ଭୁବନେଶ୍ୱର, ୨୬/୧୦ : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ୨୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ବେଗରେ ପବନ ମାଡ଼ ହେବ। ୨୦୦ରୁ ୩୦୦ ମିଲିମିଟର ଯାଏ ବର୍ଷା ଢାଳିବ। ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଦକ୍ଷିଣ ଓଡ଼ିଶାରେ ପବନର ବେଗ ୧୦୦ କିମି ଛୁଇଁପାରେ। ଆଇଏମଡି ଜାରି କରିଥିବା ମ୍ୟାପ୍ରୁ ଏମିତି ଇସାରା ମିଳୁଛି। ପାଣିପାଗ ବିଶେଷଜ୍ଞମାନେ ବି ଏଭଳି ପୂର୍ବାନୁମାନ ଦେଇଛନ୍ତି। କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ପୂରା ଓଡ଼ିଶାରେ ପ୍ରବଳ ବର୍ଷା ହେବ। ୨୭ ଓ ୨୮ ତାରିଖ ଦୁଇ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି।

ଏଥି ସହ ଅନ୍ୟ ଏକ ପାଣିପାଗ ମଡେଲ୍ ଦର୍ଶାଇଛି ଯେ ବାତ୍ୟା ଆନ୍ଧ୍ର ଛୁଇଁଲା ବେଳକୁ ଓଡ଼ିଶା ଭିତରକୁ ଆଉ ଏକ ଲଘୁଚାପ ପଶିବ। ଗୋପାଳପୁରରୁ ପାରାଦୀପ ଭିତରେ ଏହି ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବ୍ୟାପକ ବର୍ଷା ହେବ ବୋଲି ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ସିଧାସଳଖ ମାଡ଼ ହେବନି ବୋଲି ଆଇଏମଡି ଡିଜି କହିଛନ୍ତି। କିନ୍ତୁ ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ୨୭ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିପାରେ। ୨୮ ତାରିଖ ରାତି ବେଳକୁ ବାତ୍ୟା ଦକ୍ଷିଣ ଓଡ଼ିଶାର ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲା ଉପର ଦେଇ ଯିବ। ସେବେ ଘଣ୍ଟା ପ୍ରତି ୬୦ରୁ ୭୦ କିମି ବେଗରେ ପବନ ବହିପାରେ। ୨୮ ତାରିଖ ଦିନ ୧୦ଟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ( ଅତି ଭୀଷଣ ବାତ୍ୟା) ରୂପରେ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ର ଉପକୂଳ କାକିନାଡ଼ା ପାଖରେ ଲ୍ୟାଣ୍ଡଫଲ କରିବ। ସେବେ ପବନର ବେଗ ୧୪୦ କିମି ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି । କିନ୍ତୁ ଆମେରିକାର ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର (ଜେଟିଡବଲୁସି) ଆକଳନ କହୁଛି, ୨୮ ତାରିଖରେ ଏହା ଅତି ଭୀଷଣ ବାତ୍ୟା ରୂପ ନେବ ସତ, କିନ୍ତୁ ଲ୍ୟାଣ୍ଟ୍ଫଲ ବେଳକୁ ପବନର ବେଗ ୧୧୦ କିମିକୁ ଖସି ଆସିବ।

ଆଇଏମଡି ବୁଲେଟିନ୍ ଅନୁସାରେ, ସୋମବାର ସକାଳ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ। ୨୭ ତାରିଖରେ ଭୀଷଣ ବାତ୍ୟା ରୂପ ନେବ । ରାତି ସାଢ଼େ ୧୧ଟା ବେଳକୁ କାକିନାଡ଼ାର ଦକ୍ଷିଣରେ ମଛଲିପଟ୍ଟନମଠାରୁ କିଛି ଦୂରରେ ସମୁଦ୍ର ଭିତରେ ଥିବ। ସେବେ ବାତ୍ୟାର ମଝି ବଳୟରେ ପବନର ବେଗ ୧୧୫ରୁ ୧୨୫ କିମି ରହିବ । ପବନର ଝଟକା (ଗଷ୍ଟିଙ୍ଗ୍) ୧୪୦ କିମି ଛୁଇଁ ଯାଇପାରେ।ସମୁଦ୍ରରୁ ଅଧିକ ବଳ ଜୁଟାଇ ୨୮ ତାରିଖରେ ‘ଅର୍ଣ୍ଣବ’ ଅତି ଭୀଷଣ ବାତ୍ୟା ରୂପ ନେବ। ଦିନ ୧୦ଟାରୁ ୧୧ଟା ଭିତରେ ଏହା ଆନ୍ଧ୍ର ପ୍ରଦେଶ ଓ ୟାନମ୍ ଉପକୂଳ ପାଖରେ ବାପାଟଲା ଓ ବିଶାଖାପାଟଣା ମଝିରେ ଲ୍ୟାଣ୍ଡଫଲ୍ କରିପାରେ।

ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, ବାତ୍ୟା ପ୍ରଭାବରେ ସୋମବାରଠାରୁ ରାଜ୍ୟରେ ପାଗ ବଦଳିବ। ଆକାଶକୁ କଳା ବାଦଲ ଘୋଟିବା ସହ ସନ୍ଧ୍ୟା ବେଳକୁ ବର୍ଷା ହୋଇପାରେ। ଉପକୂଳ ଅଞ୍ଚଳରେ ୩୦ରୁ ୪୦ କିମି ବେଗରେ ପବନ ବହିବ। ୨୭ତାରିଖରୁ ବର୍ଷା ବଢ଼ିବ। ୨୮ ତାରିଖରୁ ପୂରା ଓଡ଼ିଶାରେ ପ୍ରବଳ ବର୍ଷା ହେବ । ସମ୍ଭାବ୍ୟ ବାତ୍ୟା କାକିନାଡ଼ା ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ। କିନ୍ତୁ ଏହା କ୍ରମଶଃ ଦୁର୍ବଳ ହୋଇ ୨୮ ତାରିଖ ସକାଳ ଯାଏ ପ୍ରାୟତଃ ସ୍ଥିର ରହିବ। ପରେ ଉତ୍ତର ଦିଗକୁ ଗତି କରି ନବରଙ୍ଗପୁର-ଛତିଶଗଡ଼ ସୀମା ଦେଇ ସୁନ୍ଦରଗଡ଼ ଆଡ଼କୁ ଯିବ । ୨୯ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ସୁନ୍ଦରଗଡ଼ ପାଖରେ ପହଞ୍ଚିପାରେ।

Also Read :- ଅଭିଜିତ ଦୀପକେ ଓ ତାଙ୍କ କକ୍ରୋଚ ଜନତା ପାର୍ଟିର ଅନ୍ତ ହେଲା କ୍ୟାରିୟର, ଜାଣନ୍ତୁ କ’ଣ କହିଲେ ମାର୍କଣ୍ଡେୟ କାଟଜୁ

ସେପଟେ ତାମିଲନାଡୁ ପାଖରେ ଥିବା ଲଘୁଚାପ କ୍ଷେତ୍ର ୨୮ ତାରିଖ ଦିନବେଳା ଗଞ୍ଜାମର ଦକ୍ଷିଣରୁ ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଉପକୂଳ ଅତିକ୍ରମ କରିବ। ଏହି ଦୁଇ ସିଷ୍ଟମ୍ ପ୍ରଭାବରେ ୨୬ ରାତିରୁ ୨୯ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୨୮ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଗଜପତି, ଜଗତସିଂହପୁର ଓ ନୟାଗଡ଼ରେ ଘଣ୍ଟାପ୍ରତି ୮୦ରୁ ୧୦୦ କିମି ବେଗରେ ପବନ ବହିପାରେ । ୨୬ରୁ ୨୮ ଯାଏ ଦକ୍ଷିଣ ଓଡ଼ିଶା ସମେତ ନୂଆପଡ଼ା, କନ୍ଧମାଳ ଓ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୨୮ ଓ ୨୯ରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି ବୋଲି ଶ୍ରୀ ସାହୁ କହିଛନ୍ତି।