ଭୁବନେଶ୍ବର ୨୨।୨: ରାଜ୍ୟସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ତାରିଖ ଘୋଷଣା ସହ ଓଡ଼ିଶା ରାଜନୀତିକୁ ସରଗରମ କଲାଣି ରାଜ୍ୟସଭା ନିର୍ବାଚନ । ଚତୁର୍ଥ ଆସନକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ଏହାରି ଭିତରେକଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବୟାନ ଚତୁର୍ଥ ଆସନର ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି ।ତାରା କହିଛନ୍ତି, ପିସିସି ସଭାପତି ନିଷ୍ପତି ନେଇଛନ୍ତି କଂଗ୍ରେସରୁ ପ୍ରାର୍ଥୀ ଦିଆଯିବ । ଶନିବାର କଂଗ୍ରେସ ବିଧାୟକ ଦଳ ନେତାଙ୍କ ଚାମ୍ବରରେ ପିସିସି ସଭାପତି ରୁଦ୍ଧଦ୍ଵାରା ବୈଠକ କରିଛନ୍ତି । କଂଗ୍ରେସର ବିଧାୟକ ମାନେ ଶପଥ ନେଇଛନ୍ତି, କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ।

ଏ ଖବର ବି ପଢ଼ନ୍ତୁ:- ସରକାର ପ୍ରସ୍ତାବକୁ ଅଗ୍ରାହ୍ୟ କରିନାହାନ୍ତି, ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇ ପକାଇ ରଖିବା ଆମ ଉଦ୍ଦେଶ୍ୟ ନୁହେଁ

ବିଜେପି ଯାହା ଭାବୁଛି ବିଜେଡି ସହ ମିଶି ପ୍ରାର୍ଥୀ ଦେବେ ତାହା ସଫଳ ହେବନାହିଁ । କଂଗ୍ରେସ ଯେଉଁ ପ୍ରାର୍ଥୀ ଦେବ ତାକୁ ବିଜେଡିର କିଛି ବିଧାୟକ ସମର୍ଥନ ଦେବେ । ଏନେଇ ବିଚାର ବିମର୍ଶ ଚାଲିଛି । ବିଜେପିର ମଧ୍ୟ କିଛି ବିଧାୟକ ସମ୍ପର୍କରେ ଅଛନ୍ତି । ରାହୁଲ ଗାନ୍ଧୀ କିଛି ଦିନ ଭିତରେ ଏ ନେଇ ଆଲୋଚନା ପାଇଁ ଡାକିବେ । କିଏ ପ୍ରାର୍ଥୀ ହେବେ ତାହା ଭକ୍ତ ଦାସ ନିଷ୍ପତି ନେବେ ବୋଲି ତାରା ବାହିନୀପତି କହିଛନ୍ତି ।

ଏ ଖବର ବି ପଢନ୍ତୁ:- ସପ୍ତମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଉଲ୍ଲେଖଯୋଗ୍ୟ ଯେ, ଭକ୍ତ ଦାସ କହିଥିଲେ, ରାଜ୍ୟସଭା ପାଇଁ କଂଗ୍ରେସ ପକ୍ଷରୁ ନିଶ୍ଚିତ ଭାବରେ ଜଣେ ପ୍ରାର୍ଥୀ ଦିଆଯିବ । ଆମେ ଜାଣିଛୁ ଯେ ଆମ ପାଖରେ ଜିତିବା ପାଇଁ ଯେତିକି ସଂଖ୍ୟାବଳ ଦରକାର ତାହା ନାହିଁ, କିନ୍ତୁ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମେ ବିରୋଧୀ ଦଳର କର୍ତ୍ତବ୍ୟ ନିଶ୍ଚୟ ତୁଲାଇବୁ । ଯଦି ନବୀନ ପଟ୍ଟନାୟକ ସମୟ ଦେବେ, ତେବେ ଆମେ ଏ ବାବଦରେ ଆଲୋଚନା କରିବାକୁ ପ୍ରସ୍ତୁତ । ରାଜ୍ୟର ହିତ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଦେବାକୁ ପଛାଇବ ନାହିଁ । ଯଦି ବିଜେଡି ସମର୍ଥନ କରେ, ତେବେ ଆମେ ଜଣେ ନିର୍ଦ୍ଧାରିତ ପ୍ରାର୍ଥୀ ଦେବୁ । କିନ୍ତୁ ଯଦି ବିଜେଡି ସମର୍ଥନ ନକରେ, ତେବେ ପାର୍ଟି ଯାହାକୁ ଚୟନ କରିବ, ଆମେ ସେହି ରାଜନୈତିକ ବ୍ୟକ୍ତିଙ୍କୁ ହିଁ ପ୍ରାର୍ଥୀ କରିବୁ ବୋଲି ଭକ୍ତ ଦାସ କହିଥିଲେ ।