ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ପୁଣି ହତ୍ୟା ଧମକ ମିଳିଛି । ଗ୍ୟାଙ୍ଗଷ୍ଟର ଗୋଲ୍ଡି ଢିଲ୍ଲୋନ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ଉଭୟଙ୍କୁ ଧମକ ଦେଇଛି । ଏହି ଘଟଣା ପରେ ବଚ୍ଚନ ପରିବାରର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ନିକଟରେ ମୁମ୍ବାଇରେ ଅମିତାଭ ବଚ୍ଚନଙ୍କ ବାସଭବନ 'ଜଲସା' ବାହାରେ ଗୁଳିକାଣ୍ଡ ଯୋଜନା କରିଥିବା ସନ୍ଦେହରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା । ଏହାର କିଛି ଦିନ ପରେ ଏହି ଧମକ ଆସିଛି ।

ଗୋଲ୍ଡି ଢିଲ୍ଲୋନ ସୋସିଆଲ ମିଡିଆରେ ଦାବି କରିଛି ଯେ, ଦିଲ୍ଲୀ ପୋଲିସ ଗିରଫ କରିଥିବା ବିକାଶ ଠାକୁର ଓ ଦୀପକ ସିଂହ ତା'ର ଗ୍ୟାଙ୍ଗର ସଦସ୍ୟ । ସେମାନଙ୍କ ଗିରଫଦାରୀ ଗ୍ୟାଙ୍ଗର କାମକୁ ପ୍ରଭାବିତ କରିବ ନାହିଁ । ମୁମ୍ବାଇରେ ତା'ର ପ୍ରାୟ ୨୦୦ ଜଣ ସହଯୋଗୀ ସକ୍ରିୟ ଥିବା ପୋଷ୍ଟରେ କହିଛି । ଗୋଲ୍ଡି ଢିଲ୍ଲୋନ ନିଜ ପୋଷ୍ଟରେ ଅମିତାଭ ଓ ଅଭିଷେକଙ୍କ ନାଁ ନେଇ ଧମକ ଦେଇଛି । ଏପରିକି ଉଭୟଙ୍କ ସୁରକ୍ଷା ପାଇଁ ଯେତେ ବୁଲେଟପ୍ରୁଫ୍ କ୍ୟାବିନ୍ ଲଗାଇଲେ ବି, ତାହା ସେମାନଙ୍କୁ ବଞ୍ଚାଇପାରିବ ନାହିଁ ବୋଲି ଧମକ ଦେଇଛି ।

Also read: ବିଦେଶୀ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ଅମିତାଭ ବଚ୍ଚନ, ମୁମ୍ବାଇ ଘର ଉପରେ ଆକ୍ରମଣ ଷଡ଼ଯନ୍ତ୍ର !

ନିଜ ପୋଷ୍ଟରେ ଗୋଲ୍ଡି ଢିଲ୍ଲୋନ ୧୯୮୪ ମସିହାର ଶିଖ୍ ବିରୋଧୀ ଦଙ୍ଗାର ପ୍ରସଙ୍ଗ ଉଠାଇଛି । ଏହି ହିଂସା ପାଇଁ ଦାୟୀ ଲୋକଙ୍କୁ କେବେ କ୍ଷମା କରାଯିବ ନାହିଁ ବୋଲି ସେ କହିଛି । ଶିଖ୍ ସମ୍ପ୍ରଦାୟ ବିରୋଧରେ ମନ୍ତବ୍ୟ ଦେଉଥିବା ଲୋକଙ୍କୁ ମଧ୍ୟ ନିଜର ଶତ୍ରୁ ବୋଲି କହିଛି ।

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ନିକଟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ସମ୍ପୃକ୍ତ ଥିବା ସନ୍ଦେହରେ ବିକାଶ ଠାକୁର ଓ ଦୀପକ ସିଂହଙ୍କୁ ଗିରଫ କରିଥିଲା । ସ୍ପେଶାଲ୍ ସେଲ୍ ସନ୍ଦେହ କରିଥିଲା ଯେ ଦୁହେଁ ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ବାସଭବନ 'ଜଲସା' ବାହାରେ ଗୁଳିକାଣ୍ଡ ଘଟାଇବା ପାଇଁ ଯୋଜନା କରଥିଲେ । ଉଲ୍ଲେଖଯୋଗ୍ୟ ଯେ ଗତ ଏକ ମାସ ମଧ୍ୟରେ ଅମିତାଭ ବଚ୍ଚନଙ୍କ ବାସଭବନ 'ଜଲସା'କୁ ଟାର୍ଗେଟ୍ କରି ତିନୋଟି ଭିନ୍ନ ଭିନ୍ନ ବୋମା ଧମକ ଇମେଲ୍ ମିଳିଥିବା ରିପୋର୍ଟରେ କୁହାଯାଇଛି ।