ନୂଆଦିଲ୍ଲୀ ୨୬।୦୯; ମଧ୍ୟ ଆଫ୍ରିକୀୟ ଦେଶ କଙ୍ଗୋରେ ବଡ଼ ଅଘଟଣ । ସାମରିକ ବିମାନ ଦୁର୍ଘଟଣାରେ ଚାଲିଗଲା ୧୪ ଜୀବନ । ମୃତକଙ୍କ ମଧ୍ୟରେ ରହିଛନ୍ତି ୩ ଜଣ ସେନା ଅଧିକାରୀ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ନେଇ ଜଣାପଡ଼ିଛି । କିକ୍ୱିଟ୍ ସହରରୁ ରାଜଧାନୀ କିନଶାସା ଅଭିମୁଖେ ଉଡ଼ାଣ ଭରିଥିଲା ସାମରିକ ବିମାନ । ତେବେ ଉଡ଼ାଣ ପରେ ବିମାନରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପାଇଲଟ୍ କ୍ୱାଙ୍ଗୋ ପ୍ରଦେଶର କେଙ୍ଗେରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରିଥିଲେ ।

​​​​​​​

ହେଲେ ଆବଶ୍ୟକ ରନୱେ ନଥିବାରୁ ଅବତରଣ କରିବାରେ ବିଫଳ ହୋଇଥିଲା । ବିମାନଟି ନିୟନ୍ତ୍ରଣ ହରାଇ ଏକ ଆବାସିକ ଅଞ୍ଚଳ ଉପରେ ଖସିପଡ଼ିଥିଲା । ଆଉ ବିମାନ ମାଟିରେ ପିଟି ହେବା ହେବା ମାତ୍ରେ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ । ଦୁର୍ଘଟଣାରେ କଙ୍ଗୋ ସେନାର ଅଡିଟର ଜେନେରାଲ ଲିକୁଲିଆ ବାକୁମିଙ୍କ ସମେତ ଜଣେ ମେଜର ଓ ଜଣେ କ୍ୟାପ୍ଟେନଙ୍କ ମୃତ୍ୟୁ ଘଟିଛି । ଏହା ସହ ଅନ୍ୟ ସାମରିକ କର୍ମଚାରୀ ଏବଂ କିଛି ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି ।

ଘଟଣା ପରେ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବାକୁ ଆରମ୍ଭ ହୋଇଛି ତଦନ୍ତ । କଙ୍ଗୋର ବିମାନ ଦୁର୍ଘଟଣା ତଦନ୍ତ ସଂସ୍ଥା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ବିମାନରେ ଯାନ୍ତ୍ରିକ ତ୍ରୁଟି କାହିଁକି ଦେଖାଦେଲା, ଜରୁରୀକାଳୀନ ଅବତରଣ କାହିଁକି ସଫଳ ହେଲା ନାହିଁ-ଏସବୁ ଦିଗରୁ ଖୋଳତାଡ଼ ଆରମ୍ଭ ହୋଇଛି । ସେପଟେ କଙ୍ଗୋର ପୂର୍ବାଞ୍ଚଳରେ ବିଦ୍ରୋହୀଙ୍କ ସହ ସଂଘର୍ଷ ଜାରି ରହିଥିବା ବେଳେ ସାମରିକ ବିମାନର ଏହି ଦୁର୍ଘଟଣା ଚିନ୍ତା ବଢ଼ାଇଛି । ତେବେ ଦୁର୍ଘଟଣା ପଛରେ କେବଳ ଯାନ୍ତ୍ରିକ ତ୍ରୁଟି ରହିଛି ନା ଅନ୍ୟ କୌଣସି କାରଣ, ତଦନ୍ତ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ।

Also Read-ଜାତିସଂଘରେ ବର୍ଷିଲେ ନେତାନ୍ୟାହୁ: ଇରାନ, କତାର, ତୁର୍କୀ ଓ ସିରିଆକୁ ଟାର୍ଗେଟ୍, କକ୍ଷ ତ୍ୟାଗ କଲେ ବିରୋଧୀ