• ଏଲିସ ହୁଆଙ୍ଗ ତାଙ୍କ ସ୍ୱାମୀ ଓ ଭଉଣୀଙ୍କ ସହ ମିଶି ଚୀନ୍ ଏବଂ ସିଙ୍ଗାପୁରରେ କମ୍ପାନୀମାନଙ୍କର ଏକ ନେଟୱାର୍କ ଗଢିଥିଲେ
  • ଆମେରିକାର ରପ୍ତାନୀ କଟକଣା କାରଣରୁ ଏନଭିଡିଆର କିଛି ଚିପ୍ ଅର୍ଡର ଅଟକିଥିଲା
  • ଏହି ମାମଲାର ଯାଞ୍ଚ ଏଫବିଆଇ କରୁଛି। ଟ୍ରମ୍ପ କହିଛନ୍ତି ଯେ ଜେନସନ ହୁଆଙ୍ଗଙ୍କ ସହ ସେ କଥା ହୋଇଛନ୍ତି

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ମାଇକ୍ରୋଚିପ୍ ନିର୍ମାତା ଏନଭିଡିଆର ସିଇଓ ଜେନସନ ହୁଆଙ୍ଗ ଏକ ବଡ଼ ବିବାଦରେ ଫଶୁଥିବାର ଦେଖାଯାଉଛନ୍ତି। ଆମେରିକୀୟ ଗଣମାଧ୍ୟମ ‘ଦି ଇନଫର୍ମେସନ’ର ଏକ ରିପୋର୍ଟ ଅନୁସାରେ ଚୀନ୍ ଗୁଇନ୍ଦା ଏଲିସ୍ ହୁଆଙ୍ଗ ଓରଫ ହୁଆଙ୍ଗ ଲିଙ୍କ ସହିତ ଜେନସନଙ୍କ କଥିତ ସମ୍ପର୍କ ଚୀନ୍ କମ୍ପାନୀଙ୍କ ପର୍ଯ୍ୟନ୍ତ ଅନୁନ୍ୟ ୭.୫ ବିଲିୟନ ଡଲାର ମୂଲ୍ୟର ଏନଭିଡିଆ ଚିପ୍ ପହଞ୍ଚାଇବାରେ ସହାୟତା କରିଛି। ରିପୋର୍ଟରେ ଏହି ମହିଳାଙ୍କୁ ଜାଣିଥିବା ୨ ଜଣଙ୍କ ସୂତ୍ରରୁ ଏହି ଦାବି କରାଯାଉଛି। ତେବେ ଏଲିସ ହୁଆଙ୍ଗ ଓ ଜେନସନ ହୁଆଙ୍ଗଙ୍କ ମଧ୍ୟରେ କୌଣସି ପାରିବାରିକ ସମ୍ପର୍କ ନାହିଁ।

ରିପୋର୍ଟ ଅନୁସାରେ ଏଲିସ ହୁଆଙ୍ଗ ତାଙ୍କ ସ୍ୱାମୀ ଓ ଭଉଣୀଙ୍କ ସହ ମିଶି ଚୀନ୍ ଏବଂ ସିଙ୍ଗାପୁରରେ କମ୍ପାନୀମାନଙ୍କର ଏକ ନେଟୱାର୍କ ଗଢିଥିଲେ। ଏହି ନେଟୱାର୍କ କେନ୍ଦ୍ରରେ ସଂଘାଇର କମ୍ପାନୀ ସେଞ୍ଚୁରୀ ଲି ଟୋଙ୍ଗ ଥିଲା। ୨୦୨୩ ମସିହାରେ ସ୍ଥାପିତ ଏହି କମ୍ପାନୀକୁ ମାତ୍ର କିଛି ମାସରେ ଏନଭିଡିଆର ପସନ୍ଦଯୋଗ୍ୟ କ୍ଲାଉଡ ପାର୍ଟନରର ମାନ୍ୟତା ମିଳିଯାଇଥିଲା। ଏହି ଦ୍ୱାରା କମ୍ପାନୀକୁ ଚିପ୍ ପାଇଁ ପ୍ରାଥମିକତା ଆଧାରରେ ପହଞ୍ଚ ମିଳିଥିଲା। ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାର ରପ୍ତାନୀ କଟକଣା କାରଣରୁ ଏନଭିଡିଆର କିଛି ଚିପ୍ ଅର୍ଡର ଅଟକିବାରୁ ଏଲିସ କମ୍ପାନୀ ଓ ଏହାର ବିତରକଙ୍କ ଉପରେ ନିଜ ସମ୍ପର୍କର ପ୍ରଭାବ ପକାଇ ଯୋଗାଣ ହାସଲ କରିଥିଲେ।

ଏହି ମାଧ୍ୟମରେ ସେ ପାଖାପାଖି ୨.୪୦ଲକ୍ଷ ଏଚ-୧୦୦, ଏଚ-୨୦୦ ଓ ଏ-୧୦୦ ଚିପ୍ ଚୀନ ପହଞ୍ଚାଇଥିଲେ। ଏଥିରେ ଏପରି କିଛି ଚିପ୍ ମଧ୍ୟ ସାମିଲ ଥିଲା ଯାହା ଚୀନ୍ ରେ ବିକ୍ରି ଲାଗି ଆମେରିକାର କଟକଣା ଥିଲା। ସେଞ୍ଚୁରୀ ଲିଟଙ୍ଗ ଏହି ଚିପ୍ ଗୁଡିକୁ ଡାଟା ସେଣ୍ଟର ଚଳାଇବା ଓ କମ୍ପ୍ୟୁଟିଂ କ୍ଷମତା ଭଡାରେ ଲଗାଇବାରେ ଉପଯୋଗ କରିଥିଲା। ରିପୋର୍ଟ ଅନୁସାରେ ଏହାର ସେବାକୁ ଆଲିବାବା, ଟେନସେଣ୍ଟ ଓ ଚୀନର କିଛି ଛୋଟ ଏଆଇ ଲ୍ୟାବରେ ମଧ୍ୟ ଉପଯୋଗ କରାଯାଇଥିଲା। ଏଲିସ ହୁଆଙ୍ଗ ସିଙ୍ଗାପୁର କମ୍ପାନୀ ମେଗା ସ୍ପିଡ୍ ର ବରିଷ୍ଠ ପଦବୀରେ ଥିଲେ। ଏହାର ମାଲେସିୟା ସହଯୋଗୀ କମ୍ପାନୀ ସ୍ପିଡ ମେଟ୍ରିକ୍ସ ମାଧ୍ୟମରେ ହାସଲ କରାଯାଇଥିବା ହାର୍ଡୱେର ମଧ୍ୟ ପରେ ସେଞ୍ଚୁରୀ ଲିଟୋଙ୍ଗକୁ ପହଞ୍ଚିଥିଲା। ଆମେରିକୀୟ ଅଧିକାରୀ ଦକ୍ଷିଣ-ପୂର୍ବ ଏସିୟା ରାସ୍ତାରେ ଚୀନ୍ ପର୍ଯ୍ୟନ୍ତ ଚିପ୍ ପହଞ୍ଚାଇବା ମାମଲାରେ ମେଗାସ୍ପିଡର ଯାଞ୍ଚ କରୁଛନ୍ତି।

ଆମେରିକା ରାଷ୍ଟ୍ରପଚି ଡୋନାଲ୍ଡ ଟ୍ରମ୍ପ ସୋମବାର ଘୋଷଣା କରିଛନ୍ତି ଯେ ଏହି ମାମଲାର ଯାଞ୍ଚ ଏଫବିଆଇ କରୁଛି। ଟ୍ରମ୍ପ କହିଛନ୍ତି ଯେ ଜେନସନ ହୁଆଙ୍ଗଙ୍କ ସହ ସେ କଥା ହୋଇଛନ୍ତି। ହୁଆଙ୍ଗ ତାଙ୍କୁ କହିଛନ୍ତି ଯେ ଏଲିସ୍ ହୁଆଙ୍ଗ କଥିତ ରୂପେ ଗୁଇନ୍ଦା ଗତିବିଦ୍ଧିରେ ସାମିଲଥିବା ସେ ଜାଣି ନଥିଲେ। ଟ୍ରମ୍ପ କହିଛନ୍ତି ଯେ ଲାଗୁଛି ହୁଆଙ୍ଗ ଠିକ୍ ରହିବେ। ଟ୍ରମ୍ପ ଏହା ବି କହିଛନ୍ତି ଯେ ହୁଆଙ୍ଗଙ୍କ ସମ୍ପର୍କରେ ଫରେନ ସେକ୍ରେଟାରୀ ମାର୍କୋ ରୁବିୟୋ ତାଙ୍କୁ ପଠାଇଥିବା କ୍ଲାସିଫାଏଡ ମେମୋକୁ ସେ ପଢି ନଥିଲେ। ରୁବିୟୋ ଟ୍ରମ୍ପଙ୍କ ଚୀନ ଯାତ୍ରା ପୂର୍ବରୁ ମେ ମାସରେ ଟ୍ରମ୍ପ ପ୍ରଶାସନକୁ ମେମୋ ପଠାଇଥିଲେ।

ସେପଟେ ଏନଭିଡିଆ ବୋର୍ଡ କମ୍ପାନୀ ମୁଖ୍ୟ ବିଦେଶୀ ଗୁଇନ୍ଦା ଗତିବିଦ୍ଧିର ଶିକାର ହୋଇ ନାହାନ୍ତିତ ଏହା ଜାଣିବା ପାଇଁ ଅନ୍ତରୀଣ ଯାଞ୍ଚ ଆରମ୍ଭ କରି ଦେଇଛି। ବିବାଦ ମଧ୍ୟରେ କମ୍ପାନୀ ସେୟାର ସୋମବାର ୪%ରୁ ଅଧିକ ହ୍ରାସ ହୋଇଛି। ଫଳରେ କମ୍ପାନୀର ୧୯୦ ବିଲିୟନ ଡଲାର କ୍ଷତି ହୋଇଛି। ତଥାପି କମ୍ପାନୀର ମାର୍କେଟ କ୍ୟାପିଟାଲାଇଜେସନ ଏବେବି ୪ ଟ୍ରିଲିୟନ ଡଲାର ଉପରେ ରହିଛି ଓ ଏନଭିଡିଆ ଏବେବି ବିଶ୍ୱର ଦ୍ୱିତୀୟ ବୃହତ୍ତ କମ୍ପାନୀ ହୋଇ ରହିଛି। ନ୍ୟୁୟର୍କ ପୋଷ୍ଟର ଏକ ଅନ୍ୟ ରିପୋର୍ଟ ଅନୁସାରେ ଏହି ମାମଲାର ପ୍ରଭାବ ଜେନସନ ହୁଆଙ୍ଗଙ୍କ ନେତୃତ୍ୱ ଓ କମ୍ପାନୀର ସମ୍ମାନ ଉପରେ ଆଞ୍ଚ ଆଣିପାରେ।

ଖାସ କରି ଆଗାମୀ ବର୍ଷ ଆମେରିକା କଂଗ୍ରେସର ନିୟନ୍ତ୍ରଣ ଡେମୋକ୍ରାଟଙ୍କ ହାତକୁ ଯିବା ପରିପ୍ରେକ୍ଷରେ କମ୍ପାନୀକୁ ରାଜନୈତିକ ଓ ଜାତୀୟ ସୁରକ୍ଷା ସମ୍ପର୍କିତ ପ୍ରଶ୍ନର ସାମ୍ନା କରିବାକୁ ପଡିପାରେ। ଏହି ପ୍ରଶ୍ନର ଆଞ୍ଚ ରାଷ୍ଟ୍ରପତି ଟ୍ରମ୍ପଙ୍କ ପର୍ଯ୍ୟନ୍ତ ପହଞ୍ଚିପାରେ। ଜନୈକ କର୍ପୋରେଟ ଓକିଲ ନ୍ୟୁୟର୍କ ପୋଷ୍ଟକୁ କହିଛନ୍ତି ଯେ ଡେମୋକ୍ରାଟଙ୍କ ଶୁଣାଣି ଆଗରେ ଜେନସନ ହୁଆଙ୍ଗ ଅଧିକ ସମୟ ତିଷ୍ଠି ନ ପାରନ୍ତି। ମାମଲାର ଫର୍ଦ୍ଦ ଯେତିକି ଖୋଲିବ କମ୍ପାନୀ ଓ ବୋର୍ଡ ତାଙ୍କଠାରୁ ଦୂରତା ଅବଲମ୍ବନ କରିପାରନ୍ତି। ଏପି ରିପୋର୍ଟ ଅନୁସାରେ ଏନଭିଡିଆର ଜନୈକ ସେୟାରଧାରୀ ସିଇଓ ଜେନସନ ହୁଆଙ୍ଗଙ୍କ ବିରୋଧରେ ନିବେଶକଙ୍କୁ ଧୋକା ଦେବା ଅଭିଯୋଗ ଆଣି ମୋକଦ୍ଦମା ରୁଜୁ କରିଛନ୍ତି।