ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଘାତକ ଦ୍ରୁତ ବୋଲର କାଗିସୋ ରାବାଡ଼ା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ଦ୍ଵିତୀୟ ଇନିଂସରେ ରଚିଛନ୍ତି ଇତିହାସ। ରାବାଡ଼ା ଅଷ୍ଟ୍ରେଲିଆର ଅନେକ ବ୍ୟାଟରଙ୍କୁ ପାଭିଲିୟନ ପଠାଇ ବିଶ୍ଵ ରେକର୍ଡ ନିଜ ନାଁରେ କରିଛନ୍ତି। ଟେଷ୍ଟ କ୍ରିକେଟରେ ଦ୍ରୁତତମ ୩୫୦ ଓ୍ଵିକେଟ୍ ନେବାର ବୋଲର ପାଲଟିଛନ୍ତି ରାବାଡ଼ା। ଏହି ଦ୍ରୁତ ବୋଲର ନିଜ ଦେଶର ବୋଲର ଡେଲ ଷ୍ଟେନଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି।

ରାବାଡ଼ା ଟେଷ୍ଟ କ୍ରିକେଟରେ ୧୩ ହଜାର ୮୦୮ ବଲରେ ୩୫୦ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ସେ ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୩୫୦ ଓ୍ଵିକେଟ୍ ନେବାର ବୋଲର ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ଡେଲ ଷ୍ଟେନଙ୍କ ନାମରେ ଥିଲା। ଷ୍ଟେନ ୧୪ ହଜାର ୭୧୯ ବଲରେ ୩୫୦ ଓ୍ଵିକେଟ୍ ପୂରଣ କରିଥିଲେ। ଏହି ତାଲିକାରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଓ୍ଵାକର ୟୁନିସ ତୃତୀୟ ସ୍ଥାନରେ ରହିଛନ୍ତି। ସେ ୧୪ ହଜାର ୯୦୫ ବଲରେ ଏହି ସଫଳତା ହାସଲ କରିଥିଲେ।

Also Read: ନ୍ୟୁଜିଲାଣ୍ଡ ପହଞ୍ଚିଲେ ବିରାଟ-ରୋହିତ, କେବେ ଖେଳିବେ ମ୍ୟାଚ୍ ? ଦେଖନ୍ତୁ ପୂରା ସିଡ୍ୟୁଲ

ଏହା ସହିତ କାଗିସୋ ରାବାଡ଼ା ଟେଷ୍ଟ କ୍ରିକେଟରେ ୩୫୦ ଓ୍ଵିକେଟ୍ ନେବାରେ ଦକ୍ଷିଣ ଆଫ୍ରିକାର ଚତୁର୍ଥ ବୋଲର ପାଲଟିଛନ୍ତି। ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ଓ୍ଵିକେଟ୍ ଡେଲ ଷ୍ଟେନ ନେଇଛନ୍ତି। ତାଙ୍କ ନାମରେ ୪୩୯ ଓ୍ଵିକେଟ୍ ରହିଛି। ସନ ପୋଲକ ୪୨୧ ଓ୍ଵିକେଟ୍ ନେଇଥିବା ବେଳେ ମଖାୟା ଏଣ୍ଟିନିଙ୍କ ନାମରେ ୩୯୦ ଓ୍ଵିକେଟ୍ ରହିଛି।

ସବୁଠୁ କମ ବଲରେ ୩୫୦ ଟେଷ୍ଟ ଓ୍ଵିକେଟ୍

୧୩, ୮୦୮- କାଗିସୋ ରାବାଡ଼ା*

୧୪, ୭୧୯- ଡେଲ ଷ୍ଟେନ

୧୪, ୯୦୫- ଓ୍ଵାକର ୟୁନିସ

୧୬,୨୮୫- ମ୍ୟାଲକମ ମାର୍ଶାଲ

୧୬, ୯୦୮- ମିଚେଲ୍ ଷ୍ଟାର୍କ

Also Read: ‘ଟେଷ୍ଟରେ ଏବେ ବି ଅନେକ କିଛି ପ୍ରମାଣିତ କରିବା ବାକି ଅଛି’: ଯଶପ୍ରୀତ ବୁମରାଙ୍କୁ ନେଇ ୱକାର ୟୁନିସଙ୍କ ବଡ଼ ବୟାନ

ଦକ୍ଷିଣ ଆଫ୍ରିକା ବିଜୟ ନିକଟତର

ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚରେ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ପ୍ରାଧାନ୍ୟ ବିସ୍ତାର କରିଥିଲା। ପ୍ରଥମ ଇନିଂସରେ ଘରୋଇ ଦକ୍ଷିଣ ଆଫ୍ରିକା ୩୨୯ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୪୨୯ ରନ କରି ଗୁରୁତ୍ଵପୂର୍ଣ୍ଣ ୧୦୦ ରନର ଅଗ୍ରଣୀ ହାସଲ କରିଥିଲା। ଏହା ପରେ ଦ୍ଵିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୩୮୭ ରନ କରିଥିଲା। ଏହା ସହିତ କଙ୍ଗାରୁ ଦଳ ସାମ୍ନାରେ ୨୮୮ ରନର ବିଜୟ ଲକ୍ଷ୍ୟ ରହିଥିଲା। ଯାହାକୁ ପିଛା କରି ଅଷ୍ଟ୍ରେଲିଆ ଦଳ ଖବର ଲେଖା ଯିବା ସୁଦ୍ଧା ୮ ଓ୍ଵିକେଟ୍ ହରାଇ ୬୩ ରନ କରିଛି। ହାତରେ ମାତ୍ର ୨ଟି ଓ୍ଵିକେଟ୍ ଥିବା ବେଳେ ଜିତିବା ପାଇଁ ଦରକାର ୨୨୫ ରନ।