ନୂଆଦିଲ୍ଲୀ: ଭାରତୀୟ ମହିଳା ରେସଲର ମନୀଷା ଭାନଓ୍ବାଲାଙ୍କ ମହା ରେକର୍ଡ । ପ୍ରଥମ ଭାରତୀୟ ମହିଳା ରେସଲର ଭାବରେ ସେ ବିଶ୍ବ କୁସ୍ତି ଚାମ୍ପିୟନସିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେ ଆମେରିକାର ଏ. ଏଲିଜାବେଥ୍ ନେଟ୍‌ଙ୍କୁ ୮-୬ ପଏଣ୍ଟରେ ପରାସ୍ତ କରିଛନ୍ତି । କାଜାଖସ୍ତାନର ଆସ୍ଥାନାଠାରେ ଅନୁଷ୍ଠିତ ବିଶ୍ୱ କୁସ୍ତି ଚାମ୍ପିୟନସିପ୍‌ରେ ଇତିହାସ ରଚିଛନ୍ତି ମନୀଷା ଭାନୱାଲା  । ଶୁକ୍ରବାର ଦିନ ଖେଳାଯାଇଥିବା ମହିଳା ୫୯ କିଲୋଗ୍ରାମ୍ ବର୍ଗର ଅତ୍ୟନ୍ତ ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍‌ରେ ସେ ବିଜୟୀ ହୋଇଛନ୍ତି ।

୫୯ କିଲୋଗ୍ରାମ୍ ବର୍ଗ ଏକ ଅଣ-ଅଲିମ୍ପିକ୍ ଓଜନ ଶ୍ରେଣୀ, ତଥାପି ଏହି ସଫଳତାର ଗୁରୁତ୍ୱ ଅତ୍ୟନ୍ତ ଅଧିକ । କାରଣ ଏହା ପୂର୍ବରୁ କୌଣସି ଭାରତୀୟ ମହିଳା ବିଶ୍ୱ ଚାମ୍ପିୟନସିପ୍‌ରେ ସ୍ୱର୍ଣ୍ଣ ଜିତିପାରି ନଥିଲେ। ଚଳିତ ବିଶ୍ୱ ଚାମ୍ପିୟନସିପ୍‌ରେ ଭାରତୀୟ ମହିଳା କୁସ୍ତି ଦଳ ଅସାଧାରଣ ପ୍ରଦର୍ଶନ କରିଛି। ମନୀଷାଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ରେସଲର୍ ନୀଲମ୍ ସିରୋହୀ (୫୦ କିଲୋଗ୍ରାମ୍) ଏବଂ କାଜଲ ଧୋଚକ୍ (୭୬ କିଲୋଗ୍ରାମ୍) ଅଲିମ୍ପିକ୍ ଓଜନ ବର୍ଗର ଫାଇନାଲ୍‌ରେ ପହଞ୍ଚି ରୌପ୍ୟ ପଦକ ହାସଲ କରିଛନ୍ତି।

ପୂର୍ବରୁ ବିଶ୍ୱ ଚାମ୍ପିୟନସିପ୍ ଫାଇନାଲ୍‌ରେ ପହଞ୍ଚିବାରେ ଅଂଶୁ ମଲ୍ଲିକ୍ ଏକମାତ୍ର ଭାରତୀୟ ମହିଳା ଥିଲେ । ସେ ୨୦୨୧ ମସିହାରେ ୫୭ କିଲୋଗ୍ରାମ୍ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ଅନ୍ୟପଟେ ଭାରତର ଅନ୍ୟତମ ଶ୍ରେଷ୍ଠ ରେସଲର୍ ଭିନେଶ ଫୋଗାଟ୍ ଏବଂ ଅନ୍ତିମ ପଙ୍ଘାଲ୍ ବିଶ୍ୱ ଚାମ୍ପିୟନସିପ୍‌ରେ ଦୁଇଟି ଲେଖାଏଁ କାଂସ୍ୟ ପଦକ ଜିତିସାରିଛନ୍ତି।

ପୁରୁଷ ଫ୍ରି-ଷ୍ଟାଇଲ୍ କୁସ୍ତିରେ ଦୁଇଥର ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ୨୦୧୦ ମସିହାରେ ମସ୍କୋଠାରେ ୬୬ କିଲୋଗ୍ରାମ୍ ବର୍ଗରେ ସ୍ୱର୍ଣ୍ଣ ଜିତି ଭାରତର ଏକମାତ୍ର ବିଶ୍ୱ ଚାମ୍ପିୟନ୍ ଥିଲେ। ୨୦୧୮ରେ ବୁଡାପେଷ୍ଟଠାରେ ବଜରଙ୍ଗ ପୁନିଆ ଫାଇନାଲ୍‌ରେ ପହଞ୍ଚି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ମନୀଷା ଏବେ ସୁଶୀଲ କୁମାରଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।