ସୋଫିୟା: ପୂର୍ବ ବୁଲଗେରିୟାର ଏକ ମୋଟର ୱେରେ ଘନ କୁହୁଡି ଯୋଗୁ ଅନେକ ଗାଡ଼ି ମଧ୍ୟରେ ଧକ୍କା ଲାଗିଛି। ଏହି ସିରିଜ ଦୁର୍ଘଟଣାରେ ଅନୁନ୍ୟ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କାତ୍ୟା ଇଭକୋଭା କହିଛନ୍ତି ଯେ ଏହି ଦୁର୍ଘଟଣା ରାଜଧାନୀ ସୋଫିୟାକୁ ବ୍ଲାକ୍ ସି ପୋର୍ଟ ବୁର୍ଗାସକୁ ସଂଯୁକ୍ତ କରୁଥିବା ମୋଟରୱେରେ ହୋଇଛି। କମ ଦୃଶ୍ୟତା ଯୋଗୁ ଦୁଇଟି ବଡ଼ ଧରଣର ଦୁର୍ଘଟଣା ଘଟିଛି। ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଛନ୍ତି।

ଏହି ସିରିଜ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ଭାଇରାଲ ହୋଇଯାଇଛି। ଏହି ଭିଡିଓରେ ହାଇୱେର ୬ ଲେନରେ କାର ଓ ଟ୍ରକ୍ ପରସ୍ପର ସହ ଧକ୍କା ଲାଗି ଏଣେତେଣେ ଛିନଛତ୍ର ହୋଇପଡିଛନ୍ତି। ଦୁର୍ଘଟଣାରେ ଅନେକ ଗାଡି ଜଖମ ହୋଇଥିବା ବେଳେ ଆଉ କେତେକ ଗାଡି ଉପରେ ଗାଡି ଚଢି ଯାଇଛି। ଏଥିରୁ କିଛି ଓଲଟି ପଡିଥିବା ବେଳେ ଅନେକ ସଡ଼କ କଡକୁ ଗଡି ଯାଇଛନ୍ତି। ଏହି ସିରିଜ ଦୁର୍ଘଟଣା ଲାଗି ଜାତୀୟ ରାଜମାର୍ଗକୁ ଉଭୟ ପଟରୁ ବନ୍ଦ କରିବାକୁ ପଡିଥିଲା। ଏଣୁ ଜାତୀୟ ରାଜମାର୍ଗର ଉଭୟ ପାର୍ଶ୍ୱରେ ହଜାର ହଜାର ଗାଡି ଧାଡି ହୋଇଯାଇଛି।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସିରିଜ ଦୁର୍ଘଟଣାରେ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଓ ଅନ୍ୟ ୨ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ଆହତ ୪୬ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଛି। ଏଣୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ତେବେ ସିରିଜ ଦୁର୍ଘଟଣାର କାରଣ ଓ ଏଥିରେ ଭାଙ୍ଗିରୁଜି ଯାଇଥିବା ଗାଡିଙ୍କୁ ନେଇ ଅଧିକାରୀ ବିଶେଷ କିଛି କହିନାହାନ୍ତି। ଡାତୀୟ ରାଜମାର୍ଗରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିଙ୍କୁ ହଟାଇ ସଡକକୁ ପୁଣିଥରେ ସ୍ୱଭାବିକ କରିବାକୁ ଉଦ୍ୟମ କରାଯାଉଛି।