ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଚଳିତ ସିଜିନର ତୃତୀୟ ବାତ୍ୟା ‘ଅକ୍‌ଭାନ୍’। ଏହି ବାତ୍ୟା ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଆଗକୁ ଗତି କରୁଛି। ବର୍ତ୍ତମାନ ବାତ୍ୟା ‘ଅକ୍‌ଭାନ୍’ ବର୍ତ୍ତମାନ ବିଶାଖାପାଟଣାଠାରୁ ପ୍ରାୟ ୬୭୦ କିଲୋମିଟର ଦୂରରେ ରହିଥିବା ବେଳେ, ଗୋପାଳପୁରଠାରୁ ଦକ୍ଷିଣ ଦିଗରେ ପ୍ରାୟ ୭୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।

ଆଇଏମ୍‌ଡି (IMD)ର ଆକଳନ ଅନୁସାରେ, ନଭେମ୍ବର ୨୦ ସକାଳ ପ୍ରାୟ ୧୧ଟା ୩୦ ମିନିଟରେ ନେଲ୍ଲୋର ଓ ଟୁନି ମଧ୍ୟବର୍ତ୍ତୀ ଉପକୂଳ ଅତି ଅଞ୍ଚଳରେ ଏହା ଅତିଭୀଷଣ ବାତ୍ୟା ରୂପେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୧୨୦ରୁ ୧୩୦ କିମି ଏବଂ ଝଟକା ପବନର ବେଗ ୧୪୫ କିମି ରହିପାରେ । ତେବେ ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ବାତ୍ୟାର ଗତିପଥ ଦକ୍ଷିଣ-ପଶ୍ଚିମ ଆଡ଼କୁ ରହିଥିବାରୁ ଓଡ଼ିଶା ଉପରେ ଏହାର ପ୍ରଭାବ କମିବାର ସମ୍ଭାବନା ରହିଛି।

Also Read: ଆସୁଛି ବାତ୍ୟା ! ୮ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍, ବିପଦସଙ୍କୁଳ ଅଞ୍ଚଳରୁ ସ୍ଥାନାନ୍ତର ହେବେ ଲୋକ

ଓଡ଼ିଶା ଉପରେ କି ପ୍ରଭାବ ପଡ଼ିବ ?

ଆକଳନ ଅନୁସାରେ, ବାତ୍ୟା କାକିନାଡ଼ା ଓ ମଚ୍ଛଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁଲେ ବର୍ଷା ବିଶେଷ କରି ଆନ୍ଧ୍ରପ୍ରଦେଶରେ ହିଁ ହେବ । ତଥାପି ବାତ୍ୟାର କେନ୍ଦ୍ରଠାରୁ ଉତ୍ତର ଦିଗକୁ ମେଘମାଳା ପ୍ରାୟ ୩୫୦–୪୫୦ କିମି ପର୍ଯ୍ୟନ୍ତ ରହିପାରେ । ଫଳରେ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ନଭେମ୍ବର ୧୯–୨୦ରେ ଆକାଶ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ସେହିଭଳି ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ଅଛି। ଅନ୍ୟପଟେ ପୁରୀ, ଖୋର୍ଦ୍ଧା ଓ ଅନ୍ୟାନ୍ୟ ଉପକୂଳ ଜିଲ୍ଲାରେ ଆକାଶ ମେଘୁଆ ରହିବା ସହ ସ୍ୱଳ୍ପ ବର୍ଷା ହୋଇପାରେ।