ଲାହୋର,୨୪ /୦୩ : ମାର୍ଚ୍ଚ ୨୮ ତାରିଖରୁ ଆଇପିଏଲ୍ ଏବଂ ୨୬ରୁ ପିଏସଏଲ୍ (ପାକିସ୍ତାନ ସୁପର ଲିଗ) ଆରମ୍ଭ ହେବାକୁ ଯାଉଛି । ଯାହାକୁ ନେଇ ଦେଖା ଦେଇଛି ବଡ଼ ଦ୍ୱନ୍ଦ୍ୱ । ବିଶେଷ କରି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ଏକ ସମୟରେ ଉଭୟ ଲିଗ ଖେଳାଯାଉଥିବାରୁ ବିଦେଶୀ ଖେଳାଳି ପିଏସଏଲ୍ ଅପେକ୍ଷା ଆଇପିଏଲକୁ ଗୁରୁତ୍ୱ ଦେଉଛନ୍ତି । ଶେଷ ମୁହୂର୍ତ୍ତରେ ଚୁକ୍ତିରୁ ଓହରି ଯାଉଛନ୍ତି,ନଚେତ ଅଧିକ ଦରମା ଦାବି କରୁଛନ୍ତି । ଯାହା ପିସିବିର ମୁଣ୍ଡ ବ୍ୟଥା ବଢ଼ାଇ ଦେଇଛି । କେବଳ ସେତିକି ନୁହେଁ,ଆତଙ୍କବାଦୀମାନେ ବିଦେଶୀ ଖେଳାଳିଙ୍କୁ ପିଏସଏଲରୁ ତୁରନ୍ତ ଓହରି ଯିବା ନେଇ ଧମକ ଦେଇଛନ୍ତି । ଯାହା ଲିଗର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବିଦେଶୀ ଖେଳାଳିଙ୍କୁ ଧମକ

ପାକିସ୍ତାନର ଏକ ଏକ୍ସ ହ୍ୟାଣ୍ଡେଲଇସଲାମାବାଦ ପୋଷ୍ଟପକ୍ଷରୁ ଆତଙ୍କବାଦୀ ସଙ୍ଗଠନ ଟିଟିପି (ତେହରିକ-ଇ-ତାଲିବାନ ପାକିସ୍ତାନ) ର ଏକ ବାର୍ତ୍ତା ସେୟାର କରାଯାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ,ବିଦେଶୀ ଖେଳାଳିମାନେ ପିଏସଏଲ ଖେଳିବା ପାଇଁ ପାକିସ୍ତାନ ଗସ୍ତରେ ନଆସିବା ଉଚିତ । ସେମାନଙ୍କ ସୁରକ୍ଷା ପ୍ରତି କୌଣସି ଗ୍ୟାରେଣ୍ଟି ନାହିଁ । ନିଜ ସୁରକ୍ଷାକୁ ଗୁରୁତ୍ୱ ଦେଇ ତୁରନ୍ତ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବା ଉଚିତ । ଆମେ କ୍ରିକେଟକୁ ବିରୋଧ କରୁନୁ । କିନ୍ତୁ ଏବେ ଯେଉଁଭଳି ସ୍ଥିତି ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ଆଦୌ ଉପଯୁକ୍ତ ନୁହେଁ । ମଧ୍ୟପ୍ରାଚ୍ୟ ଅଶାନ୍ତ ରହିଥିବାରୁ ପିଏସଏଲକୁ ରୁଦ୍ଧ ଦ୍ୱାରରେ ମାତ୍ର ୨ଟି ଭେନ୍ୟୁରେ (ଲାହୋର ଓ କରାଚୀ) ଆୟୋଜନ କରିବା ପାଇଁ ପିସିବି ନିଷ୍ପତ୍ତି ନେଇଛି ।

ପାକିସ୍ତାନରେ ସ୍ଥିତି ଜଟିଳ

ଆତଙ୍କବାଦୀଙ୍କ ଧମକ ପରେ ସ୍ଥିତି ଅଧିକ ଜଟିଳ ହୋଇ ପଡ଼ିଛି । ଏଥର ଡେଭିଡ୍ ୱାର୍ଣ୍ଣର,ଷ୍ଟିଭେନ ସ୍ମିଥ୍,ମୋଇନ ଅଲି,ଡେଭନ କନୱେ ଓ ଆଦାମ ଜାମ୍ପାଙ୍କ ଭଳି ଖେଳାଳି ଲିଗ ଖେଳିବା ନେଇ ଚୁକ୍ତି କରିଛନ୍ତି । ମୁଲତାନ ସୁଲତାନରେ ସାମିଲ ହେବା ପାଇଁ ସୋମବାର ସ୍ମିଥ୍ ପାକିସ୍ତାନ ପହଞ୍ଚିଥିବା ଜାଣିବାକୁ ମିଳିଛି । ପିଏସଏଲ୍ ଓ ଆଇପିଏଲ୍ ଏକ ସମୟରେ ଆୟୋଜିତ ହେଉଥିବାରୁ ଯେଉଁମାନେ ଆଇପିଏଲ ଖେଳୁଥିଲେ ସେମାନେ ପିଏସଏଲ୍ ଖେଳିବାକୁ ପସନ୍ଦ କରୁ ନାହାନ୍ତି । ଶେଷ ମୁହୂର୍ତ୍ତରେ ବିଭିନ୍ନ କାରଣ ଦର୍ଶାଇ ଓହରି ଯାଉଛନ୍ତି ।

Also Read :-IPL ସାମ୍ନାରେ ପିଏସ୍ଏଲ ଫିକା ! କେବଳ ଦୁଇଟି ସହରରେ ହେବ ପାକିସ୍ତାନ ସୁପର ଲିଗ୍, ଆସିବେନି ଦର୍ଶକ

ଯେଉଁ ବିଦେଶୀ ଖେଳାଳିମାନେ ଆଇପିଏଲ ଖେଳିବା ନେଇ ଓହରି ଯାଉଛନ୍ତି ସେମାନଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ କଥା ଚିନ୍ତା ନକରି ଲିଗ୍ ଆୟୋଜନ ଉପରେ ପିସିବି ଫୋକସ କରୁଛି । କିନ୍ତୁ ରିପୋର୍ଟ ଅନୁସାରେ,ଚୁକ୍ତି ଖିଲାପ କରିଥିବା ଖେଳାଳିଙ୍କ ବିରୋଧରେ ପିସିବି ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଦୁଇରୁ ଚାରି ବର୍ଷ ଉକ୍ତ ଖେଳାଳିଙ୍କୁ ପିଏସଏଲରୁ ବାସନ୍ଦ କରିବା ସହ ଏ ବିଷୟରେ ଆଇସିସିକୁ ଅବଗତ କରାଇବ । ଆଇପିଏଲ ପାଇଁ ଯେଉଁ ବିଦେଶୀ ଖେଳାଳିମାନେ ପିଏସଏଲରୁ ଓହରି ଯାଇଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ଗୁଦାକେଶ ମୋତି,ଜନସନ ଚାର୍ଲସ,ଡାସୁନ ଶଣକା,ବ୍ଲେସିଂ ମୁଜରବାନୀ,ସ୍ପେନସର ଜନସନ,ଜାକ ଫ୍ରେଜର ମ୍ୟାକଗର୍କ,ତାଇମଲ ମିଲ୍ସ ଓ ରହମନୁଲ୍ଲା ଗୁରବାଜ । ପିଏସଏଲ୍ ଓ ଆଇପିଏଲ୍ ମଧ୍ୟରେ ପାରିଶ୍ରମିକ ଆକାଶ ପାତାଳ ପ୍ରଭେଦ ରହିଛି । ତେଣୁ ଖେଳାଳିମାନେ ଆଇପିଏଲକୁ ଗୁରୁତ୍ୱ ଦେଉଛନ୍ତି । ଆଇପିଏଲ ଅନୁସାରେ ପିସିବି ଦରମା ଦେଇପାରିବେ ନାହିଁ ।