଦପୁର ବ୍ଲକ ମିଶନ ଶକ୍ତି ବିଭାଗରେ ସିଆରପି (CRP) ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରା, ଭାରପ୍ରାପ୍ତ ସିଡିପିଓ ହରପ୍ରିୟା ବେହେରା, ମିଶନ ଶକ୍ତି ବିଏଲସି ବିଚିତ୍ର ରାଉତ ଓ ଶ୍ରୀଧର ଜାନି ପ୍ରମୁଖ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Also Read: ପିଜା ତିଆରି ବେଳେ କାଫେରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୦ ଲକ୍ଷ ଟଙ୍କାର ସାମଗ୍ରୀ

ଅନ୍ୟପଟେ, ଡାକ୍ତରଙ୍କ ଏମଏଲସି ରିପୋର୍ଟ ଓ ମୃତକଙ୍କ ସ୍ୱାମୀଙ୍କ ଏତଲା ଆଧାରରେ ନନ୍ଦପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଉଭୟଙ୍କ ମୃତଦେହକୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶବଗୃହରେ ରଖାଯାଇଛି। ରବିବାର ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।