ବମ୍ବେ-; ଦୀର୍ଘ ବର୍ଷ ଧରି ଭାରତୀୟ ଟେଲିଭିଜନ ଜଗତର ସବୁଠୁ ମହଙ୍ଗା ହୋଷ୍ଟ କହିଲେ ଦୁଇଟି ନାଁ ସାମ୍ନାକୁ ଆସୁଥିଲା। ଜଣେ ବଲିଉଡ୍ର ଭାଇଜାନ୍ ସଲମାନ ଖାନ୍ ଏବଂ ଅନ୍ୟ ଜଣେ ବିଗ୍ ବି ଅମିତାଭ ବଚ୍ଚନ। 'ବିଗ୍ ବସ୍' ଏବଂ 'କୌନ୍ ବନେଗା କରୋଡ଼ପତି' ଭଳି ଲୋକପ୍ରିୟ ରିଆଲିଟି ଶୋ' ଜରିଆରେ ଏହି ଦୁଇ ସୁପରଷ୍ଟାର ଟେଲିଭିଜନ ଦୁନିଆରେ ନିଜର ଦବଦବା ବଜାୟ ରଖିଥିଲେ। ହେଲେ ଏବେ ଏହି ତାଲିକାରେ ଏକ ବଡ଼ ପରିବର୍ତ୍ତନ ଆସିଛି। ବଲିଉଡ୍ର କୌଣସି ଅଭିନେତା ନୁହେଁ, ବରଂ କ୍ରିକେଟ୍ ପଡ଼ିଆରୁ ଟେଲିଭିଜନ ଦୁନିଆକୁ ଆସିଥିବା ରୋହିତ ଶର୍ମା ଏବେ ଭାରତର ସବୁଠୁ ମହଙ୍ଗା ଟିଭି ହୋଷ୍ଟ ଭାବେ ଚର୍ଚ୍ଚାକୁ ଆସିଛନ୍ତି।

ମିଳିଥିବା ରିପୋର୍ଟ ଅନୁସାରେ, ପ୍ରତି ଏପିସୋଡ୍ ପିଛା ପାରିଶ୍ରମିକ କ୍ଷେତ୍ରରେ ରୋହିତ ଶର୍ମା ସଲମାନ ଖାନ୍ ଓ ଅମିତାଭ ବଚ୍ଚନଙ୍କୁ ପଛରେ ପକାଇ ଦେଇଛନ୍ତି। ତେବେ ଏହି ପାରିଶ୍ରମିକ ସମ୍ପର୍କରେ ରୋହିତ କିମ୍ବା ଟିଭି ଚ୍ୟାନେଲ ପକ୍ଷରୁ କୌଣସି ଆଧିକାରିକ ସୂଚନା ଦିଆଯାଇନାହିଁ।

କ୍ରିକେଟ୍ ପଡ଼ିଆରେ ଛକା ଓ ଚୌକା ବର୍ଷା କରୁଥିବା ହିଟ୍ମ୍ୟାନ୍ ରୋହିତ ଶର୍ମା ଏବେ ଟେଲିଭିଜନ ହୋଷ୍ଟିଂ ଦୁନିଆରେ ମଧ୍ୟ ନିଜର ଦବଦବା ଦେଖାଇଛନ୍ତି। ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନର ଶୋ' 'ଫ୍ୟାମିଲି ଫୁଲ୍ ହାଉସ୍ ୱିଥ୍ ରୋହିତ ଶର୍ମା' ଜରିଆରେ ସେ ହୋଷ୍ଟିଂ ଦୁନିଆରେ ପାଦ ଥାପିଛନ୍ତି। ଏବିପିର ଏକ ରିପୋର୍ଟ ଅନୁସାରେ, ରୋହିତ ଶର୍ମା ଏହି ଶୋ'ର ପ୍ରତି ଏପିସୋଡ୍ ପାଇଁ ପ୍ରାୟ ୧୦ରୁ ୧୫ କୋଟି ଟଙ୍କା ପାରିଶ୍ରମିକ ନେଉଥିବା କୁହାଯାଉଛି। ଏହି ଆକଳନ ଯଦି ସତ ହୁଏ, ତେବେ ସେ ଭାରତୀୟ ଟେଲିଭିଜନର ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ହୋଷ୍ଟ ହେବେ।

ବଲିଉଡ୍ର ଭାଇଜାନ୍ ସଲମାନ ଖାନ୍ ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି 'ବିଗ୍ ବସ୍' ସହ ଜଡ଼ିତ ଅଛନ୍ତି। ଏହି ଶୋ'ର ଲୋକପ୍ରିୟତା ପଛରେ ସଲମାନଙ୍କ ହୋଷ୍ଟିଂର ମଧ୍ୟ ବଡ଼ ଭୂମିକା ରହିଛି। ରିପୋର୍ଟ ଅନୁସାରେ, ଆରମ୍ଭରେ ସଲମାନ ପ୍ରତି ଏପିସୋଡ୍ ପାଇଁ ପ୍ରାୟ ୨.୫ କୋଟି ଟଙ୍କା ନେଉଥିଲେ। ତେବେ କିଛି ପୂର୍ବ ସିଜିନ୍ରେ ତାଙ୍କ ପାରିଶ୍ରମିକ ପ୍ରତି ସପ୍ତାହରେ ପ୍ରାୟ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିବା ଆକଳନ କରାଯାଇଛି। ଏହା ଅନୁସାରେ, ଗୋଟିଏ ଦୀର୍ଘ ସିଜିନ୍ରେ ତାଙ୍କର ମୋଟ ଆୟ ପ୍ରାୟ ୨୫୦ କୋଟି ଟଙ୍କା ହୋଇପାରେ।

ଟେଲିଭିଜନ ଦୁନିଆରେ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟତା ବିଷୟରେ କାହାକୁ ବା ଅଜଣା। ୨୦୦୦ ମସିହାରେ 'କୌନ୍ ବନେଗା କରୋଡ଼ପତି'ର ପ୍ରଥମ ସିଜିନ୍ରୁ ସେ ଏହି ଶୋ'ର ମୁଖ୍ୟ ଆକର୍ଷଣ ପାଲଟିଥିଲେ। କେବଳ ଗୋଟିଏ ସିଜିନ୍ରେ ଶାହରୁଖ ଖାନ୍ ଏହି ଶୋ'ର ହୋଷ୍ଟ ଦାୟିତ୍ୱ ତୁଲାଇଥିଲେ। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଅମିତାଭଙ୍କ ଗୋଟିଏ ସିଜିନ୍ର ପାରିଶ୍ରମିକ ୧୦୦ କୋଟି ଟଙ୍କାରୁ ଅଧିକ ହୋଇପାରେ। ତାଙ୍କୁ ପ୍ରତି ସପ୍ତାହରେ ପ୍ରାୟ ୧୫ରୁ ୨୦ କୋଟି ଟଙ୍କା ଏବଂ ପ୍ରତି ଏପିସୋଡ୍ ପିଛା ପ୍ରାୟ ୨.୫ରୁ ୩ କୋଟି ଟଙ୍କା ମିଳୁଥିବା ଆକଳନ କରାଯାଇଛି।

ଟେଲିଭିଜନ ହୋଷ୍ଟିଂ ଦୁନିଆରେ ଅଜୟ ଦେବଗନ୍ ମଧ୍ୟ ଏକ ବଡ଼ ନାଁ ଭାବେ ଉଭା ହୋଇଛନ୍ତି। 'କ୍ରାଇମ୍ ପାଟ୍ରୋଲ୍ ୨୦୨୬: କ୍ରାଇମ୍ କା କରେଣ୍ଟ ସିଜିନ୍'ର ହୋଷ୍ଟ ଭାବେ ସେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ୧୫ଟି ଏପିସୋଡ୍ ପାଇଁ ଅଜୟ ଦେବଗନ୍ ପ୍ରାୟ ୯୦ କୋଟି ଟଙ୍କା ପାରିଶ୍ରମିକ ନେଇଥିବା ଆକଳନ କରାଯାଇଛି। ଅର୍ଥାତ୍ ପ୍ରତି ଏପିସୋଡ୍ ପିଛା ତାଙ୍କ ପାରିଶ୍ରମିକ ପ୍ରାୟ ୬ କୋଟି ଟଙ୍କା। ୨୦୦୩ ମସିହାରେ ଆରମ୍ଭ ହୋଇଥିବା 'କ୍ରାଇମ୍ ପାଟ୍ରୋଲ୍' ବିଭିନ୍ନ ସଂସ୍କରଣ ମାଧ୍ୟମରେ ଦର୍ଶକଙ୍କ ନିକଟରେ ଲୋକପ୍ରିୟ ହୋଇଛି। ଅନୁପ ସୋନିଙ୍କ ସହ ଏହି ଶୋ'ର ଏକ ଦୀର୍ଘ ସମ୍ପର୍କ ରହିଥିବାବେଳେ ସାକ୍ଷୀ ତନୱର, ସୋନାଲି କୁଲକର୍ଣ୍ଣି, ଦିବ୍ୟାଙ୍କା ତ୍ରିପାଠୀ, ଆଶୁତୋଷ ରାଣା ଓ ଅନ୍ୟ କଳାକାରମାନେ ମଧ୍ୟ ଏହାକୁ ଉପସ୍ଥାପନ କରିଛନ୍ତି।

ବଲିଉଡ୍ର ପ୍ରସିଦ୍ଧ ନିର୍ଦ୍ଦେଶକ କରଣ ଜୋହର ନିଜର ଲୋକପ୍ରିୟ ଶୋ' 'କଫି ୱିଥ୍ କରଣ' ପାଇଁ ବେଶ୍ ଜଣାଶୁଣା। ସେଲିବ୍ରିଟିଙ୍କ ସହ ଖୋଲାଖୋଲି ଆଲୋଚନା, ମଜାଦାର ପ୍ରଶ୍ନ ଓ ରାପିଡ୍ ଫାୟାର୍ ରାଉଣ୍ଡ୍ ଏହି ଶୋ'କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।ଟାଇମ୍ସ ଅଫ୍ ଇଣ୍ଡିଆର ଆକଳନ ଅନୁସାରେ, ଏହି ଶୋ'ର ନୂଆ ସିଜିନ୍ ପାଇଁ କରଣ ଜୋହର ୨୫ କୋଟି ଟଙ୍କାରୁ ଅଧିକ ପାରିଶ୍ରମିକ ନେଇଥିବା କୁହାଯାଉଛି। ଅଭିନେତା ନ ହୋଇ ମଧ୍ୟ ଟେଲିଭିଜନ ହୋଷ୍ଟିଂ ଜରିଆରେ ସେ ଦେଶର ଅଧିକ ପାରିଶ୍ରମିକ ନେଉଥିବା ଉପସ୍ଥାପକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।

ଠିକ ସେହିଭଳି ବଲିଉଡ୍ର ଆକ୍ସନ୍ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ମଧ୍ୟ ଟେଲିଭିଜନ ଦୁନିଆର ଜଣେ ଲୋକପ୍ରିୟ ହୋଷ୍ଟ। 'ଖତରୋଁ କେ ଖିଲାଡ଼ି' ଶୋ'ର ଏକାଧିକ ସିଜିନ୍ରେ ସେ ଉପସ୍ଥାପକ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆର ଆକଳନ ଅନୁସାରେ, ଏହି ଶୋ' ପାଇଁ ରୋହିତ ସେଟ୍ଟୀ ପ୍ରାୟ ୧୨ରୁ ୧୪ କୋଟି ଟଙ୍କା ପାରିଶ୍ରମିକ ନେଉଥିବା କୁହାଯାଉଛି। ତାଙ୍କର ଆକ୍ସନ୍ ଫିଲ୍ମ ନିର୍ମାଣର ଅନୁଭବ ଓ ସ୍ୱତନ୍ତ୍ର ଉପସ୍ଥାପନ ଶୈଳୀ ଏହି ଶୋ'କୁ ଆହୁରି ଆକର୍ଷଣୀୟ କରିଛି। ଚଳିତ ବର୍ଷ 'ଖତରୋଁ କେ ଖିଲାଡ଼ି'ର ୧୫ତମ ସିଜିନ୍ କଲର୍ସ ଟିଭିରେ ପ୍ରସାରିତ ହେବା ସହ ଜିଓ ହଟଷ୍ଟାରରେ ମଧ୍ୟ ଷ୍ଟ୍ରିମିଂ ହୋଇଛି। ତେବେ ଏହି ଶୋ' ପାଇଁ ତାଙ୍କର ପ୍ରତି ଏପିସୋଡ୍ ପାରିଶ୍ରମିକ ସିଜିନ୍ ଅନୁସାରେ ପ୍ରାୟ ୨୦ ଲକ୍ଷରୁ ୭୦ ଲକ୍ଷ ଟଙ୍କା ମଧ୍ୟରେ ଥିବା ଆକଳନ କରାଯାଇଛି।

read also - ବିଶ୍ୱ ବଜାରରେ ଧମାଲ କରିବ କି ଭାରତର ‘ରାମାୟଣ’? ୪୨୦ ମିଲିୟନ ଡଲାରର ଫିଲ୍ମକୁ ନେଇ ବଢ଼ିଲା ଚର୍ଚ୍ଚା, AI ବ୍ୟବହାରକୁ ନେଇ ବିବାଦ

କ୍ରିକେଟ୍ ପଡ଼ିଆରୁ ଟେଲିଭିଜନ ପରଦା ପର୍ଯ୍ୟନ୍ତ ରୋହିତ ଶର୍ମାଙ୍କ ଏହି ନୂଆ ଯାତ୍ରା ଏବେ ବେଶ୍ ଚର୍ଚ୍ଚାରେ। ତେବେ ଏହି ସମସ୍ତ ପାରିଶ୍ରମିକ ରାଶି ଗଣମାଧ୍ୟମରେ ପ୍ରକାଶିତ ଆକଳନ ଉପରେ ଆଧାରିତ। ସମ୍ପୃକ୍ତ କଳାକାର କିମ୍ବା ଟେଲିଭିଜନ ଚ୍ୟାନେଲ ପକ୍ଷରୁ ଏହି ଅଙ୍କଗୁଡ଼ିକର ଆଧିକାରିକ ପୁଷ୍ଟି କରାଯାଇନାହିଁ।