ଭୁବନେଶ୍ୱର: ଓଡିଶା ଇତିହାସରେ ପାତ୍ରପୁର ଦେଖିଲା ଚତୁର୍ଥ ବଡ଼ ବର୍ଷା। ୧୯୯୧ ଏବଂ ୨୦୧୯ ପରେ ଚଳିତ ବର୍ଷା ବଡ଼ ବର୍ଷା ଦେଖିଛି ଓଡିଶା। ୧୯୯୧ରେ ଥୁଆମୂଳ-ରାମପୁରରେ ୮୨୫ ମିଲିମିଟର, ୨୦୧୯ରେ କର୍ଲାମୁଣ୍ଡାରେ ୬୦୮ ମିଲିମିଟର, ବଲାଙ୍ଗୀରରେ ୫୫୫ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଏହାପରେ ଚଳିତ ବର୍ଷ ପାତ୍ରପୁରରେ 546 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଖାସ୍ ସେଇଥିପାଇଁ ଗଞ୍ଜାମରେ ପ୍ରଳୟର କାରଣ ବୋଲି କହିଛନ୍ତି SRC ରାଜେଶ ପ୍ରଭାକର ପାଟିଲ।

ବାତ୍ୟା ଓ ପ୍ରବଳ ବର୍ଷା ପରେ ଧୀରେ ଧୀରେ ସୁଧୁରୁଛି ଗଞ୍ଜାମ ଜିଲ୍ଲାର ସ୍ଥିତି। ହେଲେ ଏବେ ବି ଥମିନି ବିପର୍ଯ୍ୟୟର ଦୁଃଖ। ଭଞ୍ଜନଗର ବ୍ଲକରେ ଭୂସ୍ଖଳନ ଯୋଗୁଁ ୧୨ ଜଣ ନିଖୋଜ ଅଛନ୍ତି। ତେବେ ଦୀର୍ଘ ସମୟର ସର୍ଚ୍ଚ ଅପରେସନ ପରେ ଜଣେ ବୃଦ୍ଧାଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅନ୍ୟପଟେ ରାଇକିଆ ବ୍ଲକରେ ଭୂସ୍ଖଳନ ଓ ବର୍ଷାଜନିତ ଘଟଣାରେ ଜୀବନହାନି ହୋଇଛି। ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବିପର୍ଯ୍ୟୟ ପରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ଗଞ୍ଜାମ ଜିଲ୍ଲାର ଜୀବନଯାତ୍ରା। ଜିଲ୍ଲାରେ ମୋଟ ୧ ଲକ୍ଷ ୫ ହଜାର ୬୨୨ ଜଣ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ୩୬୭ଟି ରିଲିଫ୍ କ୍ୟାମ୍ପରେ ୩୯ ହଜାର ୬୧୯ ଜଣ ଆଶ୍ରୟ ନେଇଛନ୍ତି। ପ୍ରଭାବିତ ଗାଁ ଓ ୱାର୍ଡଗୁଡ଼ିକରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।

ବିଦ୍ୟୁତ ସେବା ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଛି। ଜିଲ୍ଲାରେ ପ୍ରାୟ ୮୦ରୁ ୮୫ ପ୍ରତିଶତ ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର ହୋଇଥିବା ସୂଚନା ମିଳିଛି। ଆଜି ଆସିକାରେ ବିଦ୍ୟୁତ ସଂଯୋଗ ସ୍ୱାଭାବିକ କରିବାକୁ ଲକ୍ଷ୍ୟ ରହିଛି। ଅନ୍ୟପଟେ ଛତ୍ରପୁର ବ୍ଲକର ସର ଭୀମପୁର ଗାଁରେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ଏୟାରଡ୍ରପ୍ର ବ୍ୟବସ୍ଥା କରାଯାଉଛି।

also read- ଦିଲ୍ଲୀରୁ ଆସିଲା ବଡ଼ ମେସେଜ୍, IMDର ଘୋଷଣା, ନଭେମ୍ବର ୨ରେ ଆସୁଛି ବାତ୍ୟା

ସେପଟେ ଭଞ୍ଜନଗର ବ୍ଲକର ଗିଡ଼ିପାବାଲ ହାମଲେଟ୍ ଓ ବାଇବାଲି ପଞ୍ଚାୟତ ଅଞ୍ଚଳରେ ଭୂସ୍ଖଳନ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପାହାଡ଼ ଉପରେ ଥିବା ଏହି ଗାଁରେ ପ୍ରାୟ ୨୫ ଜଣ ରହୁଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣ ନିଖୋଜ ଥିବା ସୂଚନା ମିଳିଥିଲା। ତେବେ ତାରାବତୀ ପ୍ରଧାନ ନାମକ ଜଣେ ବୃଦ୍ଧାଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଏବେ ଆଉ ୧୨ ଜଣଙ୍କୁ ଖୋଜା ଚାଲିଛି।

ଉଦ୍ଧାର କାର୍ଯ୍ୟରେ ୩ଟି ଅଗ୍ନିଶମ ଟିମ୍ ସହ SOG ଓ NDRFର ପ୍ରାୟ ୧୬୦ରୁ ୧୭୦ ଜଣ ଯବାନ ଓ କର୍ମଚାରୀ ନିୟୋଜିତ ଅଛନ୍ତି। ଗତକାଲି ରାତିରୁ ଲଗାତାର ସର୍ଚ୍ଚ ଅପରେସନ ଚାଲିଛି। ଅନ୍ୟପଟେ ରାଇକିଆ ବ୍ଲକରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ୨୧ ହଜାର ୭୮୨ ଜଣ ପ୍ରଭାବିତ ହୋଇଛନ୍ତି। ସେଠାରେ ୩୪୦ଟି ରିଲିଫ୍ କ୍ୟାମ୍ପ ମାଧ୍ୟମରେ ଲୋକଙ୍କୁ ସୁବିଧା ଯୋଗାଇ ଦିଆଯାଉଛି। ଗଜପତି ଜିଲ୍ଲାରୁ ମଧ୍ୟ ଜଣେ ନିଖୋଜ ଥିବା ସୂଚନା ରହିଛି।