କନ୍ଧମାଳ: ବାତ୍ୟା 'ଅର୍ଣ୍ଣବ'ର ତାଣ୍ଡବରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ଘଟିଛି। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତ ଅନ୍ତର୍ଗତ ଗିଡ଼ିପାବାଲି ଗ୍ରାମ ୱଗ ଭୟଙ୍କର ଭୂସ୍ଖଳନର ଶିକାର ହୋଇଛି। ପାହାଡ଼ରୁ ମାଟି, ପଥର, ଗଛ ଓ ପାଣି ମାଡ଼ି ଆସିବାରୁ ସମ୍ପୂର୍ଣ୍ଣ ଗ୍ରାମଟି ଧ୍ୱଂସସ୍ତୂପରେ ପରିଣତ ହୋଇଛି।

ଏହି ଘଟଣାରେ ୧୩ ଜଣ ନିଖୋଜ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ ଗୁରୁବାର ଅପରାହ୍ନ ପ୍ରାୟ ୨ଟା ସମୟରେ କତିଙ୍ଗିଆ ପଞ୍ଚାୟତର କିଲାପାଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳରେ ପହଞ୍ଚି ଆଶ୍ରୟ ନେଇଛନ୍ତି। ଅନ୍ୟ ଦୁଇ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଦୁଇ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଘୁ. ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Also Read: ଅର୍ଣ୍ଣବ ବନ୍ୟା ପରେ ଆକ୍ସନ୍ ମୋଡ୍‌ରେ ସରକାର, ଗଞ୍ଜାମରେ ମୁତୟନ ହେଲେ ୧୦ ଅଧିକାରୀ

ସୂଚନା ଅନୁଯାୟୀ, ଗିଡ଼ିପାବାଲି ଗ୍ରାମରେ ୯ଟି ପରିବାରର ପ୍ରାୟ ୨୬ ଜଣ ଲୋକ ବସବାସ କରୁଥିଲେ। ଗ୍ରାମବାସୀଙ୍କ ଯାତାୟାତର ମୁଖ୍ୟ ରାସ୍ତା କତିଙ୍ଗିଆ ପଞ୍ଚାୟତର ସିପାଏଜୁ ଦେଇ ଘୁ. ଉଦୟଗିରି ଓ ରାଇକିଆ ଅଞ୍ଚଳକୁ ଯୋଗାଯୋଗ କରୁଥିଲା। ହେଲେ ବୁଧବାର ରାତିରେ ବାତ୍ୟାର ପ୍ରଭାବରେ ଘଟିଥିବା ଭୟଙ୍କର ଭୂସ୍ଖଳନ ଏହି ଗ୍ରାମର ଚିତ୍ରକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।

ସେହି ଭୟଙ୍କର ରାତିର ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ,  ରାତି ପ୍ରାୟ ୩ଟା ସମୟରେ ସମସ୍ତେ ନିଜ ନିଜ ଘରେ ଶୋଇଥିଲେ। ହଠାତ୍ ଏକ ବିରାଟ ଶବ୍ଦ ଶୁଣାଗଲା। କିଛି ବୁଝିବା ପୂର୍ବରୁ ପାହାଡ଼ ଉପରୁ ମାଟି, ପଥର, ଗଛ ଓ ପାଣିର ବିଶାଳ ସ୍ରୋତ ଗ୍ରାମ ଭିତରକୁ ମାଡ଼ି ଆସି ଘରଗୁଡ଼ିକୁ ପୋତି ଦେଇଥିଲା। ଆଖି ପିଛୁଳାକେ ହସଖୁସିରେ ଭରିଥିବା ଗ୍ରାମଟି ମାଟି ତଳେ ଲୁଚିଯାଇଥିଲା।

Also Read: ଓଡିଶା ଇତିହାସରେ ପାତ୍ରପୁର ଦେଖିଲା ଚତୁର୍ଥ ବଡ଼ ବର୍ଷା, ଗଞ୍ଜାମରେ ପ୍ରଳୟର କାରଣ କହିଲେ SRC

ଏହି ବିଭୀଷିକା ମଧ୍ୟରେ ୧୧ ଜଣ ଅଳ୍ପକେ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ସେମାନଙ୍କ ମଧ୍ୟରେ ମାତ୍ର ୧ ବର୍ଷ ୩ ମାସର ଦୁଇ ଜଣ ଯାଆଁଳା ଶିଶୁ ଏବଂ ଜଣେ ୮ ବର୍ଷର ବାଳକ ମଧ୍ୟ ରହିଛନ୍ତି। ଭୂସ୍ଖଳନ ପରେ ଘରଦ୍ୱାର ଓ ସମସ୍ତ ସମ୍ପତ୍ତି ହରାଇଥିବା ଏହି ଲୋକମାନେ ବୁଧବାର ରାତିରୁ ଭୋକ ଓ ଶୋଷରେ ପାହାଡ଼ ପର୍ବତ ମଧ୍ୟରେ ଆଶ୍ରୟ ନେଇଥିଲେ। ଦୀର୍ଘ ସମୟର ସଂଘର୍ଷ ପରେ ସେମାନେ କଲିପାଙ୍ଗାରେ ପହଞ୍ଚି ଥିଲେ। ଅନ୍ୟପକ୍ଷରେ, ଗ୍ରାମର ରବି ମଲ୍ଲିକ, ସନମନ ପ୍ରଧାନ, ବଳଦେବ ପ୍ରଧାନ, ବିଜୟ ପ୍ରଧାନ, ପ୍ରତାପ ପ୍ରଧାନ, ଜୟନ୍ତୀ ପ୍ରଧାନ, ପଦ୍ମା ପ୍ରଧାନ, ଦୁର୍ଗାସିନୀ ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ରାଜଲକ୍ଷ୍ମୀ ପ୍ରଧାନ, ଚିମ୍ପୁ ପ୍ରଧାନ, ତାରାବତୀ ପ୍ରଧାନ ଓ ସୁମିତ୍ରା ପ୍ରଧାନଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିନାହିଁ। ସେମାନେ ଭୂସ୍ଖଳନରେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି।। ଅନ୍ୟ ଦୁଇ ମହିଳା ସମିତା ମଲ୍ଲିକ ଓ ମନିମା ପ୍ରଧାନ ଭୂସ୍ଖଳନ ସମୟରେ ମାଟି ଓ ପଥର ତଳେ ପୋତି ହୋଇଯାଇଥିଲେ।

ତେବେ କୌଣସି ପ୍ରକାରେ ଜୀବନ ବଞ୍ଚାଇ ସେମାନେ ବଲିଙ୍ଗିଆ ରାସ୍ତା ଦେଇ ବାହାରକୁ ଆସୁଥିବା ସମୟରେ ଘୁ. ଉଦୟଗିରିର ଭାରପ୍ରାପ୍ତ ବିଡିଓ ସତ୍ୟନାରାୟଣ ମିଶ୍ରଙ୍କ ନଜରରେ ପଡ଼ିଥିଲେ। ସେ ବଲିଙ୍ଗିଆ ଭୂସ୍ଖଳନ ଅଞ୍ଚଳ ପରିଦର୍ଶନରେ ଯାଇଥିବାବେଳେ ଏହି ଦୁଇ ମହିଳାଙ୍କୁ ତୁରନ୍ତ ଘୁ. ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଖବର ପାଇ କିଲାପାଙ୍ଗା ଗ୍ରାମର ବେଲାର୍ଶନ ପ୍ରଧାନଙ୍କ ନେତୃତ୍ୱରେ ୮ ଜଣ ଗ୍ରାମବାସୀ ଗିଡ଼ିପାବାଲି ଅଞ୍ଚଳକୁ ଯାଇ ନିଖୋଜ ଲୋକଙ୍କୁ ଖୋଜାଖୋଜି କରିଥିଲେ। ମାତ୍ର କାହାରି ସନ୍ଧାନ ମିଳିନଥିବା ସେମାନେ କହିଛନ୍ତି। ତେବେ ଅନ୍ୟ ୧୩ ଜଣଙ୍କ ନିଖୋଜ ଘଟଣା ଚିନ୍ତା ସୃଷ୍ଟି କରିଥିବା ବେଳେ।

Also Read: ଦିଲ୍ଲୀରୁ ଆସିଲା ବଡ଼ ମେସେଜ୍, IMDର ଘୋଷଣା, ନଭେମ୍ବର ୨ରେ ଆସୁଛି ବାତ୍ୟା

କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷ ଙ୍କ ବର୍ତ୍ତମାନର ତଥ୍ୟ ମୁତାବକ କନ୍ଧମାଳ ଜିଲ୍ଲାର କୌଣସି ଜାଗାରେ ଆଉ ଏଭଳି ସମସ୍ୟା ନାହିଁ। ସମସ୍ତ ଜାଗାକୁ ପ୍ରଶାସନ ପହଁଚି ସାରିଲାଣି। ଲୋକଙ୍କୁ ସମସ୍ତ ପ୍ରକାରର ରିଲିଫ୍ ପହଞ୍ଚାଉଛି। ରାସ୍ତାଘାଟ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।  ଅନ୍ୟପଟେ ୧୩ ଜଣଙ୍କୁ ଉଦ୍ଧାର ପରେ ଅନ୍ୟମାନଙ୍କ ସନ୍ଧାନ ପାଇଁ ରାତି ଗୋଟାଏ ବେଳେ ଫାୟାର ଟିମ ଯାଉଥିଲେ ପାଗ ପ୍ରତିକୂଳ ଥିବାରୁ ଫେରିଆସିଥିଲେ।

ଶନିବାର ସକାଳ ୫ ଟା ରୁ ଓଡ୍ରାଫ୍ ର  ୪ ଟି, ଫାୟାର ୪ ଟି, ଏସ୍ ଓ ଜି ର ୪ ଟି ଏବଂ ଏନ୍ ଡି ଆର୍ ଏଫ୍ ର ଟିମ୍ ଏମିତି  ୧୪୦ ଉଦ୍ଧାରକାରୀ ଟିମ ଘଟଣାସ୍ଥଳକୁ ଯାଇଛନ୍ତି। ରାଜ୍ଯ ସରକାର, ଓଡ୍ରାଫ୍ ଏବଂ ଡିଜି ଫାୟାର ଙ୍କ ମିଳିତ ସମନ୍ୱୟରେ ଲିଭାଇ ଡିଟେନସନ଼ ଇକ୍ୟୁମେଣ୍ଟ ମାଗା ଯାଇଚି। ଜି ଉଦୟଗିରି ରେ ଏହା ଲ୍ୟାଣ୍ଡ କରିବା ପରେ ପଠାଯିବ। ଏସ୍ ଆର୍ ସି ଙ୍କ ସୂଚନା ମୁତାବକ ୧୨ ଜଣ ନିଖୋଜ ଥିବା ରିପୋର୍ଟ ଆସିଛି ବୋଲି ଜିଲାପାଳ ବେଦ ଭୂଷଣ କହିଛନ୍ତି।