ନୂଆଦିଲ୍ଲୀ: ସୁପରହିଟ୍‌ ଫିଲ୍ମ HanuManର ଅଭିନେତାଙ୍କ ନିର୍ବନ୍ଧ ହୋଇଛି  । ହାଇଦ୍ରାବାଦର 'ତାଜ କ୍ରିଷ୍ଣା' ହୋଟେଲରେ ସୋମବାର ଅପରାହ୍ନରେ ଅଭିନେତା ତେଜା ସଜ୍ଜାଙ୍କ ନିର୍ବନ୍ଧ ପ୍ରିୟ ପରିଜନଙ୍କ ଗହଣରେ ଶେଷ ହୋଇଛି । ଏହି ନିର୍ବନ୍ଧ ଉତ୍ସବରେ ତେଲୁଗୁ ଚଳଚ୍ଚିତ୍ର ଜଗତର ପ୍ରମୁଖ ଚେହେରା ଏବଂ ରାଜନୈତିକ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ।  ମେଗାଷ୍ଟାର ଚିରଞ୍ଜିବୀ, ରାଣା ଦାଗୁବତୀ, ନାନୀ, ରବିତେଜା, ନିର୍ଦ୍ଦେଶକ ଅନିଲ ରବିପୁଡ଼ି, ନିହାରିକା କୋନିଡେଲା ଏବଂ ଅଲୁ ଅରବିନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତେଲେଙ୍ଗାନା ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଲା,  ତେଜା ସଜ୍ଜାଙ୍କ ଏହି ନିର୍ବନ୍ଧ ଉତ୍ସବରେ ଯୋଗ ଦେଇ ଅଭିନେତା ଏବଂ ତାଙ୍କ ଭାବି ପତ୍ନୀଙ୍କୁ ଆଶୀର୍ବାଦ କରିଛନ୍ତି  ।

ଅଭିନେତା ତେଜା ନିଜେ ଏଯାଏଁ ସୋସିଆଲ ମିଡିଆରେ କୌଣସି ଫଟୋ ସେୟାର କରିନାହାନ୍ତି । କିନ୍ତୁ ତାଙ୍କ ନିର୍ବନ୍ଧ ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେଜା ସଜ୍ଜା ସବୁବେଳେ ନିଜର ବ୍ୟକ୍ତିଗତ ଜୀବନକୁ ଗଣମାଧ୍ୟମଠାରୁ ଦୂରରେ ରଖିବାକୁ ପସନ୍ଦ କରନ୍ତି। ପୂର୍ବରୁ 'ଡେକାନ କ୍ରୋନିକଲ୍'କୁ ଦେଇଥିବା ଏକ ସାକ୍ଷାତକାରରେ ସେ ନିଜର ଭାବୀ ପତ୍ନୀଙ୍କ ବିଷୟରେ କିଛି ଖାସ୍ କଥା ସେୟାର କରିଥିଲେ । ସେ କହିଥିଳେ ଯେ, ତାଙ୍କ ଜୀବନସାଥୀଙ୍କର ଚଳଚ୍ଚିତ୍ର ଜଗତ ସହିତ କୌଣସି ସମ୍ପର୍କ ନାହିଁ। ସେ ଆମେରିକାରେ ବଢ଼ିଛନ୍ତି ଏବଂ ଗ୍ଲାମର୍ ଦୁନିଆଠାରୁ ସମ୍ପୂର୍ଣ୍ଣ ଦୂରରେ। ତାଙ୍କ ପରିବାର ପ୍ରଯୁକ୍ତିବିଦ୍ୟା ସହ ଜଡିତ । ସେ ନିଜ ବାପାଙ୍କ ସହିତ କାମ କରନ୍ତି। 

ତେଜା ଅତି ସାଧାରଣ ଭାବରେ ବିବାହ କରିବାକୁ ଚାହାଁନ୍ତି। କେବଳ ପରିବାରର ଲୋକ ଏବଂ କିଛି ନିକଟତର ବନ୍ଧୁବାନ୍ଧବଙ୍କୁ ନେଇ ସେ ଡିସେମ୍ବର ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣାପଡିଛି। ବିବାହ ପରେ ହାଇଦ୍ରାବାଦରେ ଏକ ସ୍ୱତନ୍ତ୍ର ରିସେପ୍ସନ ପାର୍ଟିର ମଧ୍ୟ ଆୟୋଜନ କରାଯିବ । ଯେଉଁଥିରେ ଟଲିଉଡ୍‌ର ଅନେକ କଳାକାର ଯୋଗଦେବାର ସମ୍ଭାବନା ରହିଛି।

କେବଳ ବ୍ୟକ୍ତିଗତ ଜୀବନ ନୁହେଁ, ବରଂ ବୃତ୍ତିଗତ ଜୀବନରେ ମଧ୍ୟ ତେଜାଙ୍କ ପାଖରେ ଅନେକ ବଡ଼ ପ୍ରୋଜେକ୍ଟ ରହିଛି। ସେ ଖୁବଶୀଘ୍ର ସୁପର୍ଣ୍ଣ ଏସ୍ ବର୍ମାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା ୨୦୧୯ର ସୁପରହିଟ୍ ଫିଲ୍ମ 'ଜମ୍ବି ରେଡ୍ଡୀ'ର ସିକ୍ୱେଲ୍ ‘Zombie Reddy NXT LVL’ରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାସହ ସେ ପ୍ରଶାନ୍ତ ବର୍ମାଙ୍କ ନିର୍ଦ୍ଦେଶନାରେ ଆସୁଥିବା ବହୁପ୍ରତୀକ୍ଷିତ ଫିଲ୍ମ ‘ଜୟ ହନୁମାନ’ ରେ ମଧ୍ୟ ନଜର ଆସିବେ ।