ନୂଆଦିଲ୍ଲୀ:ସଂପ୍ରତି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଛି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍। ଚାରୋଟି ମ୍ୟାଚ୍ ସରିଥିବା ବେଳେ ଶେଷ ଟି-୨୦ ମୁକାବିଲା ବାକି ରହିଛି। ସିରିଜରେ ଭାରତ ୩-୧ରେ ଆଗୁଆ ରହିଛି। ଟି-୨୦ ସିରିଜ୍ ପରେ ଆରମ୍ଭ ହେବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍। ଏହି ସିରିଜରେ ପୂରା କ୍ରିକେଟ୍ ଦୁନିଆର ନଜର ଷ୍ଟାରବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ରହିଛି। ରୋହିତ ଓ ବିରାଟଙ୍କ ସହିତ ଅଧିନାୟକ ଶୁଭମନ ଗିଲ୍ ନ୍ୟୁଜିଲାଣ୍ଡ ପହଞ୍ଚି ଯାଇଛନ୍ତି। ନଭେମ୍ବର ୪ରୁ ଆରମ୍ଭ ହେଉଥିବା ଦିନିକିଆ ସିରିଜ୍ ପାଇଁ ଦିନିକିଆ ଦଳର ଖେଳାଳିନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ଏହା ମଧ୍ୟରେ ବିସିସିଆଇ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳରେ ପରିବର୍ତ୍ତନ କରିଛି। ପ୍ରସିଦ୍ଧ କୃଷ୍ଣ ଆହତଜନିତ ସମସ୍ୟା କାରଣରୁ ପୂରା ସିରିଜରୁ ବାଦ୍ ପଡ଼ିଛନ୍ତି। ପୁଣି ନୀତିଶ କୁମାର ରେଡ୍ଡୀ ପ୍ରଥମ ୩ଟି ମ୍ୟାଚ୍ ପାଇଁ ଦଳରେ ଉପଲବ୍ଧ ରହିବେ। ହେଲେ ଶେଷ ୨ଟି ଦିନିକିଆ ଖେଳିବେ ନାହିଁ। ନୀତିଶ ଟେଷ୍ଟ ସିରିଜର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଇଣ୍ଡିଆ ଏ ପାଇଁ ତୃତୀୟ ଅନଅଫିସିଆଲ ଟେଷ୍ଟ ଖେଳିବେ। ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିବେ ବିରାଟ କୋହଲି ଓ ରୋହିତ ଶର୍ମା।

Also Read: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ତୃତୀୟ ବଡ଼ ପରାଜୟ: ବୋଲରଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ କ୍ୟାପ୍ଟେନ

କେଉଁ ଦିନ ଆକ୍ସନରେ ନଜର ଆସିବେ ଦୁଇ ଷ୍ଟାର ଖେଳାଳି

ଭାରତ ଓ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ପ୍ରଥମ ଦିନିକିଆ ନଭେମ୍ବର ୪ରେ ଅକଲାଣ୍ଡରେ ଖେଳାଯିବ। ଦୁଇ ଖେଳାଳି ନିଜର ଶେଷ ଦିନିକିଆ ମ୍ୟାଚ୍ ଅକ୍ଟୋବର ୩ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ। ଠିକ୍ ଗୋଟିଏ ମାସ ପରେ ମଇଦାନକୁ ଓହ୍ଲାଇବେ ରୋକୋ ଯୋଡ଼ି। ଦିନିକିଆ ସିରିଜ୍ ନଭେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ।

ନଭେମ୍ବର ୪, ପ୍ରଥମ ଦିନିକିଆ- ଅକଲାଣ୍ଡ

ନଭେମ୍ବର ୭, ଦ୍ଵିତୀୟ ଦିନିକିଆ- ଓ୍ଵେଲିଂଟନ

ନଭେମ୍ବର ୧୦, ତୃତୀୟ ଦିନିକିଆ- ହାମିଲଟନ

ନଭେମ୍ବର ୧୩, ଚତୁର୍ଥ ଦିନିକିଆ- ମାଉଣ୍ଟ ମାଉଙ୍ଗାନୁଇ

ନଭେମ୍ବର ୧୫, ପଞ୍ଚମ ଦିନିକିଆ- ମାଉଣ୍ଟ ମାଉଙ୍ଗାନୁଇ

Also Read: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ରେ ଭାରତର ଲଜ୍ଜାଜନକ ପରାଜୟ: ୮୭ ରନରେ ହାରିଲା

ବିରାଟ କୋହଲି ଓ ରୋହିତ ଶର୍ମା ସଂପ୍ରତି ଦମଦାର ଫର୍ମରେ ଅଛନ୍ତି। ଚଳିତ ବର୍ଷ ରୋହିତ ୧୨ଟି ଇନିଂସରେ ୫୦.୩୩ ହାରରେ ୬୦୪ ରନ କରିଛନ୍ତି। ଏଥିରେ ଦୁଇଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସାମିଲ। ଅନ୍ୟପଟେ ବିରାଟ କୋହଲି ଚଳିତ ବର୍ଷ ୯ଟି ମ୍ୟାଚ୍ ଖେଳି ୬୯ ହାରରେ ୫୫୨ ରନ କରିଛନ୍ତି। ଏଥିରେ ଦୁଇଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ସାମିଲ୍।

ବିରାଟ ଏକ ଖାସ୍ କୀର୍ତ୍ତିମାନ ରଚିବାର ଦ୍ଵାର ଦେଶରେ ପହଞ୍ଚି ସାରିଛନ୍ତି। ବିରାଟ ଦିନିକିଆରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ରନ କରିଥିବା ଭାରତୀୟ ବ୍ୟାଟର। ତାଙ୍କ ନାଁରେ ୩୬ଟି ଇନିଂସରେ ୧୮୯୭ ରନ ରହିଛି। ଆଗାମୀ ସିରିଜରେ ୧୦୩ ରନ କରିବା ମାତ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ ହଜାର ରନ କରିବାରେ ଦୁନିଆର ସପ୍ତମ ବ୍ୟାଟର ହୋଇଯିବେ।