ପୁରୀ ୧୬।୧୧: କାର୍ତ୍ତିକ ମାସ ହେଉଛି ବଡ଼ ପବିତ୍ରତାର ମାସ । କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପଞ୍ଚୁକ କୁହାଯାଏ । ପଞ୍ଚୁକ ଭକ୍ତଙ୍କ ପାଇଁ ମହାପର୍ବ । ତେବେ କାର୍ତ୍ତିକ ମାସ ସରିବାକୁ ଆଉ କିଛି ଦିନ ବାକି ଅଛି । ସାରା ଓଡ଼ିଶା ଏବେ ପଞ୍ଚୁକ ଆଉ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତ ହେଉଛି । ହେଲେ ଏହା ପୂର୍ବରୁ ପଞ୍ଚୁକକୁ ନେଇ ଦ୍ଵନ୍ଦ୍ବ ସୃଷ୍ଟି ହୋଇଛି । ଚଳିତବର୍ଷ ପଞ୍ଚୁକ ୫ ଦିନ ନୁହେଁ ବରଂ ୪ ଦିନ ଅନୁଷ୍ଠିତ ହେବ । କାରଣ ତିଥିରେ କ୍ଷୟ ପଡୁଛି ।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବରିଷ୍ଠ ସେବାୟତଙ୍କ ମତରେ, ଆସନ୍ତା ୨୪ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଅନୁଷ୍ଠିତ ହେବ । ପୂର୍ଣ୍ଣିମା ପୂର୍ବରୁ ପଞ୍ଚୁକ ପାଳନ କରାଯାଉଥିବା ବେଳେ ସାଧାରଣତଃ ଏକାଦଶୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ୫ ଦିନକୁ ପଞ୍ଚୁକ କୁହାଯାଏ । ହେଲେ ଚଳିତଥର ଦ୍ୱାଦଶୀ ତିଥି କ୍ଷୟ ଯାଇଛି । ଅର୍ଥାତ୍ ଏକାଦଶୀ ପରେ ସିଧା ତ୍ରୟୋଦଶୀ ପଡ଼ିବ । ସେଥିପାଇଁ ପଞ୍ଚୁକ ୪ ଦିନ ପଡ଼ୁଛି । ଦ୍ୱାଦଶୀ ତିଥି କ୍ଷୟ ହୋଇଥିବାରୁ ଚଳିତ ବର୍ଷ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହେବନାହିଁ । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଟିକେ ନିରାଶା ଦେଖାଦେଇଛି । କାରଣ ପଞ୍ଚୁକର ପ୍ରତ୍ୟେକ ଦିନରେ ମହାପ୍ରଭୁ ଅଲଗା ଅଲଗା ବେଶରେ ଦର୍ଶନ ଦିଅନ୍ତି । ଦ୍ୱାଦଶୀ ଦିନ ହେଉଥିବା ବାଙ୍କଚୂଡ଼ା ବେଶ ଭକ୍ତଙ୍କ ବେଶ୍ ପ୍ରିୟ । ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପଞ୍ଚାଙ୍ଗ ଅନୁସାରେ ହିଁ ନୀତି ହେବ । ଦ୍ଵାଦଶୀ କ୍ଷୟ ଯାଇଥିବାରୁ ବାଙ୍କଚୂଡ଼ା ବେଶ ହେବ ନାହିଁ । ଏଣୁ ଏଥିରେ କୌଣସି ଦ୍ବନ୍ଦ୍ବ ନାହିଁ । ମହାପ୍ରଭୁଙ୍କର ଆସନ୍ତା ୨୧ରେ ଲକ୍ଷ୍ମୀନାରାୟଣ ବେଶ, ୨୨ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୨୩ରେ ଲକ୍ଷ୍ମୀନୃସିଂହ ବେଶ ଓ ୨୪ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ଦ୍ୱାଦଶୀ ତିଥି କ୍ଷୟ ଯାଇଥିବାରୁ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହେବନାହିଁ ।

ସେପଟେ ପଞ୍ଚୁକରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ଏଣୁ ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପଞ୍ଚୁକ ପାଇଁ ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ଭକ୍ତମାନଙ୍କ ପାଇଁ ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ ସହ ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା ହେବ । ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ କ୍ଲିୟରାନ୍ସ ଟିମ୍ ନିୟୋଜିତ ହେବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ସୁପରିଚାଳନା, ଜିଲ୍ଲା ପ୍ରଶାସନ ପକ୍ଷରୁ ପିଇବା ପାଣି, ସ୍ୱାସ୍ଥ୍ୟ ସେବା, ପାର୍କିଂ ଆଉ ପୋଲିସ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ବଡ଼ଦାଣ୍ଡରେ ଟ୍ରାଫିକ୍ ନିୟନ୍ତ୍ରଣ, ଆମ୍ବୁଲାନ୍ସ ଯାତାୟାତ, ଜରୁରୀ ସେବା ପାଇଁ ମଧ୍ୟ ଯୋଜନା ହୋଇଛି । ପଞ୍ଚୁକ ପାଇଁ ପୁରୀ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି । ଭକ୍ତମାନେ ନିର୍ଭୟରେ ଆସି ସମସ୍ତ ନିୟମ ମାନି ମହାପ୍ରଭୁଙ୍କ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି । ସେପଟେ ଆଇନ ମନ୍ତ୍ରୀ କହିଛନ୍ତି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧାକୁ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି ।