• ଦୀପକେ ଓ ତାଙ୍କ ସାଥୀମାନେ ପିସ୍ ବଣ୍ଡ ସାଇନ କରିବା ଦ୍ୱାରା ସେମାନଙ୍କସାର୍ବଜନିକକ୍ୟାରିୟର ସମାପ୍ତ ହୋଇଛି
  • କାରଣ ଜନତାଙ୍କ ନଜରରେ ସେମାନଙ୍କ ସବୁ କ୍ରେଡିବିଲିଟି ସମାପ୍ତ ହୋଇଯାଇଛି
  • ସେମାନେ ବିରୋଧ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେବେନାହିଁ ବୋଲି କୋର୍ଟରେ ଆଫିଡେଭିଟ୍ ଦାଖଲ କରିଥିଲେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ତଥା ସୋସିଆଲ ମିଡିଆରେ ଲଗାତାର ଚର୍ଚ୍ଚାରେ ରହୁଥିବା ଜଷ୍ଟିସ୍ ମାର୍କଣ୍ଡେୟ କାଟଜୁ କକ୍ରୋଚ ଜନତା ପାର୍ଟିର ଅଭିଜିତ ଦୀପକେ ଓ ତାଙ୍କର ୪ ସାଥୀ ପିସ୍ ବଣ୍ଡ ସାଇନ କରିବା ନେଇ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଜଷ୍ଟିସ୍ କାଟଜୁ କହିଛନ୍ତି ଯେ ଦୀପକେ ଓ ତାଙ୍କ ସାଥୀମାନେ ପିସ୍ ବଣ୍ଡ ସାଇନ କରିବା ଦ୍ୱାରା ସେମାନଙ୍କ ସାର୍ବଜନିକ କ୍ୟାରିୟର ସମାପ୍ତ ହୋଇଛି। ତେବେ ସେ ଅଖିଳ ଭାରତୀୟ ଷ୍ଟୁଡେଣ୍ଟ ଆସୋସିଏସନ( ଏଆଇଏସଏ) ନେତ୍ରୀ ନେହା ବୋରା ଏହି ବଣ୍ଡ ସାଇନ୍ କରୁନଥିବାରୁ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। କାଟଜୁ କହିଛନ୍ତି ଯେ ସେ ନେହାଙ୍କୁ ସମ୍ମାନ କରନ୍ତି।

ଏ ନେଇ ଜଷ୍ଟିସ୍ କାଟଜୁ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି ଯେ କକ୍ରୋଚ ଜନତା ପାର୍ଟି (ସିଜେପି)ର ୪ ଟପ ଲିଡର ଅଭିଜୀତ ଦୀପକେ, ସୌରଭ ଦାସ, ଆଶୁତୋଷ ରାଂକା ଓ ଆଜିଂକ୍ୟ ସିନ୍ଦେ ସମସ୍ତେ ପିସ୍ ବଣ୍ଡ ସାଇନ କରିଛନ୍ତି। ଏହାର ଅର୍ଥ ହେଉଛି ସେମାନେ ଆଗକୁ କୌଣସି ପ୍ରକାରର ସାର୍ବଜନିକ ପ୍ରଦର୍ଶନରେ ସାମିଲ ହୋଇ ପାରିବେନି। ଯଦି ସେମାନେ ଏପରି କରନ୍ତି ତେବେ ପୋଲିସ ସେମାନଙ୍କ ବିରୋଧରେ ଶାନ୍ତି ଭଙ୍ଗ କରି ବଣ୍ଡ ଭାଙ୍ଗିଥିବା ଅଭିଯୋଗ ଆଣିବ। ଏହା ପରେ ସେମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେଲରେ ବିତାଇବାକୁ ପଡିବ।

ସୁପ୍ରିମକୋର୍ଟଙ୍କ ପୂର୍ବତନ ଜଜ ଆଶଙ୍କା ପ୍ରକାଶ କରିଛନ୍ତି ଯେ ପିସ୍ ବଣ୍ଡ ସ୍ୱାକ୍ଷର କରିବା କାରଣରୁ ସେମାନଙ୍କ ସାର୍ବଜନିକ କ୍ୟାରିୟର ଏବେ ସମାପ୍ତ ହୋଇଯାଇଛି। କାରଣ ଜନତାଙ୍କ ନଜରରେ ସେମାନଙ୍କ ସବୁ କ୍ରେଡିବିଲିଟି ସମାପ୍ତ ହୋଇଯାଇଛି। ତେବେ ସେମାନଙ୍କୁ ଏବେ ସରକାରଙ୍କ ସହଯୋଗୀ ମନେ କରାଯିବ। ଯେପରି ବ୍ରିଟିଶ ଅଧିକାରୀମାନେ କରୁଥିଲେ ଓ କ୍ଷମା ମାଗିଲେ ଛାଡି ଦେଉଥିଲେ। ତେବେ ଜଷ୍ଟିସ୍ କାଟଜୁ ନେହା ବୋରାଙ୍କୁ ତାରିଫ କରିଛନ୍ତି। ସେ ଲେଖିଛନ୍ତି ଯେ ମୁଁ କେବଳ ନେହା ବୋରାଙ୍କୁ ସମ୍ମାନ କରୁଛି, କାରଣ ସେ ପିସ୍ ବଣ୍ଡ ସ୍ୱାକ୍ଷର କରିବାକୁ ସଫାସଫା ମନା କରିଦେଇଛନ୍ତି। କାରଣ ସେ କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ତାଙ୍କ ସାମ୍ବିଧାନିକ ଅଧିକାର।

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ସ୍ୱତନ୍ତ୍ର କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍ (ଏସଇଏମ) ଗତ ବୁଧବାର କକ୍ରୋଚ ଜନତା ପାର୍ଟି ନେତା ସୌରଭ ଦାସ ଓ ଆଶୁତୋଷ ରାଂକାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ପାଇଁ ଦାସ ଓ ରାଂକା ଶାନ୍ତି ଭଙ୍ଗ କରିବେନି ଓ ଯେଉଁ ପର୍ଯ୍ୟନ୍ତ ଜନ୍ତର ମନ୍ତର ଅଧିସୂଚିତ ଧାରଣା ସ୍ଥଳ ନ ହେବ ସେ ପର୍ଯ୍ୟନ୍ତ ସେମାନେ ବିରୋଧ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେବେନାହିଁ ବୋଲି କୋର୍ଟରେ ଆଫିଡେଭିଟ୍ ଦାଖଲ କରିଥିଲେ। ଜାମିନ ପାଇଁ ଦାସ ଓ ରାଂକାଙ୍କୁ ୫୦-୫୦ ହଜାରର ବ୍ୟକ୍ତିଗତ ମୁଚାଲିକା ଓ ଜାମିନଦାର ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେମାନେ ମୁଚାଲିକା ପୂରଣ କରିବା ପରେ ଏସଇଏମ ଭାବେ କାର୍ଯ୍ୟ କରୁଥିବା ଏସିପି ଋତୁ ରାଜ ସିଜେପି ନେତାଙ୍କୁ ତିହାର ଜେଲରୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ।