ଅଙ୍କାରା: ମକ୍କା ସାମରିକ ଚୁକ୍ତିକୁ ନେଇ ପରୋକ୍ଷରେ ଭାରତକୁ ଧମକ ଦେଲା ତୁର୍କୀ। ସମୟ ଆସିଲେ ଆମେ ଆମ ଶକ୍ତି ଦେଖାଇ ଦେବୁ ବୋଲି କହିଛନ୍ତି ତୁର୍କୀ ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ।

ଏକ ଇଣ୍ଟରଭ୍ୟୁରେ ଫିଦାନ କହିଛନ୍ତି ଯେ ମକ୍କା ଚୁକ୍ତିର ଭାରତ ଓ ଗ୍ରୀସ ଭଳି ଦେଶ ମଜାକ ଉଡ଼ାଉଛନ୍ତି। ଭାରତ ଏହାକୁ ଗମ୍ଭୀରତାର ସହ ନେଉ ନାହିଁ। କିନ୍ତୁ ପ୍ରକୃତରେ ଏହା ଏତେ ଗମ୍ଭୀର ବିଷୟରେ ଯେ ଏହା ଉପରେ ଧ୍ୟାନ ଦେବା ଜରୁରୀ। ତେବେ ଖୁବଶୀଘ୍ର ମକ୍କା ସାମରିକ ଚୁକ୍ତି ଏକ ଗେମ ଚେଞ୍ଜର ପ୍ଲାଟଫର୍ମ ପ୍ରମାଣିତ ହେବ ବୋଲି ତୁର୍କୀ ବୈଦେଶିକ ମନ୍ତ୍ରୀ କହିଛନ୍ତି। ମକ୍କା ସାମରିକ ଚୁକ୍ତି ସାଉଦି ଆରବ, ତୁର୍କୀ ଓ ପାକିସ୍ତାନ ମଧ୍ୟରେ ହୋଇଛି। ବିଶେଷ କ୍ଷେତ୍ରରେ ଏହି ୩ ଦେଶ ପରସ୍ପରକୁ ସାମରିକ ସହଯୋଗ ଯୋଗାଇ ଦେବେ।

କ’ଣ କହିଲେ ତୁର୍କୀ ବିଦେଶ ମନ୍ତ୍ରୀ ?

ଭାରତ ଏହାକୁ ହାଲୁକାରେ ନେଉଛି ବୋଲି କହିବାରୁ ଇଣ୍ଟରଭ୍ୟୁରେ ଫିଦାନ କହିଛନ୍ତି “ଏହାକୁ ମାତ୍ର ୩ ମାସ ପୂର୍ବରୁ ସାଇନ କରାଯାଇଥିଲା। ପ୍ରକୃତରେ ଆପଣ ଯେଉଁ କଥା କହୁଛନ୍ତି, ତାହା ଏପରି ଏକ ଦୃଶ୍ୟ ଯାହା ସେମାନଙ୍କର ମନ ଭିତରେ ଲୁଚି ରହିଥିବା ବିପଦର ଭୟକୁ ଦର୍ଶାଉଛି। ଆମେ ଏସବୁକୁ ଦେଖୁ ସତ କିନ୍ତୁ ପ୍ରକୃତରେ ଏହା ଏତେ ଗମ୍ଭୀର ପ୍ରସଙ୍ଗ ନୁହେଁ ଯେ ଏହାକୁ ଗୁରୁତ୍ୱ ଦିଆଯିବ। ଯଦି ଈଶ୍ୱର ଚାହାନ୍ତି ତେବେ ଆପଣ ନିଜେ ଦେଖିବେ ଯେ ମକ୍କା ଚୁକ୍ତି ଏକ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ”

ତୁର୍କି ବିଦେଶ ମନ୍ତ୍ରୀଙ୍କ ଭାରତକୁ ଟାର୍ଗେଟ୍

ଇଣ୍ଟରଭ୍ୟୁରେ ତୁର୍କୀ ବୈଦେଶିକ ମନ୍ତ୍ରୀ ଟିଭି ଆଙ୍କରଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି “ଦେଖନ୍ତୁ ଯେତେବେଳେ ଆମେ ତୁମେ ଯେଉଁ ଦେଶଗୁଡ଼ିକ ବିଷୟରେ କହିଛ - ଯେପରିକି ଇସ୍ରାଏଲ, ଭାରତ, ଗ୍ରୀସ୍, ଇତ୍ୟାଦି - ସେମାନଙ୍କୁ ଦେଖୁ, ଆମେ ବୁଝିପାରୁଛୁ ଯେ 'ମକ୍କା ଆଲାଏନ୍ସ' କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ। ମିଡିଆ ମାଧ୍ୟମରେ ଭୁଲ ସୂଚନା ପ୍ରସାରଣ ଏବଂ ଅପବ୍ୟବହାର କରିବାର ପ୍ରୟାସ ଏହାର ପ୍ରମାଣ। ଏବଂ ଆମେ ଏହାକୁ ହସରେ ଉଡ଼ାଇ ଦେଉଛୁ।”

ମକ୍କା ସାମରିକ ଚୁକ୍ତିକୁ ନେଇ କାହିଁକି ଉଠୁଛି ?

ମକ୍କା ସାମରିକ ଚୁକ୍ତି ଅନୁସାରେ, ଏହାର ସଦସ୍ୟଙ୍କ ମଧ୍ୟରେ ଏକ ସାମରିକ ସହଯୋଗରେ ସହମତି ହୋଇଛି। ଯଦି ଗୋଟିଏ ସଦସ୍ୟ ରାଷ୍ଟ୍ର ଉପରେ ଆକ୍ରମଣ ହୁଏ, ତେବେ ଏହା ସମସ୍ତଙ୍କ ଉପରେ ଆକ୍ରମଣ ବୋଲି ଧରି ନିଆଯିବ। ଏହି ଚୁକ୍ତି ସାଇନ କରାଯିବା ପରେ ତିନି ଦେଶ ଏହାର ଜୋରସୋର ପ୍ରଚାର କରିଛନ୍ତି। କିନ୍ତୁ ଯେତେବେଳେ ସାଉଦି ଉପରେ ହୁତି ଆକ୍ରମଣ ହେଲା ସେତେବେଳେ ତୁର୍କୀ ଓ ପାକିସ୍ତାନ ମାମଲାରେ ନିଜକୁ ଦୂରେଇ ରଖିଲେ। ଆରମ୍ଭରୁ ଯଦିଓ ତୁର୍କୀ ଓ ପାକିସ୍ତାନ କେବଳ ବୟାନ ମାଧ୍ୟମରେ ସାଉଦିକୁ ସମର୍ଥନ ଦେଇଥିଲେ। ହେଲେ ଚାପ ବଢ଼ିବା ପରେ କିଛି କିଛି ସୈନ୍ୟ ପ୍ରେରଣ ମଧ୍ୟ କରିଥିଲେ।

ଏହା ସତ୍ତ୍ୱେ ବି ହୁତୀ ବିଦ୍ରୋହୀମାନେ ସାଉଦି ଉପରେ ଆକ୍ରମଣ ଜାରି ରଖିଛନ୍ତି। ଯେଉଁଥିରେ ଏହି ଆରବ ଦେଶକୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି। ଶେଷରେ ହୁତିଙ୍କୁ ଟଙ୍କା ଦେଇ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ସାଉଦି ସରକାର। ତେଣୁ ମକ୍କା ଚୁକ୍ତି କେତେ କାର୍ଯ୍ୟକାରୀ ହୋଇପାରିବ ତାକୁ ନେଇ ପ୍ରଶ୍ନ ଉଠୁଛି।