ନୂଆଦିଲ୍ଲୀ, ୧/୧୧ : ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ରଦ୍ଦ କରିବା ଏବଂ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ରବିବାର ଇଣ୍ଡି ମେଣ୍ଟ ପକ୍ଷରୁ ନୂଆଦିଲ୍ଲୀରେ ଦିଲ୍ଲୀ ଚଲୋ ମାର୍ଚ୍ଚ ଆୟୋଜିତ ହେବ। ଏଥିରେ ୨୧ଟି ରାଜନୈତିକ ଦଳର ନେତା ଓ କର୍ମୀଙ୍କ ସମେତ ବିଭିନ୍ନ ନାଗରିକ ସମାଜ, ଛାତ୍ର ସଂଘ, ଶ୍ରମିକ ଓ କୃଷକ ସଙ୍ଗଠନର କାର୍ଯ୍ୟକର୍ତ୍ତା ଯୋଗଦେବେ । ପ୍ରାୟ ୧୦ ଲକ୍ଷ ଲୋକ ଏକାଠି ହେବେ ବୋଲି କୁହାଯାଉଛି। ଏଥିପାଇଁ ପୋଲିସ ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛି । ଚାରି ହଜାରରୁ ଅଧିକ ପୋଲିସ କର୍ମୀ ସୁରକ୍ଷା ପାଇଁ ନିୟୋଜିତ ହେବା ସହ ସମସ୍ତ ଅଞ୍ଚଳ ସିସିଟିଭି ନଜରରେ ରହିବ ।

ସୂଚନା ଅନୁସାରେ ମଧ୍ୟାହ୍ନ ୧୨ଟାରେ ଦିଲ୍ଲୀ ଚଲୋ ମାର୍ଚ୍ଚ ଆରମ୍ଭ ହେବ। ମିଣ୍ଡୋ ରୋଡ୍ ଓ କନ୍ନଟ ପ୍ଲେସ୍ ଜଙ୍କସନରୁ ଏହି ମାର୍ଚ୍ଚ ଆରମ୍ଭ ହୋଇ ଅଜମେରୀ ଗେଟ୍ ଦେଇ ରାମଲୀଳା ମଇଦାନ ପର୍ଯ୍ୟନ୍ତ ଯିବ। ଏହା ପରେ ରାମଲୀଳା ମଇଦାନରେ ବିଶାଳ ସମାବେଶ କରାଯିବ। ଏଥିରେ ୨୧ଟି ରାଜନୈତିକ ଦଳର ପ୍ରାୟ ୩୦ ଜଣ ବକ୍ତା ଉଦବୋଧନ ଦେବେ। ଏଥିସହ ନାଗରିକ ସାମାଜ ଓ ବିଭିନ୍ନ ଗଣସଙ୍ଗଠନର ନେତାମାନେ ମଧ୍ୟ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ । ସିଜେପି (କକରୋଚ ଜନତା ପାର୍ଟି) ଓ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସଏ )ମଧ୍ୟ ଏହି ରାଲିକୁ ସମର୍ଥନ କରିଛନ୍ତି।

Also Read :- ଆସୁଛି 'ମୁରାସୁ' : ଆଜି ନେବ ବାତ୍ୟାର ରୂପ, ଅତି ଭୀଷଣ ରୂପରେ ମାଡ଼ି ଆସିବ !

ଏହି ରାଲିରେ ବହୁ ସଂଖ୍ୟାରେ ସାମିଲ ହେବାକୁ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି। ସେ କହିଛତି ଏହା ଏକାଧିକ ଆନ୍ଦୋଳନ ନୁହେଁ । ଏକକ ଆନ୍ଦୋଳନ। ପ୍ରତ୍ୟେକ ଭାରତୀୟଙ୍କ ଭୋଟକୁ ସୁରକ୍ଷିତ ରଖିବା ଏବଂ ସମ୍ବିଧାନ ରକ୍ଷା କରିବା ପାଇଁ ସମସ୍ତ ବିରୋଧୀ ଦଳ ଏକାଠି ହୋଇଛନ୍ତି ବୋଲି ରାହୁଲ କହିଛନ୍ତି। ମହାରାଲିକୁ ସଫଳ କରିବା ନେଇ କଂଗ୍ରେସ ସମସ୍ତ ଶକ୍ତି ଲଗାଇ ଦେଇଛି। ସଫଳ ଆୟୋଜନ ଲାଗି ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ ୨୦ଟି ଟିମ୍ ଗଠନ କରିଛନ୍ତି । ନେତା ଓ କର୍ମୀଙ୍କ ରହଣୀ, ମଞ୍ଚ ପ୍ରସ୍ତୁତି, ଆୟୋଜନ ସ୍ଥଳର ବ୍ୟବସ୍ଥା, ପରିସ୍କାର ପରିଚ୍ଛନ୍ନତା ଠାରୁ ଆରମ୍ଭ କରି ଇଣ୍ଟରନେଟ ଓ ମିଡିଆ ପର୍ଯ୍ୟନ୍ତ ସବୁ କମିଟିକୁ ଭିନ୍ନ ଭିନ୍ନ ଦାୟିତ୍ବ ଦିଆଯାଇଛି। କଂଗ୍ରେସ ଦାବି କରିଛି କି ଏହି ରାଲିରେ ସମଗ୍ର ଦେଶରୁ ପ୍ରାୟ ୧୦ ଲକ୍ଷ ଲୋକ ସାମିଲ ହେବେ। ରାମଲୀଳା ମଇଦାନ ପର୍ଯ୍ୟନ୍ତ ଲୋକମାନଙ୍କୁ ପହଞ୍ଚାଇବା ଲାଗି କଂଗ୍ରେସ ପକ୍ଷରୁ ଶତାଧିକ ବସ୍ର ବ୍ୟବସ୍ଥା କରାଯାଇଛି।

ସମାବେଶ ଲାଗି ରାମଲୀଳା ମଇଦାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିରୋଧୀଙ୍କ ଏହି ମାର୍ଚ୍ଚ ଓ ମହାରାଲିକୁ ନେଇ ଦିଲ୍ଲୀ ପୁଲିସ ଆଲର୍ଟରେ ରହିଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରାଲି ହେବାକୁ ଥିବା ରୁଟରେ ବହୁସଂଖ୍ୟକ ପୁଲିସ ମୁତୟନ କରାଯାଇଛି। ଦିଲ୍ଲୀ ପୁଲିସ କମିଶନର ନିଜେ ସୁରକ୍ଷା ବ୍ୟବସ୍ଥାର ଲଗାତାର ଭାବେ ତଦାରଖ କରୁଛନ୍ତି। ବରିଷ୍ଠ ଅଧିକାରୀଙ୍କ ଟିମ୍ ସହ ସେ ମିଣ୍ଡୋ ବ୍ରିଜରୁ ରାମଲୀଳା ମଇଦାନ ପର୍ଯ୍ୟନ୍ତ ଚାଲିଚାଲି ସୁରକ୍ଷା ସ୍ଥିତି ପରଖିଛନ୍ତି । ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି କି ରାମଳୀଳା ମଇଦାନରେ ରାଲି ପାଇଁ ଅନୁମତି ଦିଆଯାଇଛି। କିନ୍ତୁ କନ୍ନଟ ପ୍ଲେସରୁ ମାର୍ଚ୍ଚ ଲାଗି କୌଣସି ଅନୁମତି ଦିଆଯାଇନାହିଁ । ସିପିଏମ୍ ରାଜ୍ୟସଭା ସାଂସଦ ଜନ ବ୍ରିଙ୍ଗସ କହିଛନ୍ତି ମହାରାଲିରେ ୧୦ ଲକ୍ଷ ଲୋକ ସାମିଲ ହେବେ।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ହରିନଗରରେ ପ୍ରତିବାଦ ରାଲି କରାଯିବ। ଏହି ରାଲିରେ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ପ୍ରଭାବିତ ପରିବାରର ଯୋଗଦେବାର ସମ୍ଭାବନା ରହିଛି। ରବିବାର ଶିଖ୍ ବିରୋଧୀ ଦଙ୍ଗାର ବର୍ଷ ପୂର୍ତିକୁ ଦୃଷ୍ଟିରେ ରଖି ବିଜେପି ଏହି ରାଲିର ଆୟୋଜନ କରିଛି। ୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ଦେଶବ୍ୟାପୀ ଶିଖ୍ ବିରୋଧୀ ଦଙ୍ଗା ହୋଇଥିଲା। ଏଥିରେ କଂଗ୍ରେସ ନେତାମାନେ ସମ୍ପୃକ୍ତ ଥିବା ବିଜେପି ଅଭିଯୋଗ କରିଥିଲା। ଏଥିସହ ବିଜେପି ପକ୍ଷରୁ ପଦଯାତ୍ରାର ଆୟୋଜନ କରାଯାଇଛି।