ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ରାମ ମନ୍ଦିର ନିର୍ମାଣ ପାଇଁ ଦେଇଥିବା ନିଜର ଦାନ ଅର୍ଥ ଫେରସ୍ତ ମାଗିଛନ୍ତି। ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଓ ଏହାର ପରିଚାଳନାରେ ଚୋରି ତଥା ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ସେ ଏହି ଦାବି କରିଛନ୍ତି। କଂଗ୍ରେସ ନେତା ଦିଗବିଜୟ ସିଂହ ଅଭିଯୋଗ କରିଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ନାମରେ ସଂଗ୍ରହ କରାଯାଇଥିବା ଅର୍ଥର ଅପବ୍ୟବହାର କରାଯାଇଛି ଏବଂ ଏଥିରେ ବଡ଼ ଧରଣର ଦୁର୍ନୀତି ହୋଇଛି।

ସେ କହିଛନ୍ତି ଯେ, ଜଣେ ସନାତନୀ ହିନ୍ଦୁ ଏବଂ ଭକ୍ତ ଭାବେ ସେ ମନ୍ଦିର ନିର୍ମାଣ ପାଇଁ ଶ୍ରଦ୍ଧାର ସହ ଅର୍ଥ ଦାନ କରିଥିଲେ। କିନ୍ତୁ ବର୍ତ୍ତମାନ ସାମ୍ନାକୁ ଆସୁଥିବା ଆର୍ଥିକ ଅନିୟମିତତା ଅଭିଯୋଗ ଯୋଗୁଁ ସେ ଅତ୍ୟନ୍ତ ମର୍ମାହତ ଏବଂ ତାଙ୍କ ଦ୍ୱାରା ଦିଆଯାଇଥିବା ଦାନ ରାଶି ତାଙ୍କୁ ତୁରନ୍ତ ଫେରସ୍ତ କରାଯାଉ। ଏହି ଅର୍ଥ ଫେରସ୍ତ ପାଇଁ ସେ ଅଦାଲତଙ୍କ ଦ୍ବାରସ୍ଥ ହେବେ ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ।

ସେ କହିଛନ୍ତି, ରାମ ମନ୍ଦିର ନିର୍ମାଣ ପାଇଁ ଯେତେବେଳେ ଦେଶବ୍ୟାପୀ ପାଣ୍ଠି ସଂଗ୍ରହ ଅଭିଯାନ ଚାଲିଥିଲା, ସେତେବେଳେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ  ୧ ଲକ୍ଷ ୧୧ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଏଥିସହିତ ସେ ସେତେବେଳେ ଦେଶରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ମଧ୍ୟ ଅପିଲ୍ କରିଥିଲେ। ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ଦିଗବିଜୟ ସିଂହ ଏବଂ ଅନ୍ୟ ବିରୋଧୀ ଦଳର ନେତାମାନେ ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା କରାଯାଇଥିବା ଜମି କିଣାବିକା ଏବଂ ଅନ୍ୟାନ୍ୟ ଆର୍ଥିକ କାରବାର ଉପରେ ପ୍ରଶ୍ନ ଉଠାଇଛନ୍ତି। ମନ୍ଦିର ନିର୍ମାଣରେ ସ୍ୱଚ୍ଛତା ରଖାଯାଉ ନାହିଁ ବୋଲି ସେ ବାରମ୍ବାର ବିଜେପି ଓ ଟ୍ରଷ୍ଟକୁ ଟାର୍ଗେଟ୍ କରିଆସୁଛନ୍ତି।

ଦିଗବିଜୟ ସିଂହ ଆହୁରି କହିଛନ୍ତି, ‘ରାମ ମନ୍ଦିର ପାଇଁ ଦୁଇ ଥର ଚାନ୍ଦା ଅଭିଯାନ ହୋଇଥିଲା।  ପ୍ରଥମ ଥର ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରା ଅଭିଯାନ ସମୟରେ ଅର୍ଥ ଦାନ କରିଥିଲି । କିନ୍ତୁ ପ୍ରଥମ ଥର ସଂଗୃହୀତ ଦାନ ଅର୍ଥର ହିସାବ ଦିଆଯାଇନଥିଲା । ଅଯୋଧ୍ୟାରେ ରାମ ମନ୍ଦିର ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ପରେ, ପାଣ୍ଠି ସଂଗ୍ରହ ଅଭିଯାନ ପୁଣି ଥରେ ଆରମ୍ଭ ହୋଇଥିଲା । ଏହି ଅଭିଯାନ ବିଶ୍ବ ହିନ୍ଦୁ ପରିଷଦ ଆରମ୍ଭ କରିଥିଲା । ସେମାନଙ୍କ ଉପ​‌ରେ ମୋର ବିଶ୍ବାସ ନଥିବାରୁ ମୁଁ ଅର୍ଥ ଦେଇନଥିଲି। ତେଣୁ ମୁଁ ସିଧାସଳଖ ଟ୍ରଷ୍ଟକୁ ଦାନ କରିଥିଲି ।’

ଦିଗବିଜୟ ସିଂହ କହିଛନ୍ତି ଯେ, ମଧ୍ୟପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ୧ ଲକ୍ଷ ଟଙ୍କା ଦାନ କରିଥିଲେ, ତେଣୁ ସେ ଅଧିକ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ମନ୍ଦିର ଟ୍ରଷ୍ଟକୁ ୧ ଲକ୍ଷ ୧୧ ହଜାର ଟଙ୍କା ଦାନ ଦେଇଥିଲେ ବୋଲି ଦାବି କରିଛନ୍ତି । ଏହା ସହ ଏହି ଅର୍ଥ ଟ୍ରଷ୍ଟରେ ଜମା କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ବୋଲି ମଧ୍ୟ କହିଛନ୍ତି ।