DC IPL 2026: ଆଇପିଏଲ୍ ୨୦୨୬ ଆରମ୍ଭ ହେବାର ଠିକ୍ ପୂର୍ବରୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି ଇଂଲଣ୍ଡର ତାରକା ବ୍ୟାଟର ବେନ ଡକେଟ୍। ଡକେଟ୍ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି। ହେଲେ ସେ ଫ୍ରାଞ୍ଚାଇଜକୁ ଜଣାଇ ଆଇପିଏଲର ୧୯ତମ ସଂସ୍କରଣରୁ ଓହରି ଯାଇଛନ୍ତି। ଯାହାପରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ତାଙ୍କ ଉପରେ ୨ ବର୍ଷର ବ୍ୟାନ ଲାଗିଛି।

ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ଡକେଟଙ୍କୁ ୨ କୋଟି ଟଙ୍କାରେ କିଣିଥିଲା। ଏହା ସହିତ କେଏଲ ରାହୁଲଙ୍କ ସହ ସେ ଇନିଂସ ଓପନ କରିବେ ବୋଲି କୁହାଯାଉଥିଲା। ହେଲେ ସେ ଚଳିତ ସିଜିନରେ ଖେଳି ପାରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏହି ପଦକ୍ଷେପ ଯୋଗୁଁ ତାଙ୍କୁ ଆଗାମୀ ଦୁଇଟି ସଂସ୍କରଣରେ ଖେଳିବାର ସୁଯୋଗ ମିଳିବ ନାହିଁ। ଅର୍ଥାତ ଆଇପିଏଲର ନିୟମ ଅନୁସାରେ ଯଦି କୌଣସି ଖେଳାଲି ନିଲାମରେ ବିକ୍ରି ହେବା ପରେ ଖେଳିବାକୁ ମନା କରନ୍ତି ତେବେ ତାଙ୍କ ଉପରେ ଦୁଇ ବର୍ଷର ବ୍ୟାନ ଲାଗୁ ହେବ। ଏହି ଆଧାରରେ ବେନ ଡକେଟ୍ ଆଇପିଏଲର ୨୦୨୭ ଓ ୨୦୨୮ ଖେଳି ପାରିବେ ନାହିଁ।

Also Read: 'ପାକିସ୍ତାନ ଆସନି, ନଚେତ୍ କିଛି ଭଲ ହେବନି'...ବିଦେଶୀ ଖେଳାଳିଙ୍କୁ ଚେତାବନୀ ଦେଲେ ଆତଙ୍କବାଦୀ

କାରଣ କହିଲେ ବେନ ଡକେଟ୍

ଇନଷ୍ଟାଗ୍ରାମରେ ନିଜର ବୟାନ ଜାରି କରି ଡକେଟ୍ କାହିଁକି ଏମିତି ନିଷ୍ପତ୍ତି ନେଲେ ବଖାଣିଛନ୍ତି। ସେ କହିଛନ୍ତି ଆଇପିଏଲରୁ ନାଁ ପ୍ରତ୍ୟାହାର କରିବା ନିଷ୍ପତ୍ତି ମୋ ପାଇଁ ବହୁତ କଠିନ ଥିଲା। ମୁଁ ବହୁତ ଭାବିଚିନ୍ତି ଏହି ନିଷ୍ପତ୍ତି ନେଇଛି। ସେ କହିଛନ୍ତି ଇଂଲଣ୍ଡ ପାଇଁ ଖେଳିବା ପିଲା ଦିନରୁ ତାଙ୍କ ସ୍ଵପ୍ନ ଥିଲା। ଗ୍ରୀଷ୍ଣ ଋତୁ ଆସିବା ପୂର୍ବରୁ ସେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରହିବାକୁ ଚାହାନ୍ତି। ଯଦ୍ଵାରା ସେ ଇଂଲଣ୍ଡ ପାଇଁ ନିଜର ସର୍ବଶ୍ରେଷ୍ଠ ଦେଇ ପାରିବେ। ସେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଏହାର ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି। ଉଲ୍ଲେଖନୀୟ କିଛି ମାସ ପୂର୍ବେ ଆୟୋଜିତ ଆସେସ ସିରିଜରେ ବେନ ଡକେଟଙ୍କ ପ୍ରଦର୍ଶନ ନିରାଶଜନକ ଥିଲା। ସେ ୧୦ଟି ଇନିଂସରେ ୨୦.୨୦ ହାରରେ ମାତ୍ର ୨୦୨ ରନ କରିଥିଲେ।

ସୂଚନାଯୋଗ୍ୟ, ବେନ ଡକେଟ୍ ଯିବା ପରେ ବି ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ଓପନିଂ ପାଇଁ ଅନେକ ବିକଳ୍ପ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସର ହେଡ୍ କୋଚ୍ ହେମଙ୍ଗ ବଦାନୀ ସ୍ପଷ୍ଟ କରି ସାରିଛନ୍ତି ଯେ, କେଏଲ ରାହୁଲ ଏଥର ଓପନିଂ କରିବେ। ତାଙ୍କ ସହିତ ଓପନିଂ ପାଇଁ ଦଳରେ ଅଛନ୍ତି ଅଭିଷେକ ପୋରେଲ୍, ପୃଥ୍ଵୀ ଶ ଓ ପଥୁମ ନିଶଙ୍କା।