ବମ୍ବେ , ୧୬ /୧୧ -; ଭାରତୀୟ ସିନେମା ଏବେ କେବଳ ଦେଶ ଭିତରେ ସୀମିତ ରହିବାକୁ ଚାହୁଁନାହିଁ। ହଲିଉଡ୍କୁ ଟକ୍କର ଦେବା ସହ ବିଶ୍ୱ ଦର୍ଶକଙ୍କ ମନ ଜିଣିବାକୁ ଚାଲିଛି ବଡ଼ ପ୍ରସ୍ତୁତି। ଏହି ଲକ୍ଷ୍ୟ ନେଇ ନିର୍ମାଣ ହୋଇଛି ଭାରତୀୟ ସିନେମା ଜଗତର ସବୁଠୁ ମହଙ୍ଗା ଫିଲ୍ମ ‘ରାମାୟଣ’। ଏହି ଫିଲ୍ମ ଉପରେ ଲାଗିଛି ପ୍ରାୟ ୪୦ ବିଲିୟନ ଭାରତୀୟ ଟଙ୍କା, ଅର୍ଥାତ୍ ପ୍ରାୟ ୪୨୦ ମିଲିୟନ ଡଲାର। ଦୁଇଟି ଭାଗରେ ନିର୍ମିତ ଏହି ଫିଲ୍ମକୁ ନେଇ ଭାରତରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ଜୋରଦାର ଚର୍ଚ୍ଚା ଚାଲିଛି।

ତେବେ ଏତେ ବଡ଼ ବଜେଟ୍ର ଫିଲ୍ମ ହୋଇଥିବାରୁ ଏହାର ସଫଳତାକୁ ନେଇ ମଧ୍ୟ ଆଶା ଓ ଆଶଙ୍କା ରହିଛି। ଗୋଟିଏ ପଟେ ଫିଲ୍ମର ଭବ୍ୟ ଦୃଶ୍ୟ, କଳାକାରଙ୍କ ଅଭିନୟ ଓ ଆଧୁନିକ ପ୍ରଯୁକ୍ତିକୁ ପ୍ରଶଂସା ମିଳୁଛି। ଅନ୍ୟପଟେ ଏହାର ଧୀର ଗତି, ସଙ୍ଗୀତ ଏବଂ କୃତ୍ରିମ ବୁଦ୍ଧିମତା ବ୍ୟବହାରକୁ ନେଇ ସମାଲୋଚନା ମଧ୍ୟ ହେଉଛି। ଏବେ ପ୍ରଶ୍ନ ଉଠୁଛି, ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଏହି କାହାଣୀ ବିଶ୍ୱ ଦର୍ଶକଙ୍କୁ କେତେ ଆକର୍ଷିତ କରିପାରିବ?

ଅକ୍ଟୋବର ୨୭ରେ ଲସ୍ ଆଞ୍ଜେଲସ୍ରେ ଏହି ଫିଲ୍ମର ବିଶ୍ୱସ୍ତରୀୟ ପ୍ରିମିୟର ଅନୁଷ୍ଠିତ ହୋଇଥିଲା। ନଭେମ୍ବର ୫ରେ ପ୍ରଥମ ଭାଗ ‘ରାମାୟଣ: ରାଇଜ୍ ଅଫ୍ ଏ ଲିଜେଣ୍ଡ’ ବିଶ୍ୱସ୍ତରରେ ରିଲିଜ୍ ହୋଇଥିବା ବେଳେ ଆମେରିକାରେ ନଭେମ୍ବର ୬ରେ ମୁକ୍ତିଲାଭ କରିଥିଲା। ରିଲିଜ୍ ପରେ ଫିଲ୍ମଟି ବିଶ୍ୱ ବକ୍ସ ଅଫିସ୍ରେ ୧୦୦ ମିଲିୟନ ଡଲାରରୁ ଅଧିକ ଆୟ କରିଥିବା ରିପୋର୍ଟରେ କୁହାଯାଇଛି। ତେବେ ଏହି ଆୟର ପ୍ରାୟ ୬୭ ମିଲିୟନ ଡଲାର ଭାରତରୁ ଆସିଛି। ଉଦ୍ଘାଟନୀ ସପ୍ତାହରେ ଫିଲ୍ମଟି ବିଶ୍ୱସ୍ତରରେ ୫୫.୭ ମିଲିୟନ ଡଲାର ଆୟ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ସହିତ ବ୍ରିଟେନର ବକ୍ସ ଅଫିସ୍ରେ ଶୀର୍ଷ ସ୍ଥାନ ହାସଲ କରିଥିବା ପ୍ରଥମ ଭାରତୀୟ ଫିଲ୍ମ ଭାବେ ମଧ୍ୟ ‘ରାମାୟଣ’ ଚର୍ଚ୍ଚାକୁ ଆସିଛି।

ରଟନ୍ ଟମାଟୋଜ୍ରେ ଫିଲ୍ମକୁ ସମାଲୋଚକଙ୍କ ପକ୍ଷରୁ ୭୭ ପ୍ରତିଶତ ରେଟିଂ ମିଳିଥିବା ବେଳେ ଦର୍ଶକଙ୍କ ପକ୍ଷରୁ ମିଳିଛି ୯୪ ପ୍ରତିଶତ ରେଟିଂ। ଏହାର ଭିଜୁଆଲ୍ ଓ ଅଭିନୟକୁ ପ୍ରଶଂସା କରାଯାଇଛି। ହେଲେ ଫିଲ୍ମର ଧୀର ଗତି ଓ ସଙ୍ଗୀତକୁ ନେଇ ମତଭେଦ ଦେଖାଦେଇଛି। ବିଦେଶରେ ଭାରତୀୟ ସିନେମାର ଲୋକପ୍ରିୟତା ଆଜିର କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଭାରତୀୟ ଫିଲ୍ମ ବିଦେଶରେ ବେଶ୍ ସଫଳତା ହାସଲ କରିଛି। ରାଜ କପୁରଙ୍କ ୧୯୫୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଆୱାରା’ ସୋଭିଏତ୍ ସଂଘ, ପୂର୍ବ ୟୁରୋପ, ଚୀନ୍, ତୁର୍କୀ ଓ ଉତ୍ତର ଆଫ୍ରିକାରେ ବେଶ୍ ଲୋକପ୍ରିୟ ହୋଇଥିଲା।

ସେହିପରି ମେହବୁବ ଖାନ୍ଙ୍କ ‘ଆନ୍’ ଓ ‘ମଦର ଇଣ୍ଡିଆ’ ଭଳି ଫିଲ୍ମ ମଧ୍ୟ ବିଦେଶରେ ଦର୍ଶକଙ୍କ ଭଲପାଇବା ପାଇଥିଲା। ୧୯୮୦ ଦଶକରେ ‘ଡିସ୍କୋ ଡ୍ୟାନ୍ସର’ ଓ ‘ମର୍ଦ୍’ ଭଳି ଫିଲ୍ମ ବିଦେଶରେ ଲୋକପ୍ରିୟତା ହାସଲ କରିଥିଲା। ପରବର୍ତ୍ତୀ ସମୟରେ ‘ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ’ ଓ ‘କଲ୍ ହୋ ନା ହୋ’ ଭଳି ରୋମାଣ୍ଟିକ୍ ଫିଲ୍ମ ବିଦେଶରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିଲା। ଏପରିକି ୨୦୧୬ରେ ରିଲିଜ୍ ହୋଇଥିବା ‘ଦଙ୍ଗଲ’ ଚୀନ୍ରେ ୧୯୦ ମିଲିୟନ ଡଲାରରୁ ଅଧିକ ଆୟ କରିଥିଲା। ୨୦୧୭ର ‘ସିକ୍ରେଟ୍ ସୁପରଷ୍ଟାର’ ମଧ୍ୟ ଚୀନ୍ରେ ୧୧୭.୭ ମିଲିୟନ ଡଲାର ଆୟ କରିଥିଲା। ତେଣୁ ଏବେ ‘ରାମାୟଣ’ ମାଧ୍ୟମରେ ଏହି ସଫଳତାକୁ ଆହୁରି ବ୍ୟାପକ କରିବାକୁ ନିର୍ମାତାମାନେ ଆଶା ରଖିଛନ୍ତି।

​​​​​​​

ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ କହିବା ଅନୁସାରେ, ଫିଲ୍ମର ସଂଳାପ ଓ ଚରିତ୍ରଙ୍କ ସ୍ୱର ମାନବ କଳାକାରଙ୍କ ଦ୍ୱାରା ରେକର୍ଡ କରାଯାଇଛି। କେବଳ ଭିନ୍ନ ଭାଷାରେ ଡବିଂ ହୋଇଥିବା ଦୃଶ୍ୟଗୁଡ଼ିକରେ ଓଠର ଗତି ସହ ସଂଳାପକୁ ମେଳ କରିବା ପାଇଁ AIର ସାହାଯ୍ୟ ନିଆଯାଇଛି। ଏହାଦ୍ୱାରା ବିଭିନ୍ନ ଭାଷାର ଦର୍ଶକ ନିଜ ଭାଷାରେ ଫିଲ୍ମ ଦେଖିବା ସମୟରେ ଅଧିକ ସ୍ୱାଭାବିକ ଅନୁଭବ ପାଇପାରିବେ ବୋଲି ନିର୍ମାତାଙ୍କ ଆଶା। ତେବେ ଏହି AI ବ୍ୟବହାରକୁ ନେଇ କିଛି ଆମେରିକୀୟ ସମାଲୋଚକ ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି AI ଦ୍ୱାରା ଓଠର ଗତି ଓ ସଂଳାପ ମଧ୍ୟରେ ଥିବା ଅସମନ୍ୱୟକୁ ସମାଲୋଚନା କରାଯାଇଛି। ଫିଲ୍ମର ଭିଜୁଆଲ୍ ଇଫେକ୍ଟସ୍କୁ ମଧ୍ୟ କିଛି ସମୀକ୍ଷକ ଆଶାନୁରୂପ ନୁହେଁ ବୋଲି କହିଛନ୍ତି।

ଆମେରିକାରେ ଫିଲ୍ମଟି ଦୁଇଟି ଭିନ୍ନ ସଂସ୍କରଣରେ ମୁକ୍ତିଲାଭ କରିଛି। ମୂଳ ହିନ୍ଦୀ ସଂସ୍କରଣର ଅବଧି ୩ ଘଣ୍ଟା ୧୫ ମିନିଟ୍ ରହିଥିବା ବେଳେ ଇଂରାଜୀ ଡବିଂ ସଂସ୍କରଣ ପ୍ରାୟ ୩୦ ମିନିଟ୍ ଛୋଟ। ଇଂରାଜୀ ସଂସ୍କରଣରେ କିଛି ସଙ୍ଗୀତ ଦୃଶ୍ୟକୁ ବାଦ୍ ଦେବା ସହ ଅନ୍ୟ କେତେକ ଦୃଶ୍ୟକୁ ମଧ୍ୟ କାଟଛାଣ୍ଟ କରାଯାଇଛି। ବିଶ୍ୱସ୍ତରୀୟ ଦର୍ଶକଙ୍କ ରୁଚି ଓ ଦେଖିବାର ଶୈଳୀକୁ ଧ୍ୟାନରେ ରଖି ଏପରି ପଦକ୍ଷେପ ନିଆଯାଇଛି। ତେବେ ଭାରତୀୟ ପୌରାଣିକ କାହାଣୀର ଚରିତ୍ର ଓ ନୈତିକ ମୂଲ୍ୟବୋଧ ଅନ୍ୟ ସଂସ୍କୃତିର ଦର୍ଶକଙ୍କୁ କେତେ ପ୍ରଭାବିତ କରିପାରିବ, ତାହା ଏବେ ଦେଖିବାର କଥା।

also read- ‘ହେ ରାମ’ ସଂଳାପ ପାଇଁ ୨୦୦ ଥର ଅଭ୍ୟାସ! ‘ରାମାୟଣ’ରେ ଜଟାୟୁଙ୍କ ଚରିତ୍ରକୁ ସ୍ୱର ଦେବାକୁ ଅନୁପମ ଖେରଙ୍କ କଠିନ ପରିଶ୍ରମ

ଏହି ଫିଲ୍ମର କାହାଣୀ ଭାରତୀୟ ସଂସ୍କୃତି ଓ ଧାର୍ମିକ ବିଶ୍ୱାସ ସହ ଗଭୀର ଭାବେ ଜଡ଼ିତ। ଭଗବାନ ଶ୍ରୀରାମଙ୍କ ପତ୍ନୀ ସୀତାଙ୍କୁ ରାବଣ କବଳରୁ ଉଦ୍ଧାର କରିବା ପାଇଁ ଶ୍ରୀରାମଙ୍କ ସଂଘର୍ଷ ହିଁ ଏହାର ମୂଳ କାହାଣୀ। ହିନ୍ଦୁ ଧର୍ମରେ ପବିତ୍ର ଗ୍ରନ୍ଥ ଭାବେ ପରିଚିତ ପ୍ରାଚୀନ ସଂସ୍କୃତ ମହାକାବ୍ୟ ‘ରାମାୟଣ’ ଉପରେ ଆଧାରିତ ଏହି ଫିଲ୍ମକୁ ଆଧୁନିକ ପ୍ରଯୁକ୍ତି ଓ ଭବ୍ୟ ଦୃଶ୍ୟ ସହ ବିଶ୍ୱ ଦର୍ଶକଙ୍କ ସାମ୍ନାକୁ ଅଣାଯାଇଛି।

ନିର୍ମାତା ନମିତ ମାଲହୋତ୍ରାଙ୍କ କହିବା ଅନୁସାରେ, ପିଢ଼ି ପରେ ପିଢ଼ି ରାମାୟଣ ମଣିଷକୁ ଏହାର ମାନବୀୟ ମୂଲ୍ୟବୋଧ ଓ ଚିରନ୍ତନ ଆଦର୍ଶ ଦ୍ୱାରା ପ୍ରେରଣା ଦେଇଆସିଛି। ଏହି ଐତିହ୍ୟକୁ ସମ୍ମାନ ଦେବା ସହ ବିଶ୍ୱର ଦର୍ଶକଙ୍କ ପାଇଁ ଏକ ଉଚ୍ଚକୋଟୀର ସିନେମା ଅନୁଭୂତି ଦେବା ହିଁ ସେମାନଙ୍କ ଲକ୍ଷ୍ୟ।