ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ମଦ ବଜାର ଆମେରିକା ଓ ଚୀନରେ ଲୋକେ ମଦଠାରୁ ଏବେ ଦୂରେଇବାରେ ଲାଗିଛନ୍ତି। ହେଲେ ଭାରତରେ ଏହାର ଓଲଟା ଦେଖା ଯାଉଛି। ୨୦୨୬ର ପ୍ରଥମ ୬ ମାସ ଅର୍ଥାତ ଜାନୁୟାରୀରୁ ଜୁନ ମଧ୍ୟରେ ଭାରତରେ ମଦ ବିକ୍ରି ୧୦% ବଢିଛି। ଡ୍ରିଙ୍କସ୍ ରିସର୍ଚ୍ଚ ଫାର୍ମ ଆଇଡବ୍ଲୁଏସଆର ରିପୋର୍ଟ ଅନୁସାରେ ବିଶ୍ୱର ୨୧ ବୃହତ ମଦ ବଜାରରେ ଭାରତର ଅଭିବୃଦ୍ଧି ବେଶ୍ ଦ୍ରୁତ ରହିଛି। ତେବେ ଆଶ୍ୱସ୍ତିର କଥା ଯାହା ତାହା ହେଉଛି ବିଶ୍ୱରେ ମଦ ବିକ୍ରି ହ୍ରାସ ହେଉଥିବା ବେଳେ ଭାରତରେ ପ୍ରତ୍ୟେକ କ୍ୟାଟଗରୀର ମଦ ବିକ୍ରି ବେଶ୍ ବୃଦ୍ଧି ପାଉଛି।

ଆଇଡବ୍ଲୁଏସଆର ତଥ୍ୟ ଅନୁସାରେ ବିଶ୍ୱର ଯେଉଁ ୨୧ ବଡ଼ ବଜାର ଉପରେ ନଜର ରଖାଯାଉଛି ସେହି ସବୁ ବଜାରରେ ଦୁନିଆର ୭୬% ମଦ ବିକ୍ରି ହୁଏ। ତେବେ ସେହି ବଜାରରେ ଏବେ ୧% ବିକ୍ରି ହ୍ରାସ ଦେଖା ଯାଇଛି। ବିଶ୍ୱରେ ଆମେରିକା ସବୁଠୁ ବଡ ମଦ ବଜାର, ହେଲେ ଏଠାରେ ଏବେ ମଦ ବିକ୍ରି ୪% ପର୍ଯ୍ୟନ୍ତ ହ୍ରାସ ହୋଇଛି। ଦ୍ୱିତୀୟ ବୃହତ୍ତ ବଜାର ଚୀନ୍ ହୋଇଥିବା ବେଳେ ସେଠାରେ ମଦ ବିକ୍ରିରେ ୩% ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି। ଏଥିରେ ଯଦି ଆମେରିକା ଓ ଚୀନକୁ ହଟାଇ ଦିଆଯାଏ ତେବେ ବାକି ଦେଶମାନଙ୍କରେ ମଦ ବିକ୍ରି ମାତ୍ର ୧% ବଢିଛି। ଏଥିରେ ଭାରତୀୟ ବଜାର ୧୦% ହାରରେ ବଢିବା ସାରା ବିଶ୍ୱର ନଜର ଆକର୍ଷଣ କରିଛି। ଭାରତ ବ୍ୟତୀତ ମେକ୍ସିକୋ ଓ ଥାଇଲ୍ୟାଣ୍ଡ ବଜାର ମଧ୍ୟ ବୃଦ୍ଧିହେବାରେ ଲାଗିଛି।

ବିଶେଷଜ୍ଞଙ୍କ ଅନୁସାରେ ବୈଶ୍ୱିକ ସ୍ତରରେ ଲୋକେ ଏବେ ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ସଚେତନ ହେଉଛନ୍ତି। ଏହା ଛଡା ଓଜନ ହ୍ରାସ ଔଷଧ ସେବନ ସାଙ୍ଗକୁ ମୂଲ୍ୟବୃଦ୍ଧି, ଆମେରିକା ଓ ଚୀନରେ ଆର୍ଥିକ ଅନିଶ୍ଚିତତା ଲୋକେ ମଦଠାରୁ ଦୂରେଇବାରେ ଲାଗିଛନ୍ତି। ଏହାର ବିପରୀତ ଭାରତର ଯୁବ ଜନସଂଖ୍ୟା ବୃଦ୍ଧି, ଉନ୍ନତ ଜୀବନ ଶୈଳୀ ଓ ଡ୍ରିଂକ କ୍ୟାଟଗରୀ ଲାଗି ଲୋକଙ୍କ ବଢୁଥିବା ପସନ୍ଦ ଭାରତୀୟ ମଦ ବଜାର ଲଗାତାର ମଜଭୁତ ହେବାରେ ଲାଗିଛି। ଆଇଡବ୍ଲୁଏସଆର ପରିଚାଳନା ନିର୍ଦ୍ଦେଶକ ମାର୍ଟେନ ଲୋଡେଭିଜକ୍ସ କହିଛନ୍ତି ଯେ ଅନ୍ତର୍ଜାତୀୟ ସ୍ତରର ଗ୍ଲୋବାଲ ବ୍ରାଣ୍ଡସଙ୍କ ପାଇଁ ଭାରତ ଏବେ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବଜାରରେ ପରିଣତ ହୋଇଛି।