ନୂଆଦିଲ୍ଲୀ: ଦୀପାବଳି ବାସି ଅର୍ଥାତ ୧୦ ନଭେମ୍ବର ମଙ୍ଗଳବାର ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ସନ୍ଧ୍ୟା ୫ଟା ବେଳେ ମଲ୍ଟି କମଟିଡି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ଟ୍ରେଡିଂ ଆରମ୍ଭ ହେବାମାତ୍ରେ ସୁନା ଓ ରୁପାଦରରେ ହ୍ରାସ ଦେଖା ଯାଇଛି। ସୁନା ପାଖାପାଖି ୧,୩୦୦ ଓ ରୁପା କେଜି ପିଛା ୧,୮୦୦ ଟଙ୍କା ଶସ୍ତା ହୋଇଛି। ଏମସିଏକ୍ସ ରେ ଡିସେମ୍ବର ୪ରେ ଡେଲିଭରୀ ହେବାକୁ ଥିବା ସୁନା ୦.୮୮% ହ୍ରାସ ହୋଇଥିବା ବେଳେ ପ୍ରତି ୧୦ଗ୍ରାମ ଦର ୧,୪୧,୮୫୮ ଟଙ୍କାକୁ ପହଞ୍ଚି ଯାଇଛି। ସେହିପରି ରୁପା ଦର ୦.୯୦% ହ୍ରାସ ହୋଇଛି ଓ କେଜି ପିଛା ଦର ୧,୮୫,୪୪୮ ଟଙ୍କା ହୋଇଯାଇଛି।

ସନ୍ଧ୍ୟା ସାଢେ ୭ଟା ସୁଧା ଏମସିଏକ୍ସ ରେ ସୁନା ୧୦ଗ୍ରାମ ପିଛା ଦର ୨,୨୬୬ ଟଙ୍କା ଶସ୍ତା ହୋଇଥିଲା। ଫଳରେ ସୁନା ଭରି ୧,୪୦,୯୦୦ ଟଙ୍କାକୁ ପହଞ୍ଚିଛି, ଯାହାକୁ ଆଜି ଦିନର ସବୁଠୁ ନିମ୍ନ ସ୍ତର ବୋଲି କୁହାଯାଉଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ସୁନା ବଜାରରେ ପ୍ରତି ୧୦ଗ୍ରାମ ୧,୪୧,୩୬୧ ଟଙ୍କାରେ ଟ୍ରେଡ କରୁଥିବାର ଜଣାପଡିଛି। ଗତ ବ୍ୟବସାୟୀକ ଅଧିବେଶନରେ ପ୍ରତି ୧୦ଗ୍ରାମ ସୁନା ୧,୪୩,୧୬୬ ଟଙ୍କାରେ କାରବାର ହୋଇଥିଲା। ରୁପା ଦରରେ ୧.୭୫% ପର୍ଯ୍ୟନ୍ତ ହ୍ରାସ ରେକର୍ଡ ହୋଇଛି ଓ କେଜି ପିଛା ୩,୩୩୯ ଟଙ୍କା ଶସ୍ତା ହୋଇଛି। ଏହାକୁ ରୁପାର ଆଜି ସବୁଠୁ ସର୍ବନିମ୍ନ ସ୍ତର ବୋଲି କୁହାଯାଉଛି।

ଆମେରିକାର ମୁଦ୍ରାସ୍ଫୀତି ସମ୍ବଦ୍ଧିତ ତଥ୍ୟ ଜାରି ହେବା ପୂର୍ବରୁ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ଯୋଗୁ ମୂଲ୍ୟବୃଦ୍ଧିକୁ ନେଇ ଜାରି ଚିନ୍ତା ଦୂର ହୋଇଛି। ଏଣୁ ଗତ ବ୍ୟବସାୟୀକ ଅଧିବେଶନରେ ୧% ବୃଦ୍ଧି ପରେ ସୁନା ପ୍ରତି ଆଉନ୍ସ ୪,୧୦୦ ଡଲାର ଆଖପାଖରେ କାରବାର ହେଉଛି। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତ ଦିଗରେ ଅଗ୍ରଗତିକୁ ଦେଖି ମଙ୍ଗଳବାର ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ୨.୭୨ ଡଲାର ଅର୍ଥାତ ୩% ହ୍ରାସ ହୋଇ ପ୍ରତି ବ୍ୟାରଲ ୮୯.୯୫ ଡଲାରରୁ ତଳକୁ ଖସିଛି।

ଅଶୋଧିତ ତୈଳ ମୂଲ୍ୟ ହ୍ରାସ ଯୋଗୁ ମୂଲ୍ୟବୃଦ୍ଧିକୁ ନେଇ ଉପୁଜିଥିବା ଚିନ୍ତା ଦୂର ହୋଇଛି। ତେବେ ଡଲାର ଓ ବୈଶ୍ୱିକ ସୁନାରୁପା ବଜାରରେ ଦର ତଳଉପର ହେବାର ପ୍ରଭାବ ସୁନା ଉପରେ ପଡିଛି। ନିବେଶକଙ୍କ ଅନୁସାରେ ଅଶୋଧିତ ତୈଳ ମୂଲ୍ୟ ତଳଉପର ହେବା ଓ ମୁଦ୍ରାସ୍ଫୀତି ଉପରେ ଏହାର ସମ୍ଭାବିତ ପ୍ରଭାବ ଉପରେ ଏବେ ନଜର ରଖା ଯାଇଛି। ଆମେରିକାର ଗୁରୁତ୍ୱପୂର୍ଣ୍ଣ ମୁଦ୍ରାସ୍ଫୀତି ତଥ୍ୟରୁ ଫେଡେରାଲ ରିଜର୍ଭର ସୁଧହାର ସମ୍ପର୍କିତ ପରବର୍ତ୍ତି ନୀତି କୁ ନେଇ ଖୁବ୍ ଶୀଘ୍ର ସଂକେତ ମିଳିବ ବୋଲି ଆଶା କରାଯାଉଛି।