ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ନେଇ ସଂକେତ ମିଳିଛି । ପ୍ଲେଇଂ ଇଲେଭେନ ସଂପର୍କରେ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି ଦିଲ୍ଲୀ । ଏଥର ଟିମର ଶୀର୍ଷ କ୍ରମରେ ଥିବା ତ୍ରୁଟିକୁ ଦୂର କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ହେଡ୍ କୋଚ୍ ହେମାଙ୍ଗ ବଦାନୀ କହିଛନ୍ତି । ବଦାନୀ ସ୍ପଷ୍ଟ କରିଛନ୍ତି ଯେ, କେଏଲ ରାହୁଲ ଏଥର ଓପନିଂ କରିବେ । ଆଇପିଏଲ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ ୭ଟି ଓପନିଂ ଯୋଡ଼ି ମୈଦାନକୁ ଓହ୍ଲାଇଥିଲା । କିନ୍ତୁ ସବୁ ଫେଲ୍ ମାରିଥିଲେ ।

କେଏଲ ରାହୁଲ ଓପନିଂ କରିବେ

ଗତ ସିଜିନରେ କେଏଲ ରାହୁଲ ପ୍ରାୟତଃ ୩ ଏବଂ ୪ ନମ୍ବରରେ ବ୍ୟାଟିଂ କରିଥିଲେ। ସେ ସିଜିନର ଶେଷ କିଛି ମ୍ୟାଚ୍ରେ ଇନିଂସ ଓପନିଂ କରିବାର ସୁଯୋଗ ପାଇଥିଲେ । ପ୍ରଶିକ୍ଷକ ହେମାଙ୍ଗ ବଦାନୀ ପ୍ରି-ସିଜିନ୍ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ, ଏଥର ବରିଷ୍ଠ ଖେଳାଳି ରାହୁଲ ଇନିଂସ ଓପନ କରିବେ। ହେଲେ ତାଙ୍କର ଓପନିଂ ସାଥୀଙ୍କ ନାମ ପ୍ରକାଶ କରାଯାଇ ନାହିଁ।

Also Read: IPL 2026 Fan Park: ଫ୍ୟାନ ପାର୍କ ପାଇଁ ୧୫ ସହରର ତାଲିକା ଜାରି କଲା BCCI, ଓଡ଼ିଶାର ୨ଟି ସହର ସାମିଲ୍

ଗତ ସଜିନରେ, ଦିଲ୍ଲୀ ଫାଫ୍ ଡୁ ପ୍ଲେସିସ୍, କେଏଲ ରାହୁଲ, ଅଭିଷେକ ପୋରେଲ୍, କରୁଣ ନାୟାର, ଜାକ୍ ଫ୍ରେଜର ମ୍ୟାକଗର୍କ ସମେତ ମୋଟ ୭ଟି ଓପନିଂ ଯୋଡ଼ି ମୈଦାନକୁ ଓହ୍ଲାଇଥିଲା ଏବଂ ଶୀର୍ଷ କ୍ରମରେ ୧୩ଟି ପରିବର୍ତ୍ତନ କରାଯାଇଥିଲା।

ଦିଲ୍ଲୀ କ୍ୟାପିଟାଲ୍ସ IPL 2026ର ପ୍ରଥମ ମ୍ୟାଚ୍ ଏପ୍ରିଲ ୧ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ଖେଳିବ। ମ୍ୟାଚ୍ ପୂର୍ବରୁ, ପ୍ରଶିକ୍ଷକ ହେମାଙ୍ଗ ବଦାନୀ କହିଛନ୍ତି ଯେ, T20 କ୍ରିକେଟରେ ଓପନିଂ ପାର୍ଟନରସିପ୍ ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ଦିଲ୍ଲୀ ଏଥର କେଏଲ ରାହୁଲଙ୍କୁ ଓପନିଂ ଦାୟିତ୍ୱ ଦେବ।

IPL 2025 ରେ କେଏଲ ରାହୁଲଙ୍କ ପ୍ରଦର୍ଶନ

କେଏଲ ରାହୁଲ ଟି-୨୦ ମ୍ୟାଚ୍ରେ ତାଙ୍କର ହାରାହାରି ଷ୍ଟ୍ରାଇକ୍ ରେଟ୍ ପାଇଁ ସମାଲୋଚନାର ଶିକାର ହୋଇଛନ୍ତି। ତଥାପି, ସେ ଏବେ ତାଙ୍କର ବ୍ୟାଟିଂ ଶୈଳୀରେ ଉନ୍ନତି ଆଣିଛନ୍ତି। ଆଇପିଏଲ୍ ୨୦୨୫ରେ, ସେ ୧୩ ମ୍ୟାଚ୍ରେ ୫୩୯ ରନ୍ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ପ୍ରାୟ ୧୫୦ ଷ୍ଟ୍ରାଇକ୍ ରେଟ୍ରେ ସ୍କୋର କରିଥିଲେ। ଦିଲ୍ଲୀ ଟିମ୍ରେ କେଏଲଙ୍କ ସହିତ ଓପନିଂ ଲାଗି ଅଭିଷେକ ପୋରେଲ୍, ପଥୁମ୍ ନିସାଙ୍କା ଏବଂ ପୃଥ୍ୱୀ ଶ'ଙ୍କ ଭଳି ଖେଳାଳି ଅଛନ୍ତି।