ନୂଆଦିଲ୍ଲୀ: ଆମେରିକାରେ ଗାନ୍ଧୀଜୀଙ୍କ ପରିବାରକୁ ନ୍ୟାୟ ମିଳିଛି । ଦୀର୍ଘ ଦିନର ନ୍ୟାୟିକ ଲଢ଼େଇ ପରେ ଗାନ୍ଧୀଜୀଙ୍କ ନାତିଙ୍କ ଜମିରୁ ଜବରଦଖଲକାରୀ ତଡ଼ା ଖାଇଛି । ମହାତ୍ମା ଗାନ୍ଧୀଙ୍କ ନାତି ସ୍ବର୍ଗତ କାନୁ ଗାନ୍ଧୀ ଏବଂ ତାଙ୍କ ପତ୍ନୀ ଶିବା ଗାନ୍ଧୀଙ୍କ ମାଲିକାନାରେ ଥିବା ଭର୍ଜିନିଆର ୩୦ ଏକର ଜମିରୁ ଜବରଦଖଲ ହଟାଇବା ପାଇଁ ଆମେରିକା କୋର୍ଟ ସ୍ଥାନୀୟ ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁରଟର ପରିମଳ ଦେଶାଇଙ୍କ ଦୀର୍ଘ ୨୦ ମାସର ଆଇନଗତ ସଂଗ୍ରାମ ପରେ ଅଦାଲତ ଏହି ବଡ଼ ରାୟ ଦେଇଛନ୍ତି। 

ଆମେରିକାର ଭର୍ଜିନିଆ ଅନ୍ତର୍ଗତ ୱାରେନ୍ କାଉଣ୍ଟିରେ ଶେନାନଡୋଆ ଜାତୀୟ ଉଦ୍ୟାନକୁ ଲାଗି ଏହି ୩୦ ଏକର ଜମିକୁ ଗାନ୍ଧୀ ଦମ୍ପତି ୧୯୮୭ ମସିହାରେ କିଣିଥିଲେ। ନିଜ ଜୀବନର ଶେଷ ପର୍ଯ୍ୟାୟରେ ଦକ୍ଷିଣ ଗୁଜରାଟରେ ରହୁଥିବା ସମୟରେ ସେମାନେ ଏକ ଚାରିଟେବୁଲ୍ ଟ୍ରଷ୍ଟ ଗଠନ କରି ନିଜର ସମସ୍ତ ସମ୍ପତ୍ତି ଏହାକୁ ହସ୍ତାନ୍ତର କରିଥିଲେ । ଏହାର ପରିଚାଳନା ଟ୍ରଷ୍ଟି ଭାବରେ ପରିମଳ ଦେଶାଇ କାର୍ଯ୍ୟ କରୁଛନ୍ତି।

ଆଇନଗତ ବିବାଦ 
ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ପରିମଳ ଦେଶାଇ କହିଛନ୍ତି ଯେ, ୨୦୨୫ ଜାନୁଆରୀ ୧୦ ତାରିଖରେ ଆମେରିକାର ନାଗରିକ ଗ୍ରେଗୋରୀ ବ୍ଲାକ୍ ତାଙ୍କ ବାସଭବନକୁ ଏକ ଆଇନଗତ ନୋଟିସ୍ ପଠାଇବା ପରେ ଏହି ମାମଲା ପଦାକୁ ଆସିଥିଲା। ବ୍ଲାକ୍ ଭର୍ଜିନିଆର 'ଆଡଭର୍ସ ପଜେସନ୍' ବଳରେ ଜମିଟିକୁ ନିଜର ବୋଲି ଦାବି କରିଥିଲେ। ଏହି ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ୫ଟି ସର୍ତ୍ତ ପୂରଣ କରି ୧୫ ବର୍ଷ ଧରି କ୍ରମାଗତ ଭାବରେ ଜମି ଦଖଲରେ ରହେ, ତେବେ ସେ ମାଲିକାନା ଦାବି କରିପାରିବ। ମାତ୍ର ବ୍ଲାକ୍ କୋର୍ଟରେ ନିଜର ଦାବି ପ୍ରମାଣ କରିବାରେ ବିଫଳ ହୋଇଥିଲେ।

ସେପଟେ କୋର୍ଟ ଅଭିଯୋଗକାରୀଙ୍କୁ ୧୧,୩୭୫ ଡଲାର କ୍ଷତିପୂରଣ ଦେବାକୁ ଗ୍ରେଗୋରୀ ବ୍ଲାକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ନିଜ ଟଙ୍କାରେ ଜବରଦଖଲ ଉଚ୍ଛେଦ ପାଇଁ ତାଙ୍କୁ ୩୦ ଦିନ ସମୟ ଦେଇଛନ୍ତି କୋର୍ଟ । ସୂଚନାଯୋଗ୍ୟ, ୨୦୧୬ ନଭେମ୍ବରରେ ସୁରଟଠାରେ କାନୁ ଗାନ୍ଧୀଙ୍କର ଦେହାନ୍ତ ପରେ ୨୦୧୮ରେ ଶିବା ଗାନ୍ଧୀ 'ଦି ଡକ୍ଟର ଶିବା ଏବଂ କାନୁ ରାମଦାସ ମୋହନଦାସ ଗାନ୍ଧୀ ଚାରିଟେବୁଲ୍ ଟ୍ରଷ୍ଟ' ପ୍ରତିଷ୍ଠା କରି ନିଜର ଉଇଲ୍ ପଞ୍ଜିକୃତ କରିଥିଲେ। ୨୦୨୦ରେ ତାଙ୍କର ଦେହାନ୍ତ ପରେ ଉଇଲ୍ କାର୍ଯ୍ୟକାରୀ ହୋଇଥିଲା ଏବଂ ଦେଶାଇ ପରିଚାଳନା ଟ୍ରଷ୍ଟି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।