ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ସଂପ୍ରତି ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଥିବା ଭୋଟ୍ ଚୋରି ପ୍ରସଙ୍ଗ ଏବେ ଇଟାଲୀରେ ଗୁଞ୍ଜି ଉଠିଛି। ଏହି ରାଜନୀତି ଅଖାଡ଼ାରେ ପାଦ ଦେଇଛି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ପାର୍ଟି। ଇଟାଲିଆର ନେତା ଡେବୋରା ବର୍ଗାମିନି ଭାରତର ଗଣତନ୍ତ୍ର ଓ ନିର୍ବାଚନୀ ପ୍ରକ୍ରିୟା ଉପରେ ନିଜର ମତ ରଖିଛନ୍ତି। ଭାରତ ପରି ଗଣତନ୍ତ୍ର ଦେଶକୁ ଭୋଟକୁ ନେଇ ଜ୍ଞାନ ଦେବାର କୌଣସି ଆବଶ୍ୟକତା ନ ଥିବା ସେ କହିଛନ୍ତି।

ବର୍ଗାମିନି କହିଛନ୍ତି ଗଣତନ୍ତ୍ରରେ ପ୍ରତିଟି ନାଗରିକଙ୍କୁ ନିଜର କଥା ରଖିବା ଏବଂ ଅଭିଯୋଗ ଲଗାଇବାର ଅଧିକାର ରହିଛି। ମାତ୍ର ଅଭିଯୋଗ ଲଗାଉଥିବା ବ୍ୟକ୍ତିଙ୍କ ଦାୟିତ୍ଵ ଏହା ଯେ, ନିଜର ଦାବିକୁ ମଧ୍ୟ ସେ ପ୍ରମାଣିତ କରିବେ। ବର୍ଗାମିନିଙ୍କ ମତରେ ଭାରତ ପରି ବଡ଼ ଗଣତନ୍ତ୍ର ଦେଶକୁ ୟୁରୋପ ପକ୍ଷରୁ ଗଣତନ୍ତ୍ରର ପାଠ ପଢାଇବା ଉଚିତ୍ ନୁହେଁ। ତାଙ୍କର ଏହି ବୟାନ ପରେ କଂଗ୍ରେସର କାର୍ଯ୍ୟକ୍ରମରେ ଫିଲିବେକଙ୍କ ଟିପ୍ପଣୀକୁ ନେଇ ରାଜନୈତିକ ବିତର୍କ ଆହୁରି ଜୋର ଧରିଛି।

Also Read: ୟୁକ୍ରେନ୍ ଆଗରେ ଆମେରିକାର ଅଜବ ସର୍ତ୍ତ : 'ଡୋନବାସ୍ ଛାଡ଼ିଲେ ନାଟୋରେ ମିଶାଇବୁ'

ଡେବୋରା ବର୍ଗାମିନି କହିଛନ୍ତି, ଯେଉଁ ଦେଶରେ୯୭ କୋଟି ଜନତାଙ୍କ ଭୋଟ୍ ଦେବାର ଅଧିକାର ରହିଛି, ସେହି ଦେଶକୁ ଗଣତନ୍ତ୍ରର ପାଠ ପଢାଇବା ଭୁଲ୍। ଭାରତ ପାଖରେ ନିଜର ମଜବୁତ ଗଣତାନ୍ତ୍ରିକ ସଂସ୍ଥା ଓ ସ୍ଵତନ୍ତ୍ର ନ୍ୟାୟପାଳିକା ରହିଛି। ଏହା ପୂର୍ବରୁ ପାର୍ଟି ଅଫ ୟୁରୋପିୟନ ସୋସିଆଲିଷ୍ଟର ସାଧାରଣ ସଂପାଦକ ଜିୟାକୋମୋ ଫିଲିବେକ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ଅଭିଯାନର ସମର୍ଥନ କରିଥିଲେ। ଫିଲିବେକ ତେଲେଙ୍ଗାନାରେ ଆୟୋଜିତ ସଭାକୁ ସମ୍ବୋଧିତ କରି ବିରୋଧୀଙ୍କ ‘ଭୋଟ୍ ଚୋର, ଗାଦି ଛୋଡ’ ନାରା ଦୋହରାଇଥିଲେ।

ସମର୍ଥନ ଦେଲେ ଇଟାଲୀ ନେତା

ଭାରତ ସମିଟକୁ ସମ୍ବୋଧିତ କରି ଜିୟାକୋମୋ ଫିଲିବେକ ‘ଗୋଟିଏ ବ୍ୟକ୍ତି ଗୋଟିଏ ଭୋଟ୍’ ସିଦ୍ଧାନ୍ତର ସମର୍ଥନ କରି ରାହୁଲ ଗାନ୍ଧୀଙ୍କ ପ୍ରଶଂସା କରିଛନ୍ତି। ସେ ସ୍ପଷ୍ଟ ଏବଂ ପାରଦର୍ଶୀ ଭୋଟର ତାଲିକାର ଆବଶ୍ୟକତା ଉପରେ ଜେର ଦେଇଛନ୍ତି। ଫିଲିବେକ କହିଛନ୍ତି, ରାହୁଲ ଗାନ୍ଧୀ ଏକ ସରଳ ସିଦ୍ଧାନ୍ତ କଥା କହୁଛନ୍ତି, ଯାହା ଉପରେ ଗଣତନ୍ତ୍ର ବଞ୍ଚି ରହିଛି। ଏହି ସିଦ୍ଧାନ୍ତ ହେଉଛି ‘ଏକ ବ୍ୟକ୍ତି, ଏକ ଭୋଟ’।

Also  Read: ‘ଭୋଟ୍ ଚୋର, ଗାଦି ଛାଡ଼’ ନାରାକୁ ନେଇ ରାଜନୈତିକ ଝଡ଼; ଇଟାଲୀ ନେତାଙ୍କ ମନ୍ତବ୍ୟରେ ବିଜେପି-କଂଗ୍ରେସ ମୁହାଁମୁହିଁ

ଟାର୍ଗେଟ୍ କଲା ବିଜେପି

ଫିଲିବେକଙ୍କ ବୟାନକୁ ବିଜେପି ଓ ଭାରତ ରାଷ୍ଟ୍ର ସମିତି(BRS) ସମାଲୋଚନା କରିଛି। ଦୁଇ ଦଳର ନେତା ପ୍ରଶ୍ନ କରିଛନ୍ତି ଯେ, ଜଣେ ବିଦେଶୀ ନେତା କଂଗ୍ରେସ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଭାରତର ଘରୋଇ ରାଜନୈତିକ ମାମଲା ଉପରେ କାହିଁକି ଟିପ୍ପଣୀ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି।

ସୂଚନାଯୋଗ୍ୟ, ଫିଲିବେକଙ୍କ ଭାଷଣ ସମୟରେ ରାହୁଲ ଗାନ୍ଧୀଙ୍କୁ ହସିବା ଏବଂ ତାଳି ମାରୁଥିବା ଦେଖିବାକୁ ମିଳିଥିଲା। ଏହା ଉପରେ ରିଜିଜୁ ଏକ୍ସରେ ବିନା ନାଁ ନେଇ ରାହୁଲ ଗାନ୍ଧୀଙ୍କ ଏମିତି ପ୍ରତିକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ରିଜିଜୁ ଲେଖିଛନ୍ତି, କଣ ଆପଣ କେବେ କାହାରିକୁ ସେହି ସମୟରେ ହସୁଥିବା ଦେଖିବାକୁ ପାଇଛନ୍ତି, ଯେତେବେଳେ କୌଣସି ବିଦେଶୀ ଭାରତର ଅପମାନ କରୁଛି ?