ଭୁବନେଶ୍ୱର ୦୧।୧୧ : ବାତ୍ୟାର ପ୍ରଭାବରେ ବ୍ରହ୍ମପୁର ସହରରେ ବ୍ୟାହତ ହୋଇଛି ଜଳଯୋଗାଣ ବ୍ୟବସ୍ଥା। ସ୍ୱାଭାବିକ ଜଳଯୋଗାଣ ଫେରାଇ ଆଣିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜରୁରୀକାଳୀନ ପଦକ୍ଷେପ ନିଆଯାଇଛି । ଜନିଭିଲି ଇନ୍ଟେକ୍ର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ ଲୋକଙ୍କ ଜଳକଷ୍ଟ ଦୂର କରିବାକୁ ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇଛି।

ବିଭାଗର ତଥ୍ୟ ଅନୁସାରେ, ବ୍ରହ୍ମପୁର ସହରରେ ଦୈନିକ ୯୦ ନିୟୁତ ଲିଟର ବା ୯୦ ଏମ୍ଏଲ୍ଡି ଜଳର ଆବଶ୍ୟକତା ରହିଛି। କିନ୍ତୁ ବର୍ତ୍ତମାନ ୭୦ ଏମ୍ଏଲ୍ଡି ଜଳ ଯୋଗାଣ ହେଉଛି। ଏଥିରୁ ୬୪ ଏମ୍ଏଲ୍ଡି ଭୂପୃଷ୍ଠ ଜଳ ଉତ୍ସରୁ ଏବଂ ୧୫ଟି ଉତ୍ପାଦନ କୂପ ମାଧ୍ୟମରେ ଅତିରିକ୍ତ ୬ ଏମ୍ଏଲ୍ଡି ଜଳ ଯୋଗାଇ ଦିଆଯାଉଛି। ଅର୍ଥାତ୍ ସହରର ଦୈନିକ ଆବଶ୍ୟକତା ତୁଳନାରେ ୨୦ ଏମ୍ଏଲ୍ଡି ଜଳର ଅଭାବ ରହିଛି।

ପ୍ରଭାବିତ ଅଞ୍ଚଳରେ ଜଳଯୋଗାଣ ପାଇଁ ମୋଟ ୨୦ଟି ଟ୍ୟାଙ୍କର ନିୟୋଜିତ ହୋଇଛି। ଏଥିରେ ୧୨ଟି ଘରୋଇ ଟ୍ୟାଙ୍କର ରହିଛି। ଅନ୍ୟପକ୍ଷରେ, ହିଞ୍ଜିଳିକାଟୁ ଓ ଗୋପାଳପୁରରେ ଜଳଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ରହିଛି। ଜନିଭିଲି ଇନ୍ଟେକ୍ର ପୁନରୁଦ୍ଧାରକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଇନ୍ଟେକ୍ ନିକଟସ୍ଥ କନେକ୍ଟିକଟ୍ ନାଳାରେ ବାଲିବସ୍ତାର ଅସ୍ଥାୟୀ ବନ୍ଧ ନିର୍ମାଣ କରି ଜଳପ୍ରବାହ ନିୟନ୍ତ୍ରଣ କରାଯାଉଛି। ଏହାଦ୍ୱାରା ଇନ୍ଟେକ୍ର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ।

Also Read:-ବଢିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ : ଦୀପାବଳି ପୂର୍ବରୁ ଲାଗିଲା ଝଟକା

ନଭେମ୍ବର ୧ ତାରିଖ ସକାଳ ୫ଟାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟରେ ପ୍ରାୟ ୧୨୦ ଜଣ ଶ୍ରମିକ, ୩ଟି ଏକ୍ସକାଭେଟର ଓ ୨ଟି ଟ୍ରାକ୍ଟର ନିୟୋଜିତ ହୋଇଛନ୍ତି। ଅସ୍ଥାୟୀ ବନ୍ଧ ନିର୍ମାଣ ପାଇଁ ପ୍ରାୟ ୨୦ ହଜାର ବାଲିବସ୍ତା ବ୍ୟବହାର କରିବାକୁ ଯୋଜନା ରହିଛି। ରାତିରେ ମଧ୍ୟ କାମ ଜାରି ରଖିବା ପାଇଁ ଆଲୋକୀକରଣ, ବିଦ୍ୟୁତ୍, ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା କରାଯାଇଛି।

ବାଲିବନ୍ଧ ନିର୍ମାଣ ଶେଷ ହୋଇ ଜଳପ୍ରବାହ ନିୟନ୍ତ୍ରଣକୁ ଆସିବା ପରେ ଇନ୍ଟେକ୍ର ସଫେଇ, ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ବାତ୍ୟା ପରବର୍ତ୍ତୀ ସମୟରେ ପାନୀୟ ଜଳର ଗୁଣବତ୍ତା ବଜାୟ ରଖିବା ପାଇଁ ଜଳ ବିଶୋଧନାଗାରଗୁଡ଼ିକରେ କ୍ଲୋରିନେସନ୍ ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ବିଭାଗ ପକ୍ଷରୁ ପ୍ରି-କ୍ଲୋରିନେସନ୍, ପୋଷ୍ଟ-କ୍ଲୋରିନେସନ୍ ଓ ବିତରଣ ବ୍ୟବସ୍ଥାର ଶେଷଭାଗରେ ଜଳର ଗୁଣବତ୍ତା ଉପରେ ନଜର ରଖାଯାଉଛି।

ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରବିନ୍ଦ ଡାକୁଆ ଏବଂ ୱାଟକୋର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସହ ସମନ୍ୱୟ ରଖି ଜଳଯୋଗାଣ ବ୍ୟବସ୍ଥାକୁ ଶୀଘ୍ର ସ୍ୱାଭାବିକ କରିବା ଉପରେ ବିଭାଗ ଗୁରୁତ୍ୱ ଦେଉଛି। ବ୍ରହ୍ମପୁରବାସୀଙ୍କ ଜଳକଷ୍ଟ ଦୂର କରିବା ସହ ନିରାପଦ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଏବେ ବିଭାଗର ପ୍ରମୁଖ ଲକ୍ଷ୍ୟ।